ନୂଆପଡା: ନୂଆପଡାରେ ଥମିବାର ନାଁ ଧରୁନି କଲରାପତରିଆ ବାଘ ଆତଙ୍କ । ଗତ ମାସେ ହେବ ଜିଲ୍ଲାରେ ଆତଙ୍କ ଖେଳାଇଛି କଲରାପତରିଆ। କେତେବେଳେ ଗାଈ ତ ଆଉ କେତେବେଳେ ବାଛୁରୀକୁ ମାରିଖାଉଥିବା ଅଭିଯୋଗ ହୋଇଥିବା ବେଳେ ଗତ ରବିବାର ଦିନ ଜଣେ ବୃଦ୍ଧାଙ୍କୁ ଟେକି ନେଇ ମାରି ଖାଇଦେଇଥିଲା । ଆଜି ପୁଣି ସିଲିଆରିବାହାରା ଗାଁରେ ଏକ ବଳଦ ଏବଂ ଏକ ବାଛୁରୀକୁ ବାଘ ମାରି ଖାଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସିଲିଆରିବାହାରା ଏବଂ କୋଦୋପାଲି ଗ୍ରାମବାସୀଙ୍କ ମଧ୍ୟରେ ଭୟ ଖେଳିଯାଇଛି ।
ମାସେ ଧରି ନୂଆପଡା ଜିଲ୍ଲାରେ ଆତଙ୍କ ଖେଳାଇଲାଣି କଲରାପତରିଆ ବାଘ । ବାଘ ଡରରେ ଲୋକେ ଥରହର ହେଉଥିବା ବେଳେ ବନବିଭାଗ ହେଲାଣି ନାକେଦମ । ଗତ ମାସ ୬ ତାରିଖ ରେ ତରିଆମହୁଆଭଟ୍ଟା ଗାଁ ରୁ ଗୋଟିଏ ବାଛୁରୀ କୁ ମାରି ଖାଇଦେଇଥିବା ବେଳେ ନିୟମିତ ବ୍ୟବଧାନ ରେ ଜିଲ୍ଲାର ବିଭିନ୍ମ ଗାଁରେ ପଶି କେତେବେଳେ ଗାଈ କୁ ତ ଆଉ କେତେବେଳେ ବାଛୁରୀ କୁ ଶୀକାର କରି ମାରି ଖାଉଥିବା ଅଭିଯୋଗ ହୋଇଛି । ତେବେ ଗତ ରବିବାର ଦିନ ସୁନାବେଡା ଅଭୟାରଣ୍ୟ ର ଜଳମଡେଇ ଗାଁ ରେ ଜଣେ ବୃଦ୍ଧାଙ୍କୁ ଟେକି ନେଇ ଖାଇ ଦେଇଥିବା ଅଭିଯୋଗ ହୋଇଥିଲା । ଆଜି ଧରମବନ୍ଦା ଥାନା ସିଲିଆରିବାହାରା ଏବଂ କୋଦୋପାଲି ଗାଁ ମଝି ରେ ଗୋଟିଏ ବଳଦ ଏବଂ ବାଛୁରୀ କୁ ମାରି ଖାଇଥିବା ମଧ୍ୟ ଅଭିଯୋଗ ହୋଇଛି ।
ଅନ୍ୟପଟେ ବାଘର ଆତଙ୍କ ଦେଖାଦେବା ଦିନ ଠାରୁ ବନ ବିଭାଗ ପକ୍ଷରୁ ବାଘର ଗତିବିଧି ଲକ୍ଷ୍ୟ କରିବା ପାଇଁ ବିଭିନ୍ନ ଲୋକେସନରେ ଟ୍ରାକ କ୍ୟାମେରା ଖଞ୍ଜା ଯାଇଥିଲା । ଟ୍ରାକ କ୍ୟାମେରାରେ ବାଘର ଫଟୋ ବି କଏଦ ହେଲା । କିନ୍ତୁ ବାଘ ର ଆତଙ୍କ ରୋକିବା ପାଇଁ କୈାଣସି ପଦକ୍ଷେପ ନିଆଗଲା ନାହିଁ । ତେବେ ବନ ବିଭାଗ ପକ୍ଷରୁ ଉଚିତ ପଦକ୍ଷେପ ନିଆଯିବା ସହ ଯେଉଁ ଗାଁ ରେ ବାଘ ଆତଙ୍କ ନଜରକୁ ଆସିଛି, ସେଠାରେ ପେଟ୍ରୋଲିଂ କରାଯାଉଛି ବୋଲି ଖଡିଆଳ ବନଖଣ୍ଡ ଅଧିକାରୀ କହିଛନ୍ତି । ତେବେ ଅଭୟାରଣ୍ୟ ଅଞ୍ଚଳ ହୋଇଥିବାରୁ ବାଘକୁ ଧରାଯିବାର ନିୟମ ନାହିଁ । କିନ୍ତୁ ବାଘ କୁ ଜଙ୍ଗଲ ଆଡକୁ ଘଉଡାଇବା ପାଇଁ ବାଣ ଫୁଟାଇବା ସହ ଅତ୍ୟାଧୁନିକ ଗ୍ୟାସ ମେସିନ ଜରିଆରେ ଶଦ୍ଦ ବିଷ୍ପୋରଣ କରାଯିବ ବୋଲି ଅଧିକାରୀ କହିଛନ୍ତି ।
ବାଘ ଡରରେ ସନ୍ଧ୍ୟା ହେଲେ ଅଞ୍ଚଳବାସୀ ତାଟି କବାଟ ବନ୍ଦ କରି ଘରେ ରହୁଛନ୍ତି । ହେଲେ ବନ ବିଭାଗ ପକ୍ଷରୁ କୈାଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ଅସନ୍ତୋଷ ଦେଖାଇଛି ।
ବିମଳ ସିଂ ଦଳପତିଙ୍କ ରିପୋର୍ଟ

Naxatra News is now on Whatsapp
Join and get latest news update delivered to you via whatsapp
Join Now