ଜନ ଆକ୍ରୋଶ: ପୁଲିସକୁ ଗୋଡେଇ ଗୋଡେଇ ପିଟିଲେ ଗ୍ରାମବାସୀ

Spread the love

ସୀତାମଢି: ବିହାରର ସୀତାମଢିରେ ପୁଲିସକୁ ଗୋଡେଇ ଗୋଡେଇ ପିଟିଲେ ଗ୍ରାମବାସୀ। ସ୍ଥିତି ଏମିତି ହେଲା କି, ଜୀବନ ବିକଳରେ ପୁଲିସକୁ ଘଟଣାସ୍ଥଳରୁ ପଳାୟନ କରିବାକୁ ହୋଇଥିଲା। ପୁଲିସ ଉପରେ ହୋଇଥିବା ଏହି ଆକ୍ରମଣର ଭିଡିଓ ଭାଇରାଲ ହୋଇଛି। ସୀତାମଢିର ପୁପରୀ ଥାନା ଅଧୀନ ଭିଟ୍ଠା ଗାଁର ହୋଇଥିବା ବେଳେ ପୁଲିସ ଗାଡି ମଧ୍ୟ ଲୋକଙ୍କ ଆକ୍ରୋଶରୁ ବର୍ତ୍ତିନଥିବା ଦେଖିବାକୁ ମିଳିଛି। ଭିଡିଓରେ ପୁଲିସ ଓ ପୁଲିସ ବାହନ ଉପରେ ଠେଙ୍ଗା ବାଡିରେ ହେଉଥିବା ଆକ୍ରମଣ ଦୃଶ୍ୟମାନ ହେଉଛି। ତିନି ଦିନ ପୂର୍ବରୁ ହୋଇଥିବା ଏକ ମୃତ୍ୟୁକୁ ନେଇ ବୁଧବାର ଏପରି ଅଭାବନୀୟ ପରିସ୍ଥିତିର ସୂତ୍ରପାତ ହୋଇଛି।

ସୂଚନା ମୁତାବକ, ତିନି ଦିନ ତଳେ ଭିଟ୍ଠା ଗାଁରେ ସନ୍ଦେହଜନକ ଅବସ୍ଥାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ଗାଁ ଲୋକେ ଏହାକୁ ହତ୍ୟା ବୋଲି ଅଭିଯୋଗ କରି ହଙ୍ଗାମା ଓ ପ୍ରଦର୍ଶନ କରିଥିଲେ। ରାସ୍ତା ରୋକର ସୂଚନା ମିଳିବା ପରେ ପୁପରୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲା।

କିନ୍ତୁ ଲୋକେ କିଛି ବୁଝିବା ବଦଳରେ ଓଲଟି ପୁଲିସ ଉପରେ ଆକ୍ରମଣ କରିଥିଲେ ଓ ପୁଲିସ ଗାଡିକୁ ମଧ୍ୟ ଭଙ୍ଗାରୁଜା କରିଥିଲେ। ଲୋକେ ଏମିତି ଆକ୍ରାମକ ରୂପ ଧାରଣ କରିଥିଲେ ଯେ ପୁଲିସକୁ ଘଟଣାସ୍ଥଳରୁ ଦୌଡିବାକୁ ବାଧ୍ୟ କରିଥିଲା।

ଘଟଣାରେ ପୁଲିସ ୫୪ ଜଣଙ୍କ ନାମରେ ଏଫଆଇଆର ଦାୟର କରି ୧୦ ମହିଳାଙ୍କ ସମେତ ୨୫ ଜଣଙ୍କୁ ଗିରଫ କରିଛି।

Leave a Reply

Your email address will not be published. Required fields are marked *