ୱାରଟାଇମ ଲ ଲାଗୁ କରିବ ଚୀନ!

Spread the love

() ତାଇବାନକୁ ନେଇ ଚୀନ ଓ ଆମେରିକା ମଧ୍ୟରେ ଜାରି ତିକ୍ତତା ମଧ୍ୟରେ ଚୀନ ନିଜ ସେନା ଶକ୍ତି ବୃଦ୍ଧି କରିବାକୁ ଯାଉଛି। ସେନା ୱାରଟାଇମ ଲ ବା ଯୁଦ୍ଧକାଳୀନ ଆଇନ ଲାଗୁ କରିବାକୁ ସରକାର ନିକଟରେ ଦାବି କରିଛି। ଏହା ଯୁଦ୍ଧ ବିଜୟରେ ପିପୁଲ୍ସ ଲିବେରେସନ ଆର୍ମିକୁ କ୍ଷମତାଶାଳୀ କରିବ ବୋଲି କୁହାଯାଉଛି। ସେହିପରି ସି ଜିନପିଙ୍ଗ ତୃତୀୟ ଥର ରାଷ୍ଟ୍ରପତି ଭାର ଗ୍ରହଣ କରିବା ପରେ ସେନାର ସର୍ବାଙ୍ଗୀନ ଉନ୍ନତି ପାଇଁ ନିଆଯାଉଛି ସମସ୍ତ ପଦକ୍ଷେପ। ୟୁଏସ ପୂର୍ବରୁ ପ୍ରତିବନ୍ଧକ ଲଗାଇଥିବା  ଜେନେରାଲ ସି ସାଙ୍ଗଫୁଙ୍କୁ ରକ୍ଷା ମନ୍ତ୍ରୀ ଭାବେ ନିଯୁକ୍ତ କରିଛି ଚୀନ, ଯାହା ଆମେରିକାକୁ ଆହୁରି ଉତକ୍ଷିପ୍ତ କରିବ ବୋଲି ହେଉଛି ଚର୍ଚ୍ଚା।

ଆମେରିକା ସହ ତିକ୍ତତା ଭିତରେ ଦେଶର ଅଖଣ୍ଡତା ଉପରେ ଡ୍ରାଗନର ଗୁରୁତ୍ବ। ରାଷ୍ଟ୍ରହିତ ପାଇଁ ୱାର ଟାଇମ ଲ ଲାଗୁ କରିବା ଉପରେ ଜୋର। ତାଇବାନକୁ ନେଇ ପାସିଫିକ ସିରେ ଚୀନ ଆମେରିକା ମୁହାଁମୁହିଁ ସ୍ଥିତିକୁ ଦେଖି ଯୁଦ୍ଧ ପାଇଁ ଚୀନ ସେନାର ପ୍ରସ୍ତୁତି । ଶନିବାର ଚୀନ ମିଡିଆ ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟ ଖବର ଅନୁଯାୟୀ, ଚୀନ ସଂସଦ ନାସନାଲ ପିପୁଲ୍ସ କଂଗ୍ରେସ ବା ଏନପିସିରେ ପିପୁଲ୍ସ ଲିବରେଶନ ଆର୍ମି ବା ପିଏଲଏ ପ୍ରତିନିଧିମାନେ ବର୍ତ୍ତମାନ ସ୍ଥିତିରେ ୱାର ଟାଇମ ଲ  ଆଇନ ଆଣିବାକୁ ଦେଇଛନ୍ତି ଆହ୍ବାନ। ସତ୍ତାରୁଢ କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନା ବା ସିପିସି ନିକଟରେ ଏନପିସିରେ ପିଏଲଏର ପ୍ରତିନିଧିମାନେ ପର୍ଯ୍ୟାପ୍ତ ସଂଖ୍ୟା ରହିଛି, ତେଣୁ ସେନାର ଦାବି ପୂରଣ କରିବାକୁ ସିପିସିକୁ କୌଣସି ଅସୁବିଧା ହେବ। ପିଏଲଏର ଏକ ପ୍ରତିନିଧି ଡବିନ କହିଛନ୍ତି କି, ଆମର ଯୁଦ୍ଧକାଳୀନ ଆବଶ୍ୟକତାଗୁଡିକୁ ଧ୍ୟାନରେ ରଖି ଆମେ ସମୟବଦ୍ଧତା, ବ୍ୟବସ୍ଥିତ ଉପାୟରେ ଯୁଦ୍ଧକାଳୀନ ଆଇନର ଅଧ୍ୟୟନ କରିବା ଆବଶ୍ୟକ। ସେହିପରି ଶାନଦୋଙ୍ଗ କ୍ଷେତ୍ରର ସୈନ୍ୟ ଜିଲ୍ଲାର କମାଣ୍ଡର ଝାଙ୍ଗ ଲାଇକ ମଧ୍ୟ ସମାନ ମତବ୍ୟକ୍ତ କରିଛନ୍ତି। ଦକ୍ଷିଣ ଥିଏଟର  ୱିଂର ପୂର୍ବତନ କମାଣ୍ଡର ୟୁଆନ ୟୁବାଇ ମଧ୍ୟ ରାଷ୍ଟ୍ରୀୟ ରକ୍ଷା ସମ୍ବନ୍ଧିତ ଅନ୍ତରାଷ୍ଟ୍ରୀୟ ଆଇନର ଅଧ୍ୟୟନ  କରାଯିବାକୁ ଗୁରୁତ୍ବାରୋପ କରିଛନ୍ତି। ତାଇବାନ ସହ ଦକ୍ଷିଣ ଚୀନ ସାଗରରେ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ ଏପରି ସବୁ ଦାବି ଜିନପିଙ୍ଗଙ୍କ ମହତ୍ବାକାଂକ୍ଷାକୁ ପ୍ରତିପାଦନ କରୁଛି। ସେହିପରି ଗତ ମାସରେ ଚୀନ ସାଂସଦମାନେ ଏକ ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିଲେ, ଯାହା ସେନାକୁ ଯୁଦ୍ଧ କାଳରେ ଅପରାଧିକ କାର୍ଯ୍ୟ ପାଇଁ ଅଧିକାର ଦେଇଥାଏ। ଏନପିସି ପକ୍ଷରୁ ମଧ୍ୟ କୁହାଯାଇଛି କି, ସୈନ୍ୟ ମିଶନର ସୁରକ୍ଷା ଓ ଯୁଦ୍ଧରେ ବିଜୟ ବ୍ୟାପକ ନିର୍ଣ୍ଣୟ ନିଆଯାଇଛି।

ସେପଟେ ଚୀନର ଏପରି ଯୁଦ୍ଧ ଆଇନକୁ ନେଇ ଆମେରିକା କ୍ଷୁବ୍ଧ। ଚୀନର ଆଭିମୁଖ୍ୟକୁ ଦେଖି ୨୦୨୭ ଆରମ୍ଭରେ ତାଇବାନକୁ ନେଇ ସଂଘର୍ଷର ପୂର୍ବାନୁମାନ କରୁଛନ୍ତି ଆମେରିକା ସେନା ଓ ଗୁଇନ୍ଦା ଅଧିକାରୀ। ଗତ୧୦ ତାରିଖରେ ସି ଜିନପିଙ୍ଗ ପୁଣି ତୃତୀୟ ଥର ପାଇଁ ନେଇଛନ୍ତି ରାଷ୍ଟ୍ରପତି ଭାର। ଯାହା ତାଇବାନ ପାଇଁ ଘାତକ ହେବ ବୋଲି ଚେତାଇ ଦେଇଛି ଆମେରିକା।  ୟୁଏସ ଇଣ୍ଟେଲିଜେନ୍ସ କମ୍ୟୁନିଟିର ଏକ ବାର୍ଷିକ ରିପୋର୍ଟ ଦାବି କରିଛି କି, ବେଜିଂ ତାଇବାନ ଉପରେ ଏଣିକି ପକାଇବ ଅଧିକ ଚାପ । ଜିନପିଙ୍ଗଙ୍କର ଫୋକସ ରହିବ ଚୀନର ଏକିକରଣ ଉପରେ।  ତେଣୁ ତାଇବାନକୁ ନିଜ ଭୂଖଣ୍ଡ ବୋଲି ଦାବି କରୁଥିବା ବେଜିଂ ସେଠାରେ ଆମେରିକାର ହସ୍ତକ୍ଷେପକୁ ସହ୍ୟ କରିବ ନାହିଁ। ଏହି ରିପୋର୍ଟ ୟୁଏସ ଗୁଇନ୍ଦା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ଆମେରିକା କଂଗ୍ରେସରେ ପ୍ରସ୍ତୁତ କରାଯାଇଥିଲା। ଏଥିରେ ଆହୁରି କୁହାଯାଇଥିଲା କି, ତାଇବାନରେ ଆମେରିକାର ପ୍ରଭାବ କମ କରିବାକୁ ଓ ୱାସିଂଟନକୁ ଦୁର୍ବଳ କରିବାକୁ ତାର ସହଯୋଗୀଙ୍କ ମଧ୍ୟରେ ଫାଟ ସୃଷ୍ଟିକରିବାକୁ ହେବ ପ୍ରଚେଷ୍ଟା। ଏଥିସହ ସିସିପି ଶାସନକୁ ମଜବୁତ କରିବାକୁ, ନିଜ ସୀମା ବୃଦ୍ଧି କରିବାକୁ ଓ ବିଶ୍ବରେ ନିଜ ପତିଆରା ବଢାଇବାକୁ ଚୀନ ନିଜ ଆର୍ଥିକ, ବୈଷୟିକ ଓ କୁଟନୀତିକ ପ୍ରଭାବ ସହ ଜୋଡୁଛି ସେନାକୁ।

ଚୀନର ଉଚ୍ଚାଭିଳାଶା, ସୀମା ସମ୍ପ୍ରସାରଣ ନୀତି ଅନ୍ତର୍ଗତ ଲକ୍ଷ ଲକ୍ଷ ଉପକରଣ ଉପରେ ସଫୱେୟାର ନିୟନ୍ତ୍ରିତ କରିବାକୁ ଟିକଟକର ଉପଯୋଗ କରିପାରେ ଓ ତାଇବାନ ବା ଅନ୍ୟ ମୁଦ୍ଦାରେ ଆମେରିକା ବାସୀଙ୍କୁ ବିଭାଜନ କରିବାକୁ ପ୍ରସ୍ତୁତି କରିପାରେ ବେଜିଂ। ଚୀନ ସରକାର ଲକ୍ଷଲକ୍ଷ ଆମେରିକୀୟଙ୍କ ଡାଟାକୁ ନିୟନ୍ତ୍ରଣ କରିବା ପାଇଁ ଟିକଟକର ଉପଯୋଗ କରିପାରେ। ଚୀନର ଟିକଟକ ୧୦୦ ମିଲିୟନରୁ ଅଧିକ ଆମେରିକୀୟ ଉପଯୋଗ କରୁଛନ୍ତି, ଯାହା ଉପରେ ପ୍ରତିବନ୍ଧକ ଲଗାଇବାକୁ ଆମେରିକାର ବହୁ ସାଂସଦ ଦାବି କରି ଆସୁଛନ୍ତି। ସେପଟେ ରକ୍ଷା ମନ୍ତ୍ରୀ ଭାବେ ଯାହାକୁ ଜିନପିଙ୍ଗ ନିଯୁକ୍ତି ଦେଇଛନ୍ତି ତାହା ଉଭୟ ଦେଶ ମଧ୍ୟରେ ସୃଷ୍ଟି କରି ପାରେ ଆହୁରି ଅଧିକ ବିବାଦ।

ଶିଳାସ୍ମିତା ରାୟଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *