ମାସ୍କ ପିନ୍ଧ, ବୁଷ୍ଟର ଡୋଜ୍ ନିଅ

Spread the love

ନୂଆଦିଲ୍ଲୀ: ଚୀନ୍‌ ଓମିକ୍ରନ ବିଏଫ୍-୭ ପ୍ରଜାତିର ଭୟାନକ ସଂକ୍ରମଣ ଲହରକୁ ସାମ୍ନା କରୁଥିଲା ବେଳେ ଏହି ଭାରିଆଣ୍ଟ ଭାରତରେ ପଶିଥିବାରୁ ଏହାକୁ ନେଇ ସରକାର ସତର୍କତାର ସହ ଆଗୁଆ ମୁକାବିଲା ନେଇ ଚିନ୍ତା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କରୋନା ସ୍ଥିତିକୁ ନେଇ ସମୀକ୍ଷା କରିଛନ୍ତି। ସଂସଦକୁ ଫେରିଛି ମାସ୍କ। ଆସନ୍ତାକାଲି ଓଡ଼ିଶା ସରକାର ବି ଏହାକୁ ନେଇ ସମୀକ୍ଷା କରିବେ। କାରଣ ଏହି ଘାତକ ଭାଇରସରେ ସଂକ୍ରମିତ ହୋଇଛନ୍ତି ଗୁଜୁରାଟ ଓ ଓଡ଼ିଶାର ଲୋକେ।

ମାସ୍କ ପିନ୍ଧ। ବୁଷ୍ଟର ଡୋଜ୍ ନିଅ। ସାନିଟାଇଜର ବ୍ୟବହାର ସହ ସାମାଜିକ ଦୂରତା ବଜାୟ ରଖ। ଚାଇନାରେ ଆତଙ୍କ ଖେଳାଇଥିବା ଓମିକ୍ରନର ବିଏଫ-୭ ପ୍ରଜାତି ଭାରତ ଲାଗି ଚିନ୍ତାର କାରଣ ହୋଇଥିଲା ବେଳେ ସତର୍କ ସହ ସର୍ଭେଲାନ୍ସ ସୁଦୃଢ ଉପରେ ଗୁରୁତ୍ୱାରୋପ କରିବା ସହ ଆଜି ସଦନର ଉଭୟ ଗୃହରେ କରୋନା ସ୍ଥିତିକୁ ନେଇ ବିବୃତ୍ତି ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ। ମହାମାରୀ ମୁକାବିଲା ନେଇ ସରକାର ବଦ୍ଧପରିକର ବୋଲି କହିଛନ୍ତି ମାଣ୍ଡଭିୟା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବି ଚୀନକୁ କୋଭିଡ୍ ତଥ୍ୟ ନ ଲୁଚାଇ ସେୟାର କରିବାକୁ ତାଗିଦ୍ କରିଛି। ଆଉ ଆଜି ପ୍ରଧାନମନ୍ତ୍ରୀ ମୋଦି କରୋନା ସ୍ଥିତିକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ଭାରତରେ ଲକଡାଉନ ଭଳି ସ୍ଥିତି ହେବନି ବୋଲି ଆଶ୍ୱସ୍ତ କରିଛି ଭାରତୀୟ ମେଡିକାଲ ଆସୋସିଏସନ। ଚୀନ୍ ତୁଳନାରେ ଭାରତୀୟଙ୍କ ରୋଗ ପ୍ରତିରୋଧକ ଶକ୍ତି ଅଧିକ। ଏମିତିରେ ୯୫ ପ୍ରତିଶତ ଲୋକଙ୍କ ଟୀକାକରଣ ସରିଛି। କିନ୍ତୁ ୨୪ ଘଣ୍ଟାରେ ୧୪୫ରୁ ଅଧିକ ଆକ୍ରାନ୍ତ ଭାରତରେ ଚିହ୍ନଟ ହୋଇଥିବାରୁ ତୁରନ୍ତ କୋଭିଡ୍ ନିୟମ ମାନିବାକୁ କହିଛି ଆଇଏମଏ।

ସେପଟେ ସଂସଦକୁ ଫେରିଛି ମାସ୍କ। କୋଭିଡ୍ ଆତଙ୍କ ଲାଗି ବାଚସ୍ପତି, ରାଜ୍ୟସଭା ଅଧ୍ୟକ୍ଷ ପ୍ରମୁଖ ସଦନର ସମସ୍ତ ସଦସ୍ୟଙ୍କୁ ମାସ୍କ, ସାନିଟାଇଜର ସହ ସାମାଜିକ ଦୂରତା ନିର୍ବାହ କରିବାକୁ କହିଛନ୍ତି। ଏହା ସହ ଲୋକଙ୍କ ଭିତରେ ଅତୀତ ଭଳି ଜନଜାଗରଣ ସୃଷ୍ଟି କରି ମିଳିତ ମୁକାବିଲା ଉପରେ ଜୋର୍ ଦେବାକୁ ଅପିଲ୍ କରିଛନ୍ତି। ବିରୋଧୀ ଦଳ ନେତା କିନ୍ତୁ ମାସ୍କ ପିନ୍ଧିନଥିବାରୁ କୋଭିଡ ଗାଇଡଲାଇନ ପ୍ରତି ସେମାନଙ୍କର ମାନସିକତା ବାରି ହୋଇପଡ଼ୁଛି ବୋଲି କହିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। କୋଭିଡ୍ ନିୟମ ନ ମାନିଲେ ଭାରତ ଯୋଡ଼ଯାତ୍ରା ବନ୍ଦ ନେଇ ରାହୁଲଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଚିଠିକୁ ନେଇ ଆପତ୍ତି ଉଠାଇଛି କଂଗ୍ରେସ। ଗୁଜରାଟ ଓ ତ୍ରିପୁରାରେ ରାଲି କରିଥିବା ମୋଦିଙ୍କୁ ବରଂ ସ୍ୱାସ୍ଥ୍ୟମନ୍ତ୍ରୀ ଏଭଳି ଚିଠି ଲେଖିଥିଲେ ଭଲ ହୁଅନ୍ତା। ବିଜେପିର ଏହା ଗୁପ୍ତ ଏଜେଣ୍ଡା। ଆପ୍ ସାଂସଦ ରାଘବ ଚଢ଼ା ଭାରତ-ଚୀନ୍‌ ଭିତରେ ବିମାନ ଚଳାଚଳ ସେବା ତୁରନ୍ତ ବନ୍ଦ କରିବାକୁ ଦାବି କରିଛନ୍ତି। କୌଣସି ସିଧାସଳଖ ଫ୍ଲାଇଟ୍ ଭାରତ-ଚୀନ୍ ଭିତରେ ଚଳାଚଳ କରୁନଥିବାରୁ ଏ ନେଇ କୌଣସି ନିଷ୍ପତ୍ତି ନିଆଯାଇନି ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର।

ଗୁଜରାଟ, ଓଡ଼ିଶା ଭଳି ରାଜ୍ୟରେ ବିଏଫ-୭ର ଭାରିଆଣ୍ଟରେ ସଂକ୍ରମିତ ଚିହ୍ନଟ ହେବା ପରେ ଚିନ୍ତା ବଢ଼ିଯାଇଛି। ଟେଷ୍ଟିଂ,ଟ୍ରାକିଂ,ଟ୍ରିଟିଂ, କଣ୍ଟାକ୍ଟ ଟ୍ରେସିଂ, ଟିକାକରଣ ଓ କୋଭିଡ୍ ନିୟମାବଳୀକୁ କଡ଼ାକଡ଼ି ପାଳନ କରିବାକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟଗୁଡ଼ିକ। ଦିଲ୍ଲୀ, ୟୁପି, ପଞ୍ଜାବ, ହରିଆଣା, ଉତ୍ତରାଖଣ୍ଡ,ଗୁଜରାଟ ସରକାର କରୋନା ସ୍ଥିତିର ସମୀକ୍ଷା କରିଛନ୍ତି। ଶୁକ୍ରବାର ଓଡ଼ିଶା ସରକାର ଏହାର ସମୀକ୍ଷା କରିବେ।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *