() ହ୍ସିସିଲ ମାରି ପରସ୍ପରକୁ ଡାକନ୍ତି। ପରସ୍ପରକୁ ନାଁ ଧରି ଡାକନ୍ତନି। ସ୍ପେଶିଆଲ ଟ୍ୟୁନ୍ ପ୍ରତି ନାଁ ଲାଗି ଯେମିତି ରହିଛି। ଏମିତି ଏକ ନିଆରା ଗାଁ ମେଘାଳୟର କଙ୍ଗଥୋଙ୍ଗ। ଯେଉଁଠି ପ୍ରତି ଲୋକର ନାଁ ଗୀତରେ ଯେମିତି ସଜେଇ ହୋଇଛି। ଆସନ୍ତୁ ଏମିତି ଏକ ନିଆରା ଗାଁକୁ ବୁଲିଯିବା ଓ ଦେଖିବା କେମିତି ସ୍ୱରକୁ ସ୍ୱର ଚିହ୍ନୁଛି ଓ ଅନୁକରଣ କରୁଛି।
କାହାକୁ ଡାକିଲେ କିଛି ଏମିତି ନିଆରା ଢଙ୍ଗରେ ଡାକନ୍ତି ଏଠାକାର ଲୋକେ। ଏମିତିରେ ସମସ୍ତଙ୍କର ନାଁ ଅଛି। କିନ୍ତୁ ନାଁ ବଦଳରେ ହ୍ସିସିଲ୍ ମାରି ତା ପୁଣି ବିଭିନ୍ନ ମେଲୋଡିଅସ ଭଏସ ଓ ଟ୍ୟୁନରେ ଡକାଯାଏ। ସେଥିଲାଗି ଏହି ଗାଁକୁ ହ୍ସିସିଲିଂ ଭିଲେଜ ବୋଲି କୁହାଯାଏ। ମେଘାଳୟର କଙ୍ଗଥୋଙ୍ଗ ଗାଁରେ ଏମିତି ଭିନ୍ନ ଢଙ୍ଗରେ ପରସ୍ପରକୁ ଡାକିବାର ଦୃଶ୍ୟ ଆଖିରେ ପଡ଼େ। ମେଘାଳୟର ରାଜଧାନୀ ସିଲଂରୁ ପ୍ରାୟ ୬୦ କିଲୋମିଟର ଦୂରରେ ଏହି ଗାଁ। କଙ୍ଗଥୋଙ୍ଗ ଗାଁ ଲୋକେ ଜିଙ୍ଗ୍ରଓ୍ୱାଲା ଲଏବି ଟ୍ୟୁନ ଅର୍ଥାତ୍ ମାଆର ପ୍ରିୟ ଗୀତରେ ପରସ୍ପରକୁ ଡାକନ୍ତି। ଗାଁ ଲୋକଙ୍କର ଦୁଇଟି ନାଁ ଥାଏ। ଗୋଟିଏ ହେଉଛି ଡାକ ନାଁ ତ ଅନ୍ୟଟି ହେଉଛି ସଙ୍ଗ୍ ନେମ୍ ବା ଗୀତରେ ନାମକରଣ। ଏହି ସଙ୍ଗ୍ ନେମର ଦୁଇଟି ଭର୍ସନ। ଲଙ୍ଗ ଓ ସର୍ଟ ସଙ୍ଗ୍। ବିଶେଷ କରି ଘରେ ସର୍ଟ ସଙ୍ଗକୁ ବ୍ୟବହାର କରାଯାଏ। ଗାଁରେ ପ୍ରାୟ ୭ଶହ ଲୋକ ବସବାସ କରୁଥିଲା ବେଳେ ସେମାନଙ୍କ ପାଇଁ ୭ଶହ ବିଭିନ୍ନ ଟ୍ୟୁନ୍ ରହିଛି।
ଖାସି ଜନଜାତିର ଅଧିକାଂଶ ବାସିନ୍ଦା। ପିଲା ଜନ୍ମ ହେବା ପରେ ମାଆ ପିଲାଙ୍କ ଲାଗି ସ୍ୱତନ୍ତ୍ର ଟ୍ୟୁନ୍ କରିଥାଏ। ଆଉ ଏହି ଟ୍ୟୁନରେ ପିଲାଟିକୁ ଡକାଯାଏ। ଯଦି କୌଣସି ଗ୍ରାମବାସୀଙ୍କ ମୃତ୍ୟୁ ହୁଏ, ତାକୁ ଦିଆଯାଇଥିବା ଟ୍ୟୁନ୍ ତା ସହ ସବୁଦିନ ଲାଗି ମରିଯାଏ। ବଂଶାନୁକ୍ରମିକ ଭାବେ ଏହି ଟ୍ୟୁନ୍ ଦିଆଯିବା ପ୍ରଥା ଚାଲିଆସିଛି। ତେବେ କେବେଠୁ ଏହା ଆରମ୍ଭ ହୋଇଛି, ସେ ବାବଦରେ କେହି ଜାଣନ୍ତନି।
ତେବେ ଏଭଳି ହ୍ସିସିଲ୍ ଟ୍ୟୁନ୍ କେବଳ ପରସ୍ପର ସହ ଯୋଗାଯୋଗ କରିବାକୁ ବ୍ୟବହାର କରାଯାଏ। କିନ୍ତୁ ଜଙ୍ଗଲ କିମ୍ୱା ଫିଲ୍ଡରେ ଅନ୍ୟ ଗାଁ ଲୋକଙ୍କ ସହ ଯୋଗସୂତ୍ର ରଖିବାକୁ ପୁରା ଗୀତ ନଚେତ ଟ୍ୟୁନକୁ ବ୍ୟବହାର କରନ୍ତି ଏଠାକାର ଲୋକେ। ଅନ୍ୟ ଗାଁ ଲୋକେ ବି ଏହି ପ୍ରଥାକୁ ଗ୍ରହଣ କରିବାକୁ ଲାଗିଲେଣି। ଗଲାବର୍ଷ ପର୍ଯ୍ୟଟନ ମନ୍ତ୍ରଣାଳୟ ଏହି ଗାଁକୁ ୟୁଏନଡବ୍ଲୁଟିଓ ବା ବିଶ୍ୱ ପର୍ଯ୍ୟଟନ ଅର୍ଗାନାଇଜେସନରୁ ସର୍ବଶ୍ରେଷ୍ଠ ପର୍ଯ୍ୟଟନ ଗାଁର ମାନ୍ୟତା ପାଇଛି। ୨୦୧୯ରେ ବିହାର ରାଜ୍ୟସଭା ସାଂସଦ ରାକେଶ ସିହ୍ନା ବି ଏହି ଗାଁକୁ ପୋଷ୍ୟ ଗାଁ ଭାବେ ଗ୍ରହଣ କରିବା ସହ ୟୁନେସ୍କୋ ଟ୍ୟାଗଲାଇନ ଦେବାକୁ ପ୍ରସ୍ତାବ ରଖିଥିଲେ।
ପ୍ରଦୀପ ନାୟକଙ୍କ ରିପୋର୍ଟ