ବୁଧବାର ସକାଳୁ ଭୂମିକମ୍ପରେ ଥରିଲା ଭାରତର ୮ ରାଜ୍ୟ। ଓଡିଶା ସମେତ ଅନ୍ୟ ଆଠ ରାଜ୍ୟରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଓଡ଼ିଶା, ଛତିଶଗଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଝାଡଖଣ୍ଡ ଏବଂ ଉତ୍ତରପ୍ରଦେଶରେ ଅନୁଭୂତ ହୋଇଛି ଭୂମିକମ୍ପ। । ତିନୋଟି ରାଜ୍ୟରେ ଘଟିଥିବା ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୩ ମାପ କରାଯାଇଥିଲା। ଲୋକମାନେ ଭୟଭୀତ ହୋଇ ଘରୁ ବାହାରି ଆସିଥିଲେ।
ବୁଧବାର ସକାଳୁ ମାଲକାନଗିରି ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ସକାଳ ପ୍ରାୟ ୭ଟା ୮ ମିନିଟରେ ଜିଲ୍ଲାର କିଛି ଅଞ୍ଚଳରେ ପ୍ରାୟ ୫ ରୁ ୭ ସେକେଣ୍ଡ ପର୍ଯ୍ୟନ୍ତ ଭୂମିକମ୍ପ ଅନୁଭୂତ ହୋଇଛି। ଖୁବ୍ କମ ସମୟ ପାଇଁ ଝଟକା ଅନୁଭୂତ ହୋଇଥିଲା। ତେବେ ଝଟକା ଅନୁଭୂତ କରିବା ପରେ ଲୋକେ ଭୟଭୀତ ହେବା ସହ କିଛି ଲୋକ ଘରୁ ବାହାରକୁ ବାହାରି ଆସିଥିଲେ। ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ନେଇ ସୂଚନା ନାହିଁ। ଜିଲ୍ଲାର ସଦର ମହକୁମାସ୍ଥିତ କିଛି ଗ୍ରାମ, କଲୋନୀ ଓ ବସ୍ତିରେ ଘର, ଖଟ, ଟେବୁଲ ଚେୟାର ଆଦି ଥରିବାକୁ ଲାଗିଥିଲା। ଫଳରେ ଲୋକେ ଭୟରେ ଘରୁ ବାହାରି ପଳାଇ ଆସିଥିଲେ। ତେବେ ଗତ ୪ବର୍ଷ ପୂର୍ବରୁ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂମିକମ୍ପ ଘଟି କିଛି ମାତ୍ରାରେ କ୍ଷୟକ୍ଷତି ଘଟିଥିଲା। ସେହିପରି ପ୍ରାୟ ସକାଳ ୭ଟା ବେଳେ ତେଲେଙ୍ଗାନାର ମୁଲୁଗ ଜିଲ୍ଲାରେ ଭୂମିକମ୍ପ ହୋଇଥିଲା। ରାଜ୍ୟର ହାଇଦ୍ରାବାଦ, ହନୁମାକୋଣ୍ଡା, ୱାରଙ୍ଗାଲ, କାମାମ, ରଙ୍ଗାରେଡି, ଭଦ୍ରାଦୀ, କୋଥାଗୁଡେମ, ଜଗାୟାପେଟ, ବିଜୟୱାଡା ଆଦି ସ୍ଥାନରେ ଭୂକମ୍ପ ଅନୁଭୁତ ହେବା ପରେ ଲୋକେ ଘରୁ ଆପାର୍ଟମେଣ୍ଟରୁ ବାହାରକୁ ବାହାରି ଆସିଥିଲେ. ତେବେ ମିଳିଥିବା ସୂଚନା ଅନୁସାରେ ଗତ ୨୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏଠାରେ ଶକ୍ତିଶାଳୀ ଭୁମିକମ୍ପ ଅନୁଭୂତ ହୋଇଛି। ଯାହାର କେନ୍ଦ୍ରସ୍ଥଳ ରହିଥିଲା ମୁଲୁଗ ଜିଲ୍ଲା। ତେବେ ତେଲେଙ୍ଗାନା ବ୍ୟତିତ ଛତିଶଗଡରେ ମଧ୍ୟ ଭୂମିକମ୍ପ ହୋଇଛି। ଉଭୟ ରାଜ୍ୟରେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୩ ରହିଥିଲା। ଛତିଶଗଡର ବିଜାପୁର, ସୁକମା ଏବଂ ଜଗଦଲପୁରରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ବିଜାପୁରର ସମସ୍ତ ଚାରିଟି ବ୍ଲକରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ମହାରାଷ୍ଟ୍ରରେ ମଧ୍ୟ ସକାଳ ୭ଟା ୨୦ରୁ ୭ଟା ୨୬ ମଧ୍ୟରେ ଭୂକମ୍ପ ଅନୁଭୂତ ହୋଇଛି।
ଏହାପୂର୍ବରୁ ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱର ଆହୁରି ୩ଟି ଦେଶରେ ଭୂମିକମ୍ପ ଅନୁଭୂତ ହୋଇସାରିଛି । ଆଜି ସକାଳେ ଉତ୍ତର ଫିଲିପାଇନ୍ସରେ ଏକ ଭୂମିକମ୍ପ ହୋଇଥିଲା, ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୫.୬ ରହିଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ଲୁଜନ ଅଞ୍ଚଳରେ ଭୂପୃଷ୍ଠରୁ ପ୍ରାୟ ୧୦ କିମି ତଳେ ରହିଥିଲା। ପ୍ରଭାବରେ ଅନେକ ଅଞ୍ଚଳରେ ରାସ୍ତା ଓ କାନ୍ଥରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଏହାପୂର୍ବରୁ ଆଫ୍ରିକାର ଦକ୍ଷିଣ-ପଶ୍ଚିମରେ ଏକ ଭୂମିକମ୍ପ ହୋଇଥିଲା, ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୪.୯ ରହିଥିଲା । ସେହିପରି ଗୁଆମ ଦେଶରେ ମଧ୍ୟ ଭୂମିକମ୍ପ ହୋଇଥିଲା, ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୫ ରହିଥିଲା ।

Naxatra News is now on Whatsapp
Join and get latest news update delivered to you via whatsapp
Join Now