ଭୂସ୍ଖଳନରେ ଦୋହଲିଗଲା ସୁଡାନ। ଗୋଟିଏ ଗାଁ ପୁରା ମାଟିରେ ମିଶିଗଲା। ହଜାରେ ଲୋକଙ୍କ ମୃତ୍ୟୁ ହୋଇଛି। ଗାଁର କେବଳ ଜଣେ ଜୀବିତ ଅଛନ୍ତି। ସୁଡାନର ପଶ୍ଚିମକ୍ଷେତ୍ର ଦାରଫୁରରେ ଭୟଙ୍କର ଭୂସ୍ଖଳନରୁ ଏଭଳି ବଡ଼ ବିପତ୍ତି ଆସିଛି। ଦାରଫୁରରେ ଥିବା ମରା ପାହାଡ଼ ପାଦଦେଶରେ ଥିବା ତରାସିନ୍ ଗାଁ ପୁରା ଛାରଖାର ହୋଇଯାଇଛି। ଏହି କ୍ଷେତ୍ରକୁ ନିୟନ୍ତ୍ରଣ କରୁଥିବା ବିଦ୍ରୋହୀ ସମୂହ ସୁଡାନ ଲିବରସେନ ମୁଭମେଣ୍ଟ ଆର୍ମି କହିଛି, ସୋମବାର ବିଳମ୍ୱିତ ରାତିରେ ଏଭଳି ଭୂସ୍ଖଳନ ହୋଇଥିବା କଥା ସେମାନେ ଜାଣିବାକୁ ପାଇଥିଲେ। ଅଗଷ୍ଟ ମାସ ଶେଷ ଆଡ଼କୁ ଅନେକ ଦିନ ହେଲା ବର୍ଷା ଜାରି ରହିଛି। ରବିବାର ବିଳମ୍ୱିତ ରାତି ବେଳକୁ ଭୟଙ୍କର ଭୂସ୍ଖଳନ ହୋଇଥିଲା। ଗାଁ ପୁରା ମାଟିରେ ପୋତିହୋଇଯାଇଛି। ଶବକୁ ଉଦ୍ଧାର ଲାଗି ରେସକ୍ୟୁ ଅପରେସନ ଜାରି ରହିଛି। ଆଉ ଏଭଳି ଭୟଙ୍କର ବିପତ୍ତିର ମୁକାବିଲା ଲାଗି ଜାତିସଂଘ ଓ ଅନ୍ତରାଷ୍ଟ୍ରୀୟ ସହାୟତା ସମୂହକୁ ଅପିଲ୍ କରାଯାଇଛି। ସୁଡାନରେ ଏଭଳି ବଡ଼ ବିପତ୍ତି ଏମିତି ସମୟରେ ଆସିଛି। ଯେତିକିବେଳେ ଦେଶ ଗୃହଯୁଦ୍ଧର ବିଭୀଷିକା ସହ ଲଢ଼ୁଛି। ସୁଡାନର ସେନା ଓ ଅର୍ଦ୍ଧସୈନିକ ରାପିଡ୍ ସପୋର୍ଟ ଫୋର୍ସ ଭିତରେ ଲମ୍ୱା ସମୟ ଧରି ଉତ୍ତେଜନା ଲାଗି ରହିଛି। ଏପ୍ରିଲ ୨୦୨୩ରୁ ରାଜଧାନୀ ଖାର୍ତୁମ ଓ ଦେଶର ଅନ୍ୟ ଅଂଶରେ ଖୋଲା ଲଢ଼େଇ ଆରମ୍ଭ ହୋଇଯାଇଥିଲା। ଗୃହଯୁଦ୍ଧ ସହ ଭୋକରେ ଆଉଟୁପାଉଟୁ ହେଉଛନ୍ତି ଲୋକେ। ଦୀର୍ଘ ୨ ବର୍ଷ ହେଲା ଏମିତି ବିପତ୍ତିରେ ଘାରି ହେଉଥିବା ସୁଡାନକୁ ଭୂସ୍ଖଳନ ବିପତ୍ତି ଅଧିକ ଜଟିଳ କରିଦେଲାଣି। ସୁଡାନ ମୁଭମେଣ୍ଟର ନେତୃତ୍ୱ ଅବଦ୍ଦୁଲ ଓ୍ୱାହି ମହମ୍ମଦ ନୁର୍ ନେଉଛନ୍ତି। ଗୃହଯୁଦ୍ଧରୁ ବଞ୍ଚିବାକୁ ଉତ୍ତର ଦାରଫୁର ରାଜ୍ୟରୁ ବଡ଼ ସଂଖ୍ୟାରେ ଲୋକେ ମାରା ପାହାଡ଼ରେ ଶରଣ ନେଇଥିଲେ। ମାରା ପାହାଡ଼ ୧୬୦ କିଲୋମିଟର ଲମ୍ୱା ଜ୍ୱାଳାମୁଖୀ ପର୍ବତ ଶୃଙ୍ଖଳା ଅଟେ। ଯଦିଓ ଏଠାରେ ଖାଦ୍ୟ ସାମଗ୍ରୀ ଓ ଔଷଧର ମହଜୁଦର ମାତ୍ରା ବହୁ କମ୍ ଅଛି। ସୁଡାନରେ ଚଳିତ ବର୍ଷର ସବୁଠୁ ବଡ଼ ପ୍ରାକୃତିକ ବିପତ୍ତି ବୋଲି ଏହାକୁ କୁହାଯାଉଛି। ସୁଡାନରେ ସଂଘର୍ଷରେ ଆଜି ପର୍ଯ୍ୟନ୍ତ ୪୦ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ ଗଲାଣି। କୋଟିଏରୁ ବେଶୀ ଲୋକେ ବେଘର ହୋଇପଡ଼ିଲେଣି। ଦେଶର ଅନେକ ଜାଗାରେ ଅକାଳ ପଡ଼ିଛି। ଏହି ସଂଘର୍ଷ ପଛରେ ଜାତି ହିଂସା, ନରସଂହାର ଓ ଦୁଷ୍କର୍ମ ଭଳି ଗମ୍ଭୀର ଅପରାଧ ଘଟିଛି। ମାନବତା ବିରୁଦ୍ଧରେ ବଡ଼ ଅପରାଧ। ହେଲେ ସୁଡାନକୁ ପ୍ରାକୃତିକ ବିପତ୍ତି ବି ଘେରିଗଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now