ନରସିଂହଙ୍କ ପ୍ରସ୍ତାବିତ ବିଭିନ୍ନ ଗ୍ରାମ୍ୟରାସ୍ତା ହେଲା ଅନୁମୋଦନ, ଉନ୍ନତ ଗମନାଗମନ ଲୋକଙ୍କ ଅର୍ଥନୈତିକ ବିକାଶରେ ସହାୟକ ହୋଇଥାଏ – ନରସିଂହ

Spread the love

ବଲାଙ୍ଗିର : ବଲାଙ୍ଗିର ବିଧାୟକଙ୍କ ଦ୍ଵାରା ପ୍ରସ୍ତାବିତ ରାସ୍ତା ଗୁଡିକ ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ଅନୁମୋଦନ ପାଇଯାଇଛି ।

ଏଠାରେ ସୂଚନାଯୋଗ୍ୟ ଯେ, ନିଜ ନିର୍ବାଚନ ମଣ୍ଡଳିରେ ବଲାଙ୍ଗିର ବିଧାୟକ ଶ୍ରୀ ମିଶ୍ର ପ୍ରାୟତଃ ବିଭିନ୍ନ ପଂଚାୟତ ଓ ଗାଁ ବୁଲି ସମସ୍ୟା ଶୁଣିଥାନ୍ତି । ଲୋକଙ୍କ ସମସ୍ୟା ଶୁଣିଲା ପରେ ସେ ତତ୍ପରତାର ସହ ସେହି ବିଭାଗର ସମସ୍ୟା ଗୁଡିକ ବାବଦରେ ଉଚ୍ଚ ଅଧିକାରୀମାନଙ୍କ ସହ ଆଲୋଚନା କରି ଲୋକଙ୍କ ସମସ୍ୟା ଯେପରି ସମାଧାନ ହୋଇପାରିବ ସେ ଦିଗରେ ପଦକ୍ଷେପ ନେଇଥାନ୍ତି । ଏହି କ୍ରମରେ ସେ ନିଜ ନିର୍ବାଚନ ମଣ୍ଡଳିର ଉଭୟ ବ୍ଲକରେ ବିଭିନ୍ନ ପଂଚାୟତ ବୁଲିଲା ବେଳେ ସେଠାକାର ରାସ୍ତାର ଦୁରାବସ୍ଥା ବିଷୟରେ ଲୋକଙ୍କ ଠାରୁ ଅଭିଯୋଗ ଶୁଣିଥିଲେ ଏବଂ ସେହି ଗାଁ ତଥା ପଂଚାୟତ ରାସ୍ତା ଗୁଡିକର ଉନ୍ନତିକରଣ ଓ ନିର୍ମାଣ ନିମନ୍ତେ ସେଗୁଡିକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରାଯିବା ପଦକ୍ଷେପ ନିଆଯିବ ବୋଲି ଲୋକମାନଙ୍କୁ ପ୍ରତିଶୃତି ଦେଇଥିଲେ । ସେହି କ୍ରମରେ ଆଜି ନିଜ ନିର୍ବାଚନ ମଣ୍ଡଳିର ଅନ୍ତର୍ଗତ ବିଭିନ୍ନ ଅଂଚଳରେ ୫୦ ରୁ ଉର୍ଦ୍ଧ୍ଵ କି.ମି. ଗ୍ରାମ୍ୟ ରାସ୍ତା ଗୁଡିକ ଗ୍ରାମ୍ୟ ଉନ୍ନୟନ ବିଭାଗରୁ ହସ୍ତାନ୍ତର ଓ ରାସ୍ତା ନିର୍ମାଣ ପାଇଁ ଅନୁମୋଦନ ପାଇ ସାରିଛି । ସେ ରାସ୍ତା ଗୁଡିକ ହେଲା ମହଲେଇରୁ ବଗଡା ଉଚ୍ଚ ବିଦ୍ୟାଳୟ ଦେଇ ବାବିଯୋଗ, କୁଲିଆବାହାଲ ପଂଚାୟତ ସମିତି ରାସ୍ତା ୮ କି.ମି., ଲୁହାଖାନରୁ ଦେଷଣ୍ଢ ପୁର୍ତ୍ତ ବିଭାଗ ଛକ ଦେଇ କୁଗ୍ରିମହୁଲ ୭.୫ କି.ମି. ପଂଚାୟତ ରାସ୍ତା, ସାଗରପାଲି ଦେଓଗାଁ ରେଲୱେ ଷ୍ଟେସନ ଦେଇ ଚନ୍ଦ୍ରପୁରରୁ ଜରାସିଂହା ପର୍ଯ୍ୟନ୍ତ ୬ କି.ମି., ବଲାରପାଲି ଛକରୁ ଭିମଡୁଙ୍ଗୁରି କୁଦେଇମାଲ, ବନ୍ଧପାଲି ଏବଂ ଥାଳବନ୍ଧ ପଂଚାୟତ ସମିତି ରାସ୍ତା ପର୍ଯ୍ୟନ୍ତ ୭ କି.ମି., ପୁର୍ତ୍ତବିଭାଗ ମାଲପଡା ଛକରୁ କେନ୍ଦୁଘାଟ ଦେଇ ବଡବାହାଲ ରେଙ୍ଗାଲପଡା ପଂଚାୟତ ସମିତି ରାସ୍ତା ୭ କି.ମି., ଜାତୀୟ ରାଜପଥ ୨୦୧ ରୁ ବରକାନି ଖରସେଲ ଡୁଙ୍ଗୁରି ଦେଇ ଝାରମୁଣ୍ଡା ଏବଂ ଉଡାର ପର୍ଯ୍ୟନ୍ତ ୭ କି.ମି., ପୁର୍ତ୍ତ ବିଭାଗ ରାସ୍ତାରୁ ଚାନ୍ଦଲି ପାହାଡ ୫ କି.ମି., କୁଡାସିଂହା ସିରସ ଠାରୁ କୁତୁର୍ଲ୍ଲା ପର୍ଯ୍ୟନ୍ତ ୫ କି.ମି., ଗୌରଗୋଢ ଦେଇ ରତାଖଣ୍ଡି ଏବଂ କୁଲିଆବାହାଲ ବର୍ଲା ରାସ୍ତା ନିର୍ମାଣ ପାଇଁ ଅନୁମୋଦନ ପାଇଯାଇଛି । ଏହି ଅନୁମୋଦନ ପରେ ଏ ସମସ୍ତ ଅଂଚଳରେ ଦାବି ମୁତାବକ ଲୋକମାନଙ୍କର ଆଶା ପୁରଣ ହୋଇଥିବାରୁ ସେ ଅଂଚଳର ଲୋକେ ଏ ରାସ୍ତା ଗୁଡିକରୁ ନିଜର ଅର୍ଥନୈତିକ ବିକାଶ କରିପାରିବେ ବୋଲି ବିଧାୟକ ଶ୍ରୀ ମିଶ୍ର ଜରାସିଂହା ଠାରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ଲୋକମାନଙ୍କୁ କହିଥିଲେ । ଗତକାଲି ବିଧାୟକ ଶ୍ରୀ ମିଶ୍ର ନିଜର ଜରାସିଂହା ଗସ୍ତ ସମୟରେ ସେଠାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଗୁଡିକ ଯଥା ପଥେଇ ଦୁର୍ଗା ମଣ୍ଡପ, ଶାନ୍ତିପଡା କ୍ଲବ ଉନ୍ନତିକରଣର ଉଦ୍ଘାଟନ ଅବସରରେ ଲୋକମାନଙ୍କୁ ଏ ସମସ୍ତ ରାସ୍ତା ଗୁଡିକ ନିର୍ମାଣ ପାଇଁ ଅନୁମୋଦନ ଆସିଯାଇଥିବା ସୂଚନା ଦେଇଥିଲେ ।

ଜରାସିଂହା ଗସ୍ତ ସମୟରେ ବିଧାୟକଙ୍କ ସହ ଦୁର୍ଗା ପ୍ରସାଦ ସିଂଦେଓ, ଅମିତ ତ୍ରିପାଠି, ନରସିଂହ ଦଣ୍ଡସେନା, ଦୁର୍ଯ୍ୟଧନ ମେହେର, କରୁଣା ମେହେର, ଅଂଶୁମାନ କର୍ତ୍ତି, ପ୍ରମୋଦ ସିଂ ନିନା, ଅନ୍ତ ବେହେରା, ବୃନ୍ଦାବନ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *