ଆଦାନୀ-ହିଣ୍ଡେନବର୍ଗ ପ୍ରସଙ୍ଗ: କମିଟି ଗଢିଲେ ସର୍ବୋଚ୍ଚ ନ୍ୟାୟାଳୟ

Spread the love

() ଆଦାନୀ-ହିଣ୍ଡେନବର୍ଗ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଚାଲିଥିବା ମାମଲାରେ ବିଶେଷଜ୍ଞ କମିଟି ଗଠନ ସମ୍ପର୍କିତ ରାୟ ପ୍ରକାଶ ପାଇଛି। ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଅଭୟ ମନୋହର ସାପ୍ରେଙ୍କ ନେତୃତ୍ୱରେ ଗଠିତ କମିଟିରେ ୫ ଜଣଙ୍କୁ ସ୍ଥାନ ଦେଇଛନ୍ତି ସୁପ୍ରିମକୋର୍ଟ। ସେବି ୨ ମାସ ଭିତରେ ତଦନ୍ତ ସାରି ରିପୋର୍ଟ ଉପସ୍ଥାପନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି କମିଟି ବି ଜଉମୁଦ ଲଫାଫାରେ ଏହାର ରିପୋର୍ଟ ୨ ମାସ ଭିତରେ ଦାଖଲ କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି।

ଆଦାନୀ-ହିଣ୍ଡେନବର୍ଗ ମାମଲାରେ ସୁପ୍ରିମକୋର୍ଟ ଆଜି ୬ ଜଣିଆ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ଷ୍ଟକ୍ ବଜାର ନିୟାମକ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ବିଶେଷଜ୍ଞ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟ ପ୍ରସ୍ତାବ ଦେଇଥିଲେ। ସରକାର ବି ଏହାକୁ ଗ୍ରହଣ କରିଥିଲେ। କିନ୍ତୁ କମିଟି ସଦସ୍ୟଙ୍କ ନାଁକୁ ଜଉମୁଦ ଲଫାଫାରେ ଦେବାକୁ ସରକାର ଅନୁରୋଧ କରିଥିବାରୁ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ୱାଇ.ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଥିଲେ କି, ସରକାର କଅଣ ସୁପାରିଶ କରିଛନ୍ତି ଓ  କମିଟିରେ କିଏ ଅଛନ୍ତି, ତାକୁ ସବୁ ପକ୍ଷ ଜାଣିବା ଦରକାର। ଯଦି ବନ୍ଦ ଲଫାଫାରେ ପରାମର୍ଶକୁ ସୁପ୍ରିମକୋର୍ଟ ଗ୍ରହଣ କରନ୍ତି, ତେବେ ଏହା ସରକାରଙ୍କ ଦ୍ୱାରା ନିଯୁକ୍ତ କମିଟି ଭାବେ ବିବେଚିତ ହେବ। ଏକ ପ୍ରକାର ଧାରଣା ସୃଷ୍ଟି ହେବ ଯେ, ସରକାରଙ୍କ କମିଟିକୁ ଅଦାଲତ ଗ୍ରହଣ କରିନେଇଛନ୍ତି। ନିବେଶକଙ୍କ ସ୍ୱାର୍ଥ ସୁରକ୍ଷା ସହ ସମ୍ପୂର୍ଣ୍ଣ ପାରଦର୍ଶିତା ସହ ସେମାନଙ୍କ ମଧ୍ୟରେ ଆସ୍ଥା ସୃଷ୍ଟି କରିବାକୁ ସେଥିଲାଗି ନିଜେ କମିଟି ଗଠନ କରିବାକୁ କହିଥିଲେ ଅଦାଲତ। ଆଉ ଏହି କମିଟି ନିଶ୍ଚୟ ଅନ୍ୟ କମିଟିରୁ ଅଧିକ ଭରସା ଓ ଗ୍ରହଣଯୋଗ୍ୟ ହେବ ବୋଲି ଭରସା ବି ଦେଇଥିଲେ ସୁପ୍ରିମକୋର୍ଟ। ତେବେ ସର୍ବୋଚ୍ଚ ଅଦାଲତର କୌଣସି ବିଚାରପତି ଏହି କମିଟିରେ ରହିବେନି ବୋଲି ସ୍ପଷ୍ଟ କରିଦେଇଥିଲେ ସିଜେଆଇ। ଆଉ ଏହି ପରିପ୍ରେକ୍ଷୀରେ ଆଜି ସୁପ୍ରିମକୋର୍ଟ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଅଭୟ ମନୋହର ସାପ୍ରେଙ୍କ ନେତୃତ୍ୱରେ ବିଶେଷଜ୍ଞ କମିଟି ଗଠନ ହୋଇଛି। କମିଟିରେ ଓପି ଭଟ୍ଟ, ଜଷ୍ଟିସ ଜେପି ଦେବଦତ୍ତ, କେଭି କାମାଥ, ନନ୍ଦନ ନିଲେକାନୀ ଓ ସୋମଶେଖରନ ସୁନ୍ଦରେସାନ ଅଛନ୍ତି। ସିଜେଆଇ ଚନ୍ଦ୍ରଚୂଡ଼ କହିଛନ୍ତି କି, ସେବି ବି ୨ ମାସ ଭିତରେ ତଦନ୍ତ ସାରିବ। ତଦନ୍ତର ଅଗ୍ରଗତି ବାବଦରେ ବିଶେଷଜ୍ଞ କମିଟିକୁ ବି ଅବଗତ କରାଇବ। ଆଉ ତଦନ୍ତ ରିପୋର୍ଟ ଅଦାଲତରେ ଦାଖଲ କରିବ। ବିଶେଷଜ୍ଞ କମିଟି ବି ସିଲଡ କଭରରେ ୨ ମାସ ଭିତରେ ତଦନ୍ତ ସାରି କୋର୍ଟରେ ରିପୋର୍ଟ ଦାଖଲ କରିବ। ଅବଶ୍ୟ ସେବିର ସ୍ୱାଧୀନତା ଉପରେ ବିଶେଷଜ୍ଞ କମିଟି ହାମି ହେବନି ବୋଲି ସ୍ପଷ୍ଟ କରିଦେଇଛନ୍ତି ସିଜେଆଇ। ସିକ୍ୟୁରିଟି କଣ୍ଟ୍ରାକ୍ଟ ରେଗୁଲେନସ ରୁଲ୍ସ ୧୯ର ଉଲ୍ଲଂଘନ ହୋଇଛି କି ନାହିଁ, ଷ୍ଟକ ପ୍ରାଇଜରେ କୌଣସି ଚଞ୍ଚକତା ହୋଇଛି କି ନାହିଁ ଏ ସବୁ ଦିଗକୁ ଅନୁଧ୍ୟାନ କରିବ ସେବି। ସେପଟେ ବିଶେଷଜ୍ଞ କମିଟି ମୁଖ୍ୟତଃ ୪ଟି ଦିଗ ଉପରେ ତଦନ୍ତ କରିବ। ନିକଟ ଅତୀତରେ ନିବେଶକଙ୍କ ବିପୁଳ କ୍ଷତି ସମ୍ପର୍କରେ ଅନୁଧ୍ୟାନ କରିବ। ଷ୍ଟକ ବଜାରରେ ହୋଇଥିବା ହଇଚଇକୁ ନେଇ ବାସ୍ତବତାକୁ ଅନୁଶୀଳନ କରିବ। ନିବେଶକଙ୍କ ଭିତରେ ସଚେତନତା ବୃଦ୍ଧି କରିବ। ଆଦାନୀ ଗ୍ରୁପ ଓ ଅନ୍ୟାନ୍ୟ କମ୍ପାନୀରେ ନିବେଶକ ନିୟମ ମୁତାବକ ନିବେଶ କରିଛନ୍ତି କି ନାହିଁ। ଏଥିରେ ନିୟାମକ ବ୍ୟବସ୍ଥାର କୌଣସି ନିୟମର ଉଲ୍ଲଂଘନ ହୋଇଛି କି ନାହିଁ। ସର୍ବୋପରି ନିବେଶକଙ୍କ ସୁରକ୍ଷା ଓ ସ୍ୱାର୍ଥ ସକାଶେ ଷ୍ଟକ୍ ବଜାର ନିୟାମକ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ କି ପଦକ୍ଷେପ ନିଆଯାଇପାରିବ। ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ପିଏସ ନରସିଂହା ଓ ଜେବି ପର୍ଦ୍ଦିଓ୍ୱାଲାଙ୍କ ଖଣ୍ଡପୀଠ ଏହା ବି ସ୍ପଷ୍ଟ କରିଦେଇଛନ୍ତି ଯେ, ସେବି ଏହି ଘଟଣାକୁ ଛାନଭିନ୍ କରୁଛି। ସେବି ଏହାର ତଦନ୍ତ ଜାରି ରଖିବ। ବିଶେଷଜ୍ଞ କମିଟିକୁ ସମସ୍ତ ଆବଶ୍ୟକୀୟ ସୂଚନା ସେବିର ଅଧ୍ୟକ୍ଷ ଯୋଗାଇଦେବେ। କେନ୍ଦ୍ର ସରକାରଙ୍କ ଏଜେନ୍ସି ବି କମିଟିକୁ ଭରପୁର ସହଯୋଗ କରିବେ। ନିଜ କାମ ଲାଗି ବିଶେଷଜ୍ଞ କମିଟି ବାହ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଲୋଡ଼ିପାରିବେ। କମିଟି ସଦସ୍ୟଙ୍କ ପାଉଣା କମିଟି ଅଧ୍ୟକ୍ଷଙ୍କ ଦ୍ୱାରା ସ୍ଥିର ହେବ ଓ ଯାହାକୁ ଭରଣା କରିବେ କେନ୍ଦ୍ର ସରକାର। କେନ୍ଦ୍ର ଅର୍ଥମନ୍ତ୍ରୀ ଜଣେ ବରିଷ୍ଠ ଅଧିକାରୀଙ୍କୁ ନୋଡାଲ ଅଫିସର ଭାବେ ନିୟୋଜିତ କରିବେ। ଯିଏ କମିଟିକୁ ସବୁପ୍ରକାର ଲଜିଷ୍ଟିକ୍ ସହାୟତା ଯୋଗାଇଦେବ। ଆଦାନୀ ଗ୍ରୁପର ଷ୍ଟକ ହେରଫେର  ଓ ଆର୍ଥିକ ଅନିୟମିତତା ସମ୍ପର୍କିତ ରିପୋର୍ଟ ହିଣ୍ଡେନବର୍ଗ ପ୍ରକାଶିତ କରିଥିଲା। ଏଥିରେ ଆଦାନୀ ସାମ୍ରାଜ୍ୟ ଦୋହଲିଯାଇଥିଲା। ନିବେଶକଙ୍କ ବିପୁଳ କ୍ଷତି ହୋଇଥିଲା। ଏହାକୁ ନେଇ ସଡ଼କରୁ ନେଇ ସଂସଦ ହୁଲସ୍ତୁଲ ହୋଇଥିଲା। ଜେପିସି ତଦନ୍ତ ନଚେତ୍ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଗଠିତ କମିଟି ଏହାର ଯାଞ୍ଚ କରୁ ଦାବିରେ ଅଡ଼ି ବସିଥିଲେ ବିରୋଧୀ। କିନ୍ତୁ ଏହାକୁ ଗ୍ରହଣ କରିନଥିଲେ ସରକାର। ଏହାକୁ ନେଇ ସୁପ୍ରିମକୋର୍ଟରେ ପହଞ୍ଚିଥିଲା ମାମଲା। କଂଗ୍ରେସ ନେତା ଜୟା ଠାକୁର ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ। ଆଦାନୀ ଗ୍ରୁପର ହେରଫେର ସମ୍ପର୍କିତ ପ୍ରସଙ୍ଗ ସହ ଆଦାନୀରେ ଏସବିଆଇ ଓ ଏଲଆଇସି ପୁଞ୍ଜି ନିବେଶକୁ ନେଇ ପ୍ରଶ୍ନବାଚୀ ଆଙ୍କିଥିଲେ।  ହିଣ୍ଡେନବର୍ଗ ରିସର୍ଚ୍ଚର ପ୍ରତିଷ୍ଠାତା ନାଥନ ଆଣ୍ଡେରସନ ଓ ତାଙ୍କ ସହଯୋଗୀଙ୍କ ବିରୁଦ୍ଧରେ ଏତଲା ରୁଜୁ କରିବାକୁ ଓକିଲ ମନୋହର ଲାଲ ଶର୍ମା ସୁପ୍ରିମକୋର୍ଟରେ ମାମଲା କରିଥିଲେ। ସେବି ଓ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏତଲା କରୁ ବୋଲି କୋର୍ଟ ନିର୍ଦେଶ ଦିଅନ୍ତୁ ବୋଲି ଜନସ୍ୱାର୍ଥ ମାମଲା କରିଥିଲେ। ଅନ୍ୟତମ ଓକିଲ ବିଶାଳ ତିଓ୍ୱାରୀ ବି ହିଣ୍ଡେନବର୍ଗ ରିପୋର୍ଟ ଉପରେ ଏକ ତଦନ୍ତ ହେଉ ବୋଲି ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ। ଏହି ତଦନ୍ତ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ କମିଟି କରୁ।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *