ସେବା ନା ବ୍ୟବସାୟ : ଜଷ୍ଟିସ ଏନ.ଭି.ରମଣା

ନୂଆଦିଲ୍ଲୀ: ସେବା ପାଇଁ ହସ୍ପିଟାଲ ନୁହେଁ। ବରଂ ଅଧିକରୁ ଅଧିକ କିଭଳି ଲାଭ ହେବ, ତାକୁ ଫୋକସ୍ କରାଯାଉଛି। ହସ୍ପିଟାଲଗୁଡିକ କମ୍ପାନୀ ଭଳି ଦୌଡ଼ୁଛନ୍ତି। ସ୍ୱାସ୍ଥ୍ୟସେବାକୁ କର୍ପୋରେଟ ଷ୍ଟାଇଲ୍ କରିଦିଆଗଲାଣି। ଆଉ କେହି ନୁହେଁ। ଦେଶର ଅନେକ ଘରୋଇ ଓ କର୍ପୋରେଟ ହସ୍ପିଟାଲର ସ୍ୱାସ୍ଥ୍ୟସେବାକୁ ନେଇ ଏଭଳି କ୍ଷୋଭ ଝାଡ଼ିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି.ରମଣା। ଦିଲ୍ଲୀର ନାସନାଲ ଏକାଡେମୀ ଅଫ ମେଡିକାଲ ସାଇନ୍ସରେ ଆୟୋଜିତ ଆଇନ ଓ ଔଷଧ ସମ୍ପର୍କିତ କର୍ମଶାଳାର ଉଦଘାଟନ ଅବସରରେ ଏ କଥା କହିଛନ୍ତି ଜଷ୍ଟିସ ରମଣା। ଭାରତରେ କ୍ୱାକ୍ ଙ୍କ ସଂଖ୍ୟା ବଢ଼ିଛି। ଯେତେବେଳେ ସଚେତନତା ନଥିବ, ସେତେବେଳେ କ୍ୱାକ୍ ଙ୍କ ପ୍ରାଦୁର୍ଭାବ ବଢ଼େ। ଭାରତରେ କ୍ୱାକ୍ ଚିକିତ୍ସା ସବୁଠୁ ବଡ଼ ରୋଗ ଯିଏ ବହୁ ମାତ୍ରାରେ କବଳିତ କରିଛି। ଅଧିକାଂଶ ଲୋକ ଏଭଳି ଅନ୍ଧ ଓ ମିଛ ଚିକିତ୍ସା ଉପରେ ନିର୍ଭର କରୁଛନ୍ତି। ବିଶେଷ କରି ଗ୍ରାମାଞ୍ଚଳ ଓ ଦୁର୍ବଳ ବର୍ଗଙ୍କ ଭିତରେ ଗୁଣିଗାରେଡ଼ି, ଚେଙ୍କ ଭଳି ଅନ୍ଧବିଶ୍ୱାସ ଏତେ ମାତ୍ରାରେ ଭରିଛି ଯେ, ଗାଁ ଗାଁରେ ମିଛ ଡାକ୍ତରଙ୍କ ସଂଖ୍ୟା ବି ଏହାକୁ ତାଳ ଦେଇ ବଢ଼ିଚାଲିଛି। ଯେଉଁମାନେ ମିଛ ଡିଗ୍ରୀ ଆଣି ଡାକ୍ତର ସାଜି ଲୋକଙ୍କ ଜୀବନ ସହ ଖେଳୁଛନ୍ତି। ନକଲି ଡାକ୍ତରଙ୍କ ଭଳି ଘରୋଇ ହସ୍ପିଟାଲ ଛତୁ ଫୁଟିଲା ଭଳି ହେଲାଣି ବୋଲି କହିଛନ୍ତି ଜଷ୍ଟିସ ରମଣା। ଅଧିକରୁ ଅଧିକ ଘରୋଇ ହସ୍ପିଟାଲ ହେଉ। ଏହା ମନ୍ଦ ନୁହେଁ। କିନ୍ତୁ ଏଥିରେ କିଛି ବାଲାନ୍ସ ଓ ଚେକମେଟ୍ ବି ରହିବା ଜରୁରୀ। ହସ୍ପିଟାଲଗୁଡ଼ିକ କମ୍ପାନୀ ଭଳି କାମ କରୁଛନ୍ତି। ସେମାନଙ୍କ ଲାଗି ପ୍ରଫିଟ୍ ଅଧିକ ମାଏନା ରଖୁଛି। ରୋଗୀ ସେବା ନୁହେଁ। ଏଥିଲାଗି ତ ହସ୍ପିଟାଲ ଓ ଡାକ୍ତର ଉଭୟ ରୋଗୀର ଦୁର୍ଦ୍ଦଶା କି ଆର୍ଥିକ ପରିସ୍ଥିତି ପ୍ରତି ଏତେଟା ସମ୍ୱେଦନଶୀଳ ହୋଇନଥାଆନ୍ତି। ସେମାନଙ୍କ ଲାଗି ରୋଗୀ କେବଳ ନମ୍ୱର। ଏହି ଟ୍ରେଣ୍ଡ୍ ମନମୁଖୀ ଓ ଲାଭଖୋର ମନୋଭାବକୁ ପ୍ରଶ୍ରୟ ଦେବାରେ ସହାୟକ ହେଉଛି, ଯାହାକି ବିଡ଼ମ୍ୱନା ବୋଲି କହିଛନ୍ତି ପ୍ରଧାନ ବିଚାରପତି। ସବୁଠୁ ହୃଦୟ ବିଦାରକ କଥା ହେଉଛି କି, ଅର୍ଥ ଲାଗି ଶବ ବି ବନ୍ଧା ପଡ଼ୁଛି ହସ୍ପିଟାଲରେ। ବାରମ୍ୱାର ନେହୁରା ସତ୍ତ୍ୱେ ରୋଗୀଙ୍କୁ ଜରୁରୀକାଳୀନ ଚିକିତ୍ସା ଯୋଗାଉନାହାନ୍ତି ଅନେକ ହସ୍ପିଟାଲ୍। କୋଭିଡ୍ ସମୟରେ ଡାକ୍ତରଙ୍କୁ ଅନେକ ସ୍ଥାନରେ ଆକ୍ରମଣ ଘଟଣା ନିନ୍ଦନୀୟ ବୋଲି କହିଛନ୍ତି ଜଷ୍ଟିସ ରମଣା। ଡାକ୍ତରଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଜରୁରୀ। କାମ କରିବାକୁ ଅନୁକୂଳ ପରିବେଶ ଓ ସକରାତ୍ମକ ଭିତ୍ତିଭୂମି ଯୋଗାଇବା ଜରୁରୀ।

ପ୍ରଦୀପ ନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *