ବହୁ ବିବାଦ ସତ୍ତ୍ବେ ଜଷ୍ଟିସ ଚନ୍ଦ୍ରଚୂଡ ହେବେ ପରବର୍ତ୍ତୀ ସିଜେଆଇ

Spread the love

() ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ଡିଓ୍ୱାଇ ଚନ୍ଦ୍ରଚୂଡ଼। ତେବେ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ଲାଗି ଆଗକୁ ଯେତିକି ଆହ୍ୱାନ ରହିଛି। ତାଙ୍କ ନିଯୁକ୍ତିକୁ ତାଳ ଦେଇ ବିବାଦ ବି ସମାନ୍ତରାଳ ଭାବେ ମୁଣ୍ଡ ଟେକିଥିଲା। କ୍ଷମତାର ଦୁରୁପଯୋଗ ଭଳି ସଙ୍ଗୀନ ଅଭିଯୋଗ ଆଣି ଛନ୍ଦି ଦିଆଯାଇଥିଲା ବିବାଦରେ। କିନ୍ତୁ ବାର୍ କାଉନସିଲ ଅଫ ଇଣ୍ଡିଆ ଚଟାଣ ଭଳି ଚନ୍ଦ୍ରଚୂଡ଼ଙ୍କ ସପକ୍ଷରେ ଛିଡ଼ାହୋଇଛି।

ଆସନ୍ତା ୨ ବର୍ଷ ଭିତରେ ଅର୍ଥାତ୍‌ ଚଳିତ ମାସରୁ ସେପ୍ଟେମ୍ୱର ୨୦୨୪ ଭିତରେ, ୧୮ ବିଚାରପତି ପଦବୀ ଖାଲି ହେବାକୁ ଯାଉଛି। ଚଳିତ ବର୍ଷ ସୁପ୍ରିମକୋର୍ଟରୁ ୪ ବିଚାରପତି ଅବସର ନେବେ। ସର୍ବୋଚ୍ଚ ଅଦାଲତରେ ମଞ୍ଜୁରୀପ୍ରାପ୍ତ ବିଚାରପତି ସଂଖ୍ୟା ୩୪ ଥିଲା ବେଳେ ଏବେ ୨୯ ଜଣ ବିଚାରପତି ଅଛନ୍ତି। ଯେହେତୁ ସୁପ୍ରିମକୋର୍ଟ କଲେଜିୟମ ନୂଆ ନିଯୁକ୍ତି ଉପରେ ଅଙ୍କୁଶ ଲଗାଇଛି, ସେଥିଲାଗି ପରବର୍ତ୍ତୀ ତଥା ନୂଆ ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ୱାଇ.ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ କଲେଜିୟମ ଲାଗି ବିଚାରପତି ପଦ ପୂରଣ କରିବା ବଡ଼ ଟାସ୍କ ସାଜିବ। ତାଙ୍କ କାର୍ଯ୍ୟକାଳର ଦୁଇ ବର୍ଷ ଭିତରେ ତାଙ୍କ ନେତୃତ୍ୱରେ ଗଠିତ କଲେଜିୟମକୁ ଖାଲି ପଡ଼ିବାକୁ ଯାଉଥିବା ୧୮ ବିଚାରପତି ପଦବୀ ପୂରଣ କରିବାକୁ ପଡ଼ିବ।

୧୪ ବିଚାରପତି ପଦବୀ ଖାଲି ଭିତରେ ଚଳିତ ବର୍ଷ ଦୁଇ ଜଣ, ୨୦୨୩ରେ ୯ ଜଣ ଓ ୨୦୨୪ରେ ୩ ଜଣ ଅବସର ନେବାକୁ ଯାଉଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ୟୁ.ୟୁ ଲଳିତଙ୍କ ସମେତ ଆଉ ଜଣେ ବିଚାରପତିଙ୍କ ଅବସର ପରେ ଆସନ୍ତା ମାସରେ ସୁପ୍ରିମକୋର୍ଟରେ ବିଚାରପତି ସଂଖ୍ୟା ୨୭କୁ ଖସିଯିବ। ଏମିତିରେ ସିଜେଆଇ ଜଷ୍ଟିସ ଲଳିତଙ୍କ ନେତୃତ୍ୱାଧୀନ କଲେଜିୟମରେ ଅନ୍ୟତମ ସଦସ୍ୟ ଥାଇ ବି ବିନା ବିଚାରବିମର୍ଶରେ ବିଚାରପତି ନିଯୁକ୍ତି ସମ୍ପର୍କିତ ସୁପାରିଶକୁ ନେଇ ଆପତ୍ତି ଉଠାଇ ଜଷ୍ଟିସ ଚନ୍ଦ୍ରଚୂଡ଼ ଚର୍ଚ୍ଚାର ପରିଧିକୁ ଆସିସାରିଛନ୍ତି।

ସେପଟେ ଜଷ୍ଟିସ ଚନ୍ଦ୍ରଚୂଡ଼ ନିଜ ପଦବୀର ଦୁରୁପଯୋଗ କରି ନିଜ ପୁଅକୁ ଅହେତୁକ ଫାଏଦା ଦେଇଥିବା ନେଇ ଗୁରୁତର ଅଭିଯୋଗ ଆସିଛି। ସୁପ୍ରିମକୋର୍ଟ ଆଣ୍ଡ ହାଇକୋର୍ଟ ଲିଟିଗାଣ୍ଟ ଆସୋସିଏସନର ସଭାପତି ଭାବରେ ଅଭିଯୋଗକାରୀ ରସିଦ ଖାନ୍ ପଠାନ୍ ଅଭିଯୋଗ କରିଛନ୍ତି କି, ବମ୍ୱେ ହାଇକୋର୍ଟରେ ଏକ ମାମଲାରେ ତାଙ୍କ ପୁଅ ଅଭିନବ ଚନ୍ଦ୍ରଚୂଡ଼ ଯେଉଁଠି ଜଣେ ଆଇନଜୀବୀ ହିସାବରେ ଲଢୁଥିଲେ, ସେ ମାମଲାରେ ତାଙ୍କ ମହକିଲ ସପକ୍ଷରେ ଅର୍ଡର ପାସ୍ କରିଛନ୍ତି ତାଙ୍କ ବାପା ତଥା ଜଷ୍ଟିସ ଚନ୍ଦ୍ରଚୂଡ଼। ମାମଲାଟି ଅର୍ଥ ହେରଫେର ସମ୍ପର୍କିତ ଥିଲା।

ଅଭିଯୁକ୍ତ ସାଗର ସୂର୍ଯ୍ୟବଂଶୀ ଓ ଶୀତଲ ତେଜଓ୍ୱାନିଙ୍କ ଲାଗି ଲଢ଼ୁଥିଲେ ଅଭିନବ ଚନ୍ଦ୍ରଚୂଡ଼। ଉଭୟ ବାପ ପୁଅ ଅନ୍ୟ ପିଟିସନ ଦାଖଲକାରୀ ଓ ଏପରିକି ହାଇକୋର୍ଟ ଉପରେ ବି ଚାପ ପକାଇଥିବାର ଅଭିଯୋଗ ଆଣିଥିଲେ ପଠାନ୍। ଏପରିକି ରହିତାଦେଶ ଉଠାଇଦେବାକୁ କୁଆଡେ ରାଜ୍ୟ ସରକାର ବମ୍ୱେ ହାଇକୋର୍ଟରେ ପିଟିସନ ଦାୟର କରିଛନ୍ତି ଆଉ ବମ୍ୱେ ହାଇକୋର୍ଟ ସେଥିଲାଗି ଅଭିଯୋଗକାରୀଙ୍କ କଥା ଶୁଣୁନାହାନ୍ତି ବୋଲି ମିଛ ଓ ଜାଲି ପିଟିସନ ପଡ଼ିଥିଲା।

ବାସ୍ତବରେ କହିବାକୁ ଗଲେ ରାଜ୍ୟ ସରକାର କୌଣସି ଆବେଦନ କରିନାହାନ୍ତି କି ସୁପ୍ରିମକୋର୍ଟକୁ ବି ଯାଇନାହାନ୍ତି। କିନ୍ତୁ ଏହା ସତ୍ତ୍ୱେ କେମିତି ସୁପ୍ରିମକୋର୍ଟରେ ମାମଲା ପହଞ୍ଚିଲା। ତା ପୁଣି ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠରେ ଏହାର ଶୁଣାଣୀ ହେଲା ଓ ଯେଉଁ ଆବେଦନର କୌଣସି ଆଧାର ନାହିଁ, ତା ଉପରେ ବିଚାର ବି ହେଲା କହି ଅଭିଯୋଗକାରୀ ଅଙ୍ଗୁଳି ଉଠାଇଛନ୍ତି।

ନଭେମ୍ୱର ୨୯, ୨୦୨୧ରେ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠରେ ଏହାର ଶୁଣାଣୀ ହୋଇଥିଲା। ଆଉ ପୂର୍ବ ପ୍ରାୟୋଜିତ ଷଡ଼ଯନ୍ତ୍ରର ଅଂଶବିଶେଷ ହେତୁ ରାଜ୍ୟ ସରକାରଙ୍କର କାଉନସେଲରଙ୍କୁ ନାଁ ପକ୍ଷ ରଖିବାକୁ ଡକାଗଲା ନା ପ୍ରତିପକ୍ଷଙ୍କୁ କୌଣସି ନୋଟିସ୍ କରାଗଲା। ଆଉ ନିଜ ପୁଅର ମହକିଲ ସପକ୍ଷରେ ଜଷ୍ଟିସ ଚନ୍ଦ୍ରଚୂଡ଼ ରାୟ ଦେଇଥିଲେ ବୋଲି ଅଭିଯୋଗକାରୀ ପଠାନ୍ ଅଙ୍ଗୁଳି ନିର୍ଦେଶ କରିଛନ୍ତି।

କନଫ୍ଲିକ୍ଟ ଅଫ ଇଣ୍ଟେରେଷ୍ଟ ଆଧାରରେ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ନାଁ ପରବର୍ତ୍ତୀ ସିଜେଆଇ ଭାବରେ ସୁପାରିଶ ନ କରିବାକୁ ଏବେକାର ପ୍ରଧାନ ବିଚାରପତି ଜଷ୍ଟିସ ଲଳିତଙ୍କୁ ବି ଅନୁରୋଧ କରିଥିଲେ ଅଭିଯୋଗକାରୀ ରସିଦ୍ ପଠାନ୍। କେବଳ ଏତିକି ନୁହେଁ, ଜଷ୍ଟିସ ଚନ୍ଦ୍ରଚୂଡ଼ ୟୁଏସ ଗ୍ରୀନକାର୍ଡ ହାତେଇଥିବା ଅଭିଯୋଗ ହୋଇଛି। ମାଇକ୍ରୋ ବ୍ଲଗିଂ ସାଇଡପେ ଇନ୍ଦ୍ରା ବାଜରା ନାମକ ବ୍ୟକ୍ତି ଟ୍ୱିଟରରେ ଏହି ଅଭିଯାଗ ଆଣି ଏହା କଅଣ କନଫ୍ଲିକ୍ଟ ଅଫ ଇଣ୍ଟେରେଷ୍ଟର ସ୍ପଷ୍ଟ ମାମଲା ନୁହେଁ କି ବୋଲି ପଚାରିଛନ୍ତି।

ସେପଟେ ଜଣେ ବିବାହିତା ମହିଳା ନିଜ ଇଛା ମୁତାବକ ବାହାରର କୌଣସି ବ୍ୟକ୍ତି ସହ ଯୌନସମ୍ୱନ୍ଧ ରଖିପାରେ ବୋଲି ଜଷ୍ଟିସ ଚନ୍ଦ୍ରଚୂଡ଼ ଦେଇଥିବା ଏକ ରାୟକୁ ନେଇ ବିଦାବ ଓ ବିତର୍କର ପାହାଡ଼ ବି ଛିଡ଼ା ହୋଇଥିଲା। ଏଥିଲାଗି ସ୍ୱାମୀର କୌଣସି ସହମତି ଲୋଡ଼ିବା ଆବଶ୍ୟକ ନାହିଁ। ଜଣେ ମହିଳାଙ୍କ ଯୌନସମ୍ପର୍କ ଉପରେ ସ୍ୱାମୀର ଏକଚାଟିଆ ଅଧିକାର ନାହିଁ। ଏହାକୁ ନେଇ ସୋସିଆଲ ମିଡ଼ିଆରେ ଜୋରଦାର ଶାଣିତ ଟାର୍ଗେଟ କରାଯାଇଥିଲା ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କୁ।

ସେପେଟ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ବିରୁଦ୍ଧରେ କନଫ୍ଲିକ୍ଟ ଅଫ ଇଣ୍ଟରେଷ୍ଟକୁ ନେଇ ଉଠିଥିବା ସମସ୍ତ ଅଭିଯୋଗକୁ ଭିତ୍ତିହୀନ ବୋଲି ଦର୍ଶାଇଛି ବାର୍ କାଉନସିଲ୍ ଅଫ ଇଣ୍ଡିଆ। ଜଷ୍ଟିସ ଚନ୍ଦ୍ରଚୂଡ଼ ଭାରତର ନାଗରିକ। କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ନ୍ୟାୟିକ ପ୍ରଶାସନରେ ଅଯଥା ହସ୍ତକ୍ଷେପ କରି ନ୍ୟାୟାଳୟରେ ଥିବା ସ୍ୱଛତାକୁ କଳୁଷିତ କରିବାରେ ବ୍ୟସ୍ତ। ଯେତେବେଳେ ପରବର୍ତ୍ତୀ ପ୍ରଧାନ ବିଚାରପତି ଦୌଡ଼ରେ ଜଷ୍ଟିସ ଚନ୍ଦ୍ରଚୂଡ଼ ଥିବା ଜଣାପଡ଼ିଲା, ସେତେବେଳେ ନାନା ମିଛ ଆରୋପ ଲଦି ତାଙ୍କ ଛବିକୁ ମଳିନ କରିବାକୁ କେତେକଙ୍କ ଚକ୍ରାନ୍ତ ବୋଲି କହିଛି ବାର୍ କାଉନସିଲ ଅଫ ଇଣ୍ଡିଆ।

ଏପରିକି ନିଜ ପୁଅ ଉକ୍ତ ମାମଲାରେ ଲଢ଼ୁଥିବା କଥା ବି ଜାଣିନଥିଲେ ଜଷ୍ଟିସ ଚନ୍ଦ୍ରଚୂଡ଼। କେବଳ ଶସ୍ତା ପ୍ରଚାର ଲାଗି ଉଦ୍ଦିଷ୍ଟ ଏଭଳି ଭିତ୍ତିହୀନ ଅଭିଯୋଗ। ଆଇନଜୀବୀ ରସିଦ ଖାନ୍ ପଠାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ ଆକ୍ସନ ଲାଗି ସୁପାରିଶ କରିବା ସହ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ଭଳି ଜ୍ଞାନୀ, ସ୍ୱଛ ଓ ମର୍ଯ୍ୟାଦାସମ୍ପନ୍ନ ବ୍ୟକ୍ତିତ୍ୱଙ୍କ ସାଙ୍ଗରେ ସବୁବେଳେ ଛିଡା ହୋଇଛୁ ବୋଲି ବାର୍ କାଉନସିଲ ଅଫ ଇଣ୍ଡିଆ କହିଛି। ଏହା ସହ ଏଭଳି ମିଛ ଅଭିଯୋଗକୁ ନଜରଅନ୍ଦାଜ କରି ଲୋକଙ୍କୁ ନ୍ୟାୟ ଦେବା ବାଟରେ ଆଗେଇଯାଆନ୍ତୁ କହି ଚନ୍ଦ୍ରଚୂଡ଼ଙ୍କୁ ଅପିଲ ବି କରିଛି ବାର୍ କାଉନସିଲ ଅଫ ଇଣ୍ଡିଆ।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *