ତାଜମହଲର ନିଷିଦ୍ଧାଞ୍ଚଳ ମଧ୍ୟରେ ବ୍ୟବସାୟିକ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟ ବିଶ୍ବ ଐତିହ୍ୟ ତାଜ ମହଲର ବାଉଣ୍ଡରୀ ୱାଲଠାରୁ ୫୦୦ ମିଟର ପର୍ଯ୍ୟନ୍ତ ସ୍ଥାନରେ ଚାଲିଥିବା ବ୍ୟବସାୟିକ କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ଆଗ୍ରା ଡେଭେଲପମେଣ୍ଟ ଅଥୋରିଟିକୁ ଏହି ସ୍ଥାନ ମଧ୍ୟରେ ଚାଲିଥିବା ସମସ୍ତ ବ୍ୟବସାୟିକ କାର୍ଯ୍ୟକୁ ତତ୍‌କ୍ଷଣାତ୍ ବନ୍ଦ କରିବାକୁ କହିଛନ୍ତି।

ଜଷ୍ଟିସ ସଞ୍ଜୟ କିଶାନ କୌଲ ଓ ଜଷ୍ଟିସ ଏ ଏସ ଓକାଙ୍କ ଖଣ୍ଡପୀଠ ଆଗ୍ରା ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ୧୭ ଶତାବ୍ଦୀର ଏହି ଶ୍ବେତ ମାର୍ବଲ ସ୍ମୃତିସ୍ତୁପକୁ ସୁରକ୍ଷିତ ରଖିବାକୁ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଐତିହାସିକ ମକବରାର ୫୦୦ ମିଟର ପରିଧି ମଧ୍ୟରେ କୌଣସି ବ୍ୟବସାୟିକ କାର୍ଯ୍ୟକୁ ବନ୍ଦ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେବାକୁ ଦାୟର ହୋଇଥିବା ଯାଚିକାର ଶୁଣାଣି କରି ଏହି ରାୟ ଦେଇଛନ୍ତି କୋର୍ଟ।

କୋର୍ଟ ତାଙ୍କ ରାୟରେ କହିଛନ୍ତି, ତାଜମହଲର ବାଉଣ୍ଡରୀ ୱାଲଠାରୁ ୫୦୦ ମିଟର ଭିତରେ ସମସ୍ତ ବ୍ୟବସାୟିକ କାର୍ଯ୍ୟକୁ ବନ୍ଦ କରିବାକୁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବାକୁ ଯାଚିକାରେ ଅନୁରୋଧ କରାଯାଇଥିଲା, ଯାହା ଭାରତୀୟ ସମ୍ବିଧାନର ଧାରା ୧୪ ସହ ଜଡିତ ରହିଛି।

କାରଣ ୫୦୦ ମିଟର ମଧ୍ୟବର୍ତ୍ତୀ ପରିସୀମା ନୋ କନଷ୍ଟ୍ରକ୍ସନ ଜୋନ ଅନ୍ତର୍ଗତ ଆସୁଛି। ଏହା ମଧ୍ୟରେ କୌଣସି ପ୍ରକାରର ଗାଡି ମୋଟର ଚଳାଚଳକୁ ନିଷିଦ୍ଧ କରାଯାଇଛି। ଏହା ମଧ୍ୟରେ କାଠ ନିଆଁ ଜାଳିବା ଓ ମୁନିସିପାଲିଟିର କଠିନ ବର୍ଜ୍ୟବସ୍ତୁ ଓ କୃଷିଜାତ ବର୍ଜ୍ୟବସ୍ତୁର ପ୍ରବେଶକୁ ମଧ୍ୟ ନିଷିଦ୍ଧ କରାଯାଇଛି।

ଏହି ଯାଚିକା ଉପରେ ବରିଷ୍ଠ ଓକିଲ ଏଡିଏନ ରାଓ, ଯିଏ କୋର୍ଟଙ୍କ ଆମିକସ୍ କ୍ୟୁରୀ ଭାବେ ସହଯୋଗ କରୁଛନ୍ତି, କହିଛନ୍ତି କି, ଏହି ଐତିହାସିକ ସ୍ମୃତିସ୍ତୁପର ସୁରକ୍ଷା ପାଇଁ ସମସ୍ତ ପ୍ରକାରର ବ୍ୟବସାୟିକ କାର୍ଯ୍ୟ ଏହା ନିକଟରେ ବନ୍ଦ କରିବାର ଆବଶ୍ୟକତା ରହିଛି।

ଏହି ଯାଚିକା ତାଜମହଲର ନିଷିଦ୍ଧାଞ୍ଚଳ ବାହାରେ ଦୋକାନ ଦେବାକୁ ମଞ୍ଜୁରୀ ପାଇଥିବା କିଛି ଦୋକାନୀଙ୍କ ଦ୍ବାରା ଦାୟର କରାଯାଇଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *