ବିଲକିସ ମାମଲା: କେନ୍ଦ୍ରକୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନୋଟିସ

ନୂଆଦିଲ୍ଲୀ: ୨୦୦୨ ବିଲକିସ ବାନୁ ମାମଲାରେ ଚିନ୍ତା ବ୍ୟକ୍ତ କରି ଏହାକୁ ଭୟାନକ କହିଛନ୍ତି ସୁପ୍ରିମକୋର୍ଟ। ବିଲକିସଙ୍କ ଯାଚିକା ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଉଭୟ ଗୁଜରାଟ ସରକାର ଓ କେନ୍ଦ୍ର ସହ ଦୋଷୀମାନଙ୍କୁ ନୋଟିସ ଜାରି କରିଛନ୍ତି। ବିଲକିସ ମାମଲାରେ  ଆଜୀବନ ଦଣ୍ଡାଦେଶ ପାଇଥିବା ୧୧ ଦୋଷୀଙ୍କୁ ସମୟ ପୂର୍ବରୁ ଛାଡିଦିଆଯିବାକୁ ଚ୍ୟାଲେଞ୍ଜ କରି ଦାୟର ଯାଚିକାଗୁଡିକ ଉପରେ ଆଜି ଶୁଣାଣି କରିଛନ୍ତି କୋର୍ଟ।

ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଦୋଷୀମାନଙ୍କୁ ମୁକ୍ତ କରିବାକୁ ଦେଇଥିବା ଅନୁମତି ସମ୍ବନ୍ଧିତ ଫାଇଲ ପ୍ରସ୍ତୁତ କରିବାକୁ କହିଛନ୍ତି। ଏଥିସହ ଏଥିରୁ ନିର୍ଦ୍ଧାରଣ ହେବ ମୁକ୍ତି ନିଷ୍ପତ୍ତି ଉପରେ କାହାର ମୋହର ଲାଗିଥିଲା। ଏହା ବ୍ୟତୀତ ଏହା ଗୁଜରାଟରେ ଯାଉଛି ନା ମହାରାଷ୍ଟ୍ରରେ ତାହା ମଧ୍ୟ ସ୍ଥିର ହେବ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ୧୮ ଏପ୍ରିଲରେ ହେବ।

ବିଲକିସ ବାନୁ ତାଙ୍କ ପିଆଇଏଲ ଯାଚିକାରେ କହିଥିଲେ କି, ଦୋଷୀଙ୍କୁ ସମୟ ପୂର୍ବରୁ ମୁକ୍ତ କରିବା ନାହିଁ କେବଳ ବିଲକିସଙ୍କୁ, ବରଂ ତାଙ୍କ ବଡ ହୋଇଯାଇଥିବା ଝିଅ, ପରିବାର ପ୍ରତି ତଥା ରାଷ୍ଟ୍ରୀୟ ଓ ଅନ୍ତରାଷ୍ଟ୍ରୀ ସ୍ତରରେ ପୁରା ସମାଜ ପ୍ରତି ଝଟକା। ଦୋଷୀମାନେ ମୁକୁଳିବା ପରେ ହିଁ ବିଲକିସଙ୍କ ସହିତ ପୁରା ଦେଶ ତଥା ଦୁନିଆକୁ ଏସମ୍ପର୍କିତ ସୂଚନା ଚକିତ କରିଥିଲା। ସେମାନଙ୍କୁ ସାର୍ବଜନୀନଭାବେ ମାଳା ପିନ୍ଧାଇ, ମିଠା ଖୁଆଇ  ସମ୍ମାନର ସହ ନିଆଯାଇଥିଲା ବୋଲି ବିଲକିସ କହିଥିଲେ।

ସୂଚନାଯୋଗ୍ୟ, ୨୦୦୨ ଗୁଜରାଟ ଦଙ୍ଗା କାଳରେ ବିଲକିସ ବାନୁ ଓ ତାଙ୍କ ପରିବାର ପ୍ରାଣ ରକ୍ଷା ପାଇଁ ଏକ ଆଖୁ କିଆରିରେ ଆତ୍ମଗୋପନ କରିଥିବା ବେଳେ କିଛି ହିନ୍ଦୁ ବିଲକିସଙ୍କୁ ଗଣଦୁଷ୍କର୍ମ କରିବା ସହ ତାଙ୍କ ନାବାଳିକା ଝିଅ ସହ ପରିବାରର ୭ ଜଣଙ୍କୁ ହତ୍ୟା କରିଥିଲେ। ଯେଉଁ ମାମଲାରେ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜୀବିତ ଥିବା ୧୧ ଜଣଙ୍କୁ ଗତ ବର୍ଷ ଅଗଷ୍ଟ ୧୫ ତାରିଖରେ ମୁକ୍ତ କରିଥିଲା ଗୁଜରାଟ ସରକାର।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *