୩୦ ଜିଲ୍ଲା ଲାଗି ବିଜେଡିର ବ୍ରିଗେଡ

Spread the love

() ୨୪ ପାଇଁ ପାଞ୍ଚ ଥର ରାଜ୍ୟର ଶାସନ କ୍ଷମତାରେ ଥିବା ଦଳର ସମର ସଜ୍ଜା। ବିଜେଡିର ନୂଆ ପର୍ଯ୍ୟବେକ୍ଷକ ତାଲିକାରେ କେଉଁ କେଉଁ ଜିଲ୍ଲାକୁ ଅଧିକ ଫୋକସ କରାଯାଇଛି ଆଉ ଏକାଧିକ ଜିଲ୍ଲା କେଉଁ ନେତାଙ୍କୁ କାହିଁକି ଦିଆଯାଇଛି। ଏହାକୁ ନେଇ ରାଜନୀତିକ ଚର୍ଚ୍ଚା ଜୋର ଧରିଛି। ସେପଟେ ବିଜେପିର ନୂଆ ମଙ୍ଗୁଆଳ ୨୪ରେ ବିଜେଡିକୁ ହଟାଇବାକୁ ସଂକଳ୍ପ ନେଇ ଆଗେଇବାକୁ ସଙ୍କେତ ଦେଇଥିଲା ବେଳେ ୯ରୁ ୯୦ ଆସନ ହାସଲ ଲକ୍ଷ୍ୟରେ କଂଗ୍ରେସ।

୨୪ ନିର୍ବାଚନ ପାଇଁ ପ୍ରସ୍ତୁତ ୩୦ ଜିଲ୍ଲା ଲାଗି ବିଜେଡିର ବ୍ରିଗେଡ। ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଏକକାଳୀନ ୪ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ସମ୍ୱଲପୁର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ପ୍ରଣବ। ଏମିତିରେ କିଛି ଦିନ ହେଲା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳ ଓ ଢେଙ୍କାନାଳକୁ ଘନ ଘନ ଗସ୍ତ ସାଙ୍ଗକୁ ସାଂଗଠନିକ କାମ ତଦାରଖ କରୁଥିବାରୁ ତାଙ୍କୁ ଚେକମେଟ୍ ଦେବାକୁ ପ୍ରଣବଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି ବୋଲି ଚର୍ଚ୍ଚା ହେଉଛି। ସମ୍ୱଲପୁରରେ ଜୟନାରାୟଣଙ୍କ ଦବଦବାକୁ ଦବେଇବା ହେଉ ଅବା କେନ୍ଦୁଝରରେ ମୋହନ ମାଝୀ, ନିରଞ୍ଜନ-ଜୟଦେବଙ୍କ ଭଳି ହେଭିଓ୍ୱେଟଙ୍କୁ ଠିକଣା ଜବାବ ଦେବା ସକାଶେ ପ୍ରଣବଙ୍କୁ ନିୟୋଜିତ କରାଯାଇଥିବା କୁହାଯାଉଛି। ପୂର୍ବଭଳି ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କୁ ଗଜପତି ଓ ରାୟଗଡ଼ା ଜିଲ୍ଲା ଦାୟିତ୍ୱ ମିଳିଛି। ସେହିଭଳି ଦିବ୍ୟଶଙ୍କର ମିଶ୍ରଙ୍କୁ କୋରାପୁଟ ଓ ମାଲକାନଗିରି ଜିଲ୍ଲା ଦାୟିତ୍ୱ ଦିଆଯାଇଛି।  ବଡ଼ ଜିଲ୍ଲା ମୟୁରଭଞ୍ଜରେ ପଞ୍ଚାୟତ ନିର୍ବାଚନରେ ବିଜେପିକୁ ଧୂଳିସାତ୍ ପରେ ଏବେ ଏହି ଜିଲ୍ଲାର ଦାୟିତ୍ୱ ପଡ଼ିଛି ପ୍ରଶାନ୍ତ ମୁଦୁଲିଙ୍କ କାନ୍ଧରେ। ନୂଆ ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକାରୁ ବାଦ୍ ପଡ଼ିଛନ୍ତି ମନ୍ତ୍ରୀ ଉଷା ଦେବୀ, ଟୁକୁନି ସାହୁ ଓ ରୋହିତ୍ ପୂଜାରୀ।

ସେପଟେ ବିଜେପି ୨୪ ରଣନୀତି ଲାଗି ପ୍ରସ୍ତୁତ ହେଲାଣି। ନୂଆ ମଙ୍ଗୁଆଳ ମନମୋହନ ସାମଲ ବିଜେଡି ସରକାରକୁ ହଟାଇବାକୁ ଶପଥ ନେଇଛନ୍ତି। ଏଥର ଲୋକଙ୍କ ଅସନ୍ତୋଷର ବିସ୍ଫୋରଣରେ ବିଜେଡି ଦୋହଲିବ ବୋଲି କହିଛନ୍ତି। ସାଂଗଠନିକ ସ୍ଥିତିକୁ ସୁଦୃଢ଼ କରିବାକୁ ରୋଡମ୍ୟାପ୍ ହୋଇଛି। ବିରୋଧୀ ଦଳ ନେତା କହିଛନ୍ତି, ବିଜେଡି ପାଖରେ ଲୋକବଳ ନାହିଁ। କେବଳ ଅର୍ଥ, ବାହୁ ଓ ସରକାରୀ ବଳରେ ଜିତୁଛି। ଏହି ତିନୋଟିକୁ ପ୍ରତିହତ କରିବ ବିଜେପି।

ଆଉ କଂଗ୍ରେସ ୯ରୁ ୯୦ ଆସନର ସ୍ୱପ୍ନକୁ ସାକାର କରିବାକୁ ତୃଣମୂଳସ୍ତରରେ ସଂଗଠନକୁ ସୁଦୃଢ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରୁଥିବା କଥା କହୁଛି। ଏକତାର ମୂଳମନ୍ତ୍ରକୁ ପାଥେୟ କରି ଜନତାର ଆସ୍ଥାଭାଜନ ହେବା ଲାଗି ଦିନରାତି ଏକ କରୁଛି ବୋଲି ଦଳ କହୁଛି।

ଲୋକପ୍ରିୟତାରେ କିଏ ଶୀର୍ଷରେ ଏହା କାହାକୁ ଅଛପା ନାହିଁ। ଜନମତକୁ ଭୋଟରେ ବଦଳାଇବା ଦକ୍ଷତାରେ ବିଜେଡି ଶୀର୍ଷରେ। ବିଜେପି ଆଜି ପ୍ରତି ମୂହୂର୍ତ୍ତରେ କଡା ଟକ୍କର ଦେଉଛି ବିଜେଡି ସହ। କଂଗ୍ରେସ ନିଜର ଅସ୍ତିତ୍ୱ ରକ୍ଷା ସହ ଜନତାର ଆସ୍ଥାଭାଜନ ହେବା ଲାଗି ନିରନ୍ତର ଲୋକଙ୍କ ପାଖକୁ ଯାଉଛି। ଏଭଳି ସ୍ଥିତିରେ ୨୪ ମହାସମର କେମିତି କାହାକୁ କେଉଁ ଭୂମିକାରେ ରଖିବ, ତାହା ଓଡ଼ିଶାବାସୀ ନିର୍ଦ୍ଧାରଣ କରିବେ।

ନବକିଶୋର ସାହୁ, ସ୍ୱରୂପା ମହାପାତ୍ର ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *