କୁନ୍ଦ୍ରାଙ୍କ ଅଗ୍ରୀମ ଜାମିନକୁ ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ: ଅଶ୍ଳୀଳ ଭିଡିଓ  ବିବାଦରେ ଛନ୍ଦି ହୋଇପଡିଥିବା ବ୍ୟବସାୟୀ ତଥା ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କୁ ଆଶ୍ବସ୍ତି। କୁନ୍ଦ୍ରା ତଥା ସହଯୋଗୀ ପୁନମ ପାଣ୍ଡେ, ଶର୍ଳିନ ଚୋପ୍ରା ଓ ଉମେଶ କାମତଙ୍କୁ ଅଗ୍ରୀମ ଜାମିନ ଦେଇଛନ୍ତି ସୁପ୍ରିମକୋର୍ଟ।  ଅଭିଯୁକ୍ତମାନଙ୍କ  ପ୍ରାଥମିକ  ଅଗ୍ରୀମ ଜାମିନ ଯାଚିକାର ଶୁଣାଣି କରିବାକୁ ରାଜି ହୋଇଛନ୍ତି ସୁପ୍ରିମକୋର୍ଟ।  ଜଷ୍ଟିସ ଏମ କେ ଜୋସେଫ ଓ ଜଷ୍ଟିସ ବି ଭି ନାଗରତ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ କୁନ୍ଦ୍ରା ଓ ଅନ୍ୟ ଅଭିଯୁକ୍ତମାନଙ୍କୁ ଯାଞ୍ଚରେ ସହଯୋଗ କରିବାକୁ ଦେଇଛନ୍ତି ନିର୍ଦ୍ଦେଶ।

ଏହି ମାମଲାରେ ଖଣ୍ଡପୀଠ କହିଛନ୍ତି କି, ଉଭୟ ପକ୍ଷର ଯୁକ୍ତି ଶୁଣାଯାଇଛି।  ଏଥିସହ ଅଗ୍ରୀମ ଜାମିନ ଆବେଦନ ଉପରେ ମହାରାଷ୍ଟ୍ର ରାଜ୍ୟ ପକ୍ଷରୁ କୌଣସି ବିରୋଧ କରାଯାଉନାହିଁ। ତେଣୁ ଯାଚିକାକର୍ତ୍ତାଙ୍କୁ ଅଗ୍ରୀମ ଜାମିନ ମଞ୍ଜୁରୀ କରାଯାଇପାରିବ ବୋଲି କହିଛନ୍ତି ସର୍ବୋଚ୍ଚ କୋର୍ଟ। ଶୁଣାଣି କାଳରେ ଜଣେ ଯାଚିକା କର୍ତ୍ତାଙ୍‌କ ପକ୍ଷରୁ ବରିଷ୍ଠ ଓକିଲ ଆର ବସନ୍ତ କୋର୍ଟଙ୍କୁ ଜଣାଇଥିଲେ କି, ପୂର୍ବରୁ ଅଭିଯୋଗ ପତ୍ର ଦାୟର ହୋଇସାରିଛି ଓ ଅଭିଯୁକ୍ତମାନେ ଯାଞ୍ଚରେ ପୁଲିସ ସହ ସହଯୋଗ କରୁଛନ୍ତି। ସୁପ୍ରିମକୋର୍ଟ ପୂର୍ବରୁ ଏହି ମାମଲାରେ କୁନ୍ଦ୍ରାଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛି।

ଅଶ୍ଳୀଳ ଭିଡିଓ ବିତରଣ ଓ ପ୍ରସାରଣ ମାମଲାରେ କୁନ୍ଦ୍ରାଙ୍କ ବିରୋଧରେ ଆଇପିସିର ବିଭିନ୍ନ ଧାରାରେ  ମାମଲା ହୋଇଥିଲା। ଏହା ପରେ ଅନେକ ଅଭିନେତ୍ରୀ ମଧ୍ୟ କୁନ୍ଦ୍ରାଙ୍କ ବିରୋଧରେ ଆଣିଥିଲେ ଯୌନ ଶୋଷଣ ଅଭିଯୋଗ। ଏହି ମାମଲାରେ ବମ୍ବେ ହାଇକୋର୍ଟ ଅଗ୍ରୀମ ଜାମିନ ଯାଚିକାକୁ ଖାରଜ କରି ଦେଇଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *