ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀଙ୍କ ମୁକ୍ତି ଯାଚିକା: କେନ୍ଦ୍ର ଓ ତାମିଲ ସରକାରକୁ ନୋଟିସ

ନୂଆଦିଲ୍ଲୀ: ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ସୁପ୍ରିମ କୋର୍ଟ କେନ୍ଦ୍ର ଓ ତାମିଲନାଡୁ ସରକାରକୁ ନୋଟିସ କରିଛନ୍ତି। ଆଜୀବନ କାରାଦଣ୍ଡ ଭୋଗୁଥିବା ଦୋଷୀ ନଲିନୀ ଓ ରବିଚନ୍ଦ୍ରନଙ୍କୁ ସମୟ ପୂର୍ବରୁ ମୁକ୍ତ କରିବା ଯାଚିକା ଉପରେ ଏହି ନୋଟିସ କରିଛନ୍ତି କୋର୍ଟ। ତେବେ ଅନ୍ତରୀଣ ଜାମିନ ପ୍ରଦାନ କରିବାକୁ ମନା କରିଦେଇଛନ୍ତି କୋର୍ଟ। ଅଗଷ୍ଟ ୧୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଜଷ୍ଟିସ ବି ଆର ଗଭଇଙ୍କ ଖଣ୍ଡପୀଠ ଜାମିନକୁ ମନା କରିଦେଇଛନ୍ତି।
ଉଭୟ ନଳିନୀ ଓ ରବିଚନ୍ଦ୍ରନ ସୁପ୍ରିମ କୋର୍ଟରେ ଯାଚିକା ଦାୟର କରି ପେରାରିବଲନ ପରି ସମାନତା ଆଧାରରେ ସେମାନଙ୍କୁ ମୁକ୍ତ କରିବାକୁ ଅପିଲ କରିଥିଲେ। ଏହା ଉପରେ କୋର୍ଟଙ୍କ ଚୂଡାନ୍ତ ରାୟ ଆସିବା ଯାଏ ସେମାନେ ଅନ୍ତରୀଣ ଜାମିନ ପାଇଁ ଗୁହାର କରିଥିଲେ। ସୁପ୍ରିମକୋର୍ଟ ୧୮ ମେରେ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ସମସ୍ତ ଦୋଷୀଙ୍କ ମଧ୍ୟରୁ ପେରାରୀବଲନକୁ ମୁକ୍ତ କରିଥିଲେ।
ଏହା ପୂର୍ବରୁ ଉଭୟ ଦୋଷୀ ମୁକ୍ତି ପାଇଁ ମାଡ୍ରାସ ହାଇକୋର୍ଟରେ ଦ୍ବାରସ୍ଥ ହୋଇଥିଲେ। କିନ୍ତୁ ହାଇକୋର୍ଟ ସେମାନଙ୍କ ଯାଚିକାର ଶୁଣାଣି କରିବାକୁ ମନା କରିଦେଇଥିଲ। ହାଇକୋର୍ଟ କହିଥିଲେ ତାଙ୍କ ନିକଟରେ ସମ୍ବିଧାନର ଅନୁଚ୍ଛେଦ ୧୪୨ ଅନ୍ତର୍ଗତ ବିଶେଷ କ୍ଷମତା ନାହିଁ ଓ ତେଣୁ ସେ ଏହା ଉପରେ ଶୁଣାଣି କରି ପାରିବେ ନାହିଁ।