ବନ୍ଦ ଲଫାପା ନିଷ୍ପକ୍ଷ ନ୍ୟାୟ ସିଦ୍ଧାନ୍ତ ବିରୋଧୀ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସିଲବନ୍ଦ ଲଫାପା ନିଷ୍ପକ୍ଷ ନ୍ୟାୟ ବୁନିଆଦୀ ସିଦ୍ଧାନ୍ତ ବିରୋଧୀ। ସେ ବନ୍ଦ ଲଫାପା ବିରୋଧୀ। ୱାନ ରାଙ୍କ ୱାନ ପେନସନ ଉପରେ କେନ୍ଦ୍ରର ସିଲ ବନ୍ଦ ରିପୋର୍ଟକୁ ଗ୍ରହଣ କରିବାକୁ ମନା କରିବା ସହ ଆଟର୍ନି ଜେନେରାଲ ଭେଙ୍କଟରମନୀଙ୍କୁ ଏପରି କହିଛନ୍ତି ସୁପ୍ରିମକୋର୍ଟ। କେନ୍ଦ୍ର ରକ୍ଷାମନ୍ତ୍ରଣାଳୟ ପକ୍ଷରୁ ପେନସନ ପଇଠ ଉପରେ ବନ୍ଦ ଲଫାପାରେ ରିପୋର୍ଟ ଦିଆଯାଇଥିଲା। ସିଜେଆଇ ଡି ୱାଇ ଚନ୍ଦ୍ରଚୂଡ ଏଜିଙ୍କୁ କୋର୍ଟରେ ରିପୋର୍ଟ ପଢିବାକୁ କହିବା ସହ ତାହାକୁ ସାଙ୍ଗରେ ନେଇ ଯିବାକୁ କହିଛନ୍ତି।

ସିଜେଆଇ ଆହୁରି କହିଛନ୍ତି କି, ଯଦି ସୁପ୍ରିମକୋର୍ଟ ଏହି ପ୍ରଥାକୁ ଅନୁସରଣ କରନ୍ତି, ତେବେ ହାଇକୋର୍ଟ ମଧ୍ୟ ଏହାକୁ ପାଳନ କରିବେ। ବନ୍ଦ ଲଫାପା କେବଳ ଏକ ଉତ୍ସ ବା କୌଣସି ବ୍ୟକ୍ତିର ଜୀବନ ପ୍ରତି ବିପଦ ଥିଲେ ଗ୍ରହଣୀୟ। ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ୱାନ ରାଙ୍କ ୱାନ ପେନସନ ପଇଠରେ ଥିବା ସରକାରଙ୍କ ସମସ୍ୟା ବିଷୟରେ ଅବଗତ ଅଛୁ କିନ୍ତୁ ଏହା ଉପରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଜାଣିବାକୁ ଚାହୁଁଛୁ।

ଏହା ପରେ କୋର୍ଟରେ ଏଜି ରିପୋର୍ଟ ପାଠ କରିଥିଲେ। ରିପୋର୍ଟରେ ଉଲ୍ଲେଖ ଥିଲା କି, ସେନା ବଜେଟ ଏକା ଥରରେ ଏତେ ବଡ ପାଉଣାକୁ ପଇଠ କରିବାକୁ ସକ୍ଷମ ନୁହେଁ। ଉତ୍ସ ସୀମିତ ଓ ଖର୍ଚ୍ଚ ନୟନ୍ତ୍ରିତ ହେବା ଜରୁରୀ। ଅର୍ଥମନ୍ତ୍ରୀଙ୍କୁ ବିଶ୍ବାସକୁ ନିଆଯାଇଛି ଓ କୁହାଯାଇଛି କି, ଥରକରେ ଏତେ ବଡ ଖର୍ଚ୍ଚକୁ ସାମ୍ନା କରିବା ସମ୍ଭବ ନୁହେଁ।

ମାର୍ଚ୍ଚ ୧୩ ତାରିଖରେ କେନ୍ଦ୍ର ପକ୍ଷରୁ ଏକପାକ୍ଷିଆ ଭାବେ ୪ଟି କିସ୍ତିରେ ଓଆରଓପି ପଇଠ ପାଇଁ ସରକାରର ନିଷ୍ପତ୍ତି ଉପରୁ ଭରସା ହରାଇଥିଲେ କୋର୍ଟ। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ନିକଟରେ ଏକ ସତ୍ୟପାଠ ଦାଖଲ ହୋଇଥିଲା ଓ ଏଥିରେ ୨୦୧୯-୨୨ ମଧ୍ୟରେ ସେବା ନିବୃତ୍ତ ସେନା କର୍ମଚାରୀଙ୍କ ୨୮ହଜାର କୋଟି ଟଙ୍କା ଏରିୟର ଦେବାକୁ ସମୟ ସୂଚୀ ପ୍ରଦାନ କରାଯାଇଥିଲା। ଏହା ପରେ କୋର୍ଟ କହିଥିଲେ, ଏତେ ପରିମାଣର ଦେୟ ଗୋଟିଏ ଥରରେ ଦେବା ଦ୍ବାରା ପ୍ରତିରକ୍ଷା ପରିଚାଳନା ଉପରେ ବ୍ୟାପକ ନକାରାତ୍ମକ ପ୍ରଭାବ ପଡିବ। ତେଣୁ କେନ୍ଦ୍ରକୁ ଓଆରଓପି ଏରିଅର ସେନାର ଅବସରପ୍ରାପ୍ତ କର୍ମଚାରୀଙ୍କୁ ୨୮ ଫେବୃଆରୀ ୨୦୨୪ ମଧ୍ୟରେ ପଇଠ କରିବାକୁ ଅନୁମତି ଦେଇଥିଲେ।

କୋର୍ଟ ନିର୍ଦ୍ଦେଶ ଦେଇଥିଲେ କି, ୨୦୧୯ରୁ ଦେବାକୁ ଥିବା ଓଆରଓପି ଏରିୟରରେ ୬ ଲକ୍ଷ ସମସ୍ତ ଫାମିଲି ପେନସନଧାରୀ ଓ ଗାଲେଣ୍ଟ୍ରି ଆୱାର୍ଡ ୱିନରମାନଙ୍କୁ ମାର୍ଚ୍ଚ ୩୦ ମଧ୍ୟରେ ଓ ୭୦ ବର୍ଷରୁ ଅଧିକ ସେବାନିବୃତ୍ତ ୪ ଲକ୍ଷ ସେନା କର୍ମଚାରୀଙ୍କୁ ଜୁନ ୩୦ ଓ ବାକି ୧୦-୧୧ ଲକ୍ଷଙ୍କୁ ଅଗଷ୍ଟ ୩୧, ନଭେମ୍ବର ୩୦ ଓ ଫେବୃଆରୀ ୨୮ରେ ଦିଆଯିବ।

ଏହି ମାମଲାର ଶୁଣାଣି ମୁଖ୍ୟ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କରୁଥିବା ବେଳେ ଏଥିରେ ଜଷ୍ଟିସ ପିଏସ ନରସିହ୍ମା, ଜେବି ପାର୍ଡିୱାଲା ସମ୍ପୃକ୍ତ ଅଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *