ଶ୍ରୀମନ୍ଦିରରେ ଚକ୍ରବୁଲା ଏକାଦଶୀ

Spread the love

ପୁରୀ : ଗତକାଲି ଶ୍ରୀମନ୍ଦିରରେ ଚକ୍ରବୁଲା ଏକାଦଶୀ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିରରେ ମଧ୍ୟାହ୍ନଧୂପ ନୀତି ଶେଷ ହେବାପରେ ମଇଲମ ହୋଇ ଶ୍ରୀଜୀଉ ମାନଙ୍କୁ ଖଣ୍ଡୁଆ ପାଟ ପିନ୍ଧାଇ ଆଳତୀ ଓ ସର୍ବାଙ୍ଗ ନୀତି ଅନୁଷ୍ଠିତ ହୋଇଥିଲା । ଏହାପରେ ଦକ୍ଷିଣ ଘରୁ ମହାଜନ ସେବକ ମାନଙ୍କ ଦ୍ୱାରା ମଦନ ମୋହନଙ୍କୁ ସିଂହାସନକୁ ଅଣାଯାଇଥିଲା । ମହାପ୍ରଭୁଙ୍କ ଠାରୁ ଆଜ୍ଞା ମାଳ ପାଇବା ପରେ ମଦନ ମୋହନ ଏକାଦଶୀ ବେଢ଼ା ପରିକ୍ରମା (ଶ୍ରୀମନ୍ଦିର ଭିତରେ)କରିଥିଲେ । ଏହାପରେ ସୁନା ବେଶରେ ମହାପ୍ରଭୁଙ୍କ ହାତରେ ସୁସଜ୍ଜିତ ସୁନାର ଚକ୍ର (ଚକ୍ର ନାରାୟଣ)ଙ୍କୁ ସିଂହାସନ ନିକଟକୁ ନିଆଯାଇଥିଲା ଏବଂ ମହାପ୍ରଭୁଙ୍କ ଆଜ୍ଞାମାଳ ପ୍ରାପ୍ତ ହୋଇ ବିମାନ ବଡୁ ସେବକ ମାନଙ୍କ ଦ୍ୱାରା ବିମାନରେ ବିଜେ କରାଯାଇଥିଲା । ଉକ୍ତ ବିମାନକୁ ବିମାନ ବଡୁ ସେବାୟତ ସ୍କନ୍ଦରେ ବହନ କରି ସିଂହଦ୍ୱାର ଦେଇ ଶ୍ରୀନଅର ନିକଟକୁ ଯାଇଥିଲେ । ସେଠାରେ ପନ୍ତିଭୋଗ ହେବା ପରେ, ଶ୍ରୀକ୍ଷେତ୍ରର ପ୍ରାଚୀନ ଚାରି ଆଶ୍ରମ ଯଥା- ମାର୍କଣ୍ଡେୟ, ଅଙ୍ଗିରା, ଭୃଗୁ, କଣ୍ଡୁ ଆଶ୍ରମକୁ ବିଜେ କରିଥିଲେ । ପ୍ରତି ଆଶ୍ରମରେ ଶୀତଳ ଭୋଗ, ବନ୍ଦାପନା ହୋଇ ନଗର ପରିକ୍ରମା ପରେ ସୁବର୍ଣ୍ଣ ସୁଦର୍ଶନ ଚକ୍ର ଶ୍ରୀମନ୍ଦିରକୁ ବାହୁଡ଼ିଥିଲେ । ଏହାକୁ କାମଦା ଏକାଦଶୀ ବା ଚକ୍ରବୁଲା ଏକାଦଶୀ ବୋଲି ମଧ୍ୟ କୁହାଯାଇଥାଏ । ଏହି ଦିବସରେ ବର୍ଷରେ ଥରେ ମାତ୍ର ସୁବର୍ଣ୍ଣଚକ୍ର ଶ୍ରୀମନ୍ଦିର ବାହାରକୁ ଏକାକୀ ବିଜେ କରିଥାନ୍ତି ।

Leave a Reply

Your email address will not be published. Required fields are marked *