ଛଟେଇରେ ବିଶ୍ବବ୍ୟାପୀ ଦେଢ ଲକ୍ଷରୁ ଅଧିକ ହରେଇଲେଣି ନିଯୁକ୍ତି

() ଟ୍ବିଟରରୁ ସାମୂହିକ ଇସ୍ତଫା ପରେ କମ୍ପାନୀର ମୁଖ୍ୟାଳୟକୁ ସାମୟିକଭାବେ ବନ୍ଦ କରାଯାଇଛି। ହେଲେ ଏବେ ମଧ୍ୟ ଅତୁଟ ରହିଛି ମସ୍କଙ୍କ ଦମ୍ଭ । ସମୂହ ଇସ୍ତଫାରେ ସେ ଜମା ଚିନ୍ତିତ ନ ଥିବା କହିଥିବା ବେଳେ ‘ହାସଟ୍ୟାଗ ରିପ୍‌ ଟ୍ବିଟର’ ଟ୍ରେଣ୍ଡରେ ରହିଛି। ଅନ୍ୟପଟେ କେବଳ ଟ୍ବିଟର ନୁହେଁ ଅନ୍ୟ ବହୁ କମ୍ପାନୀରେ କର୍ମଚାରୀ ମାରଣ ନୀତି ଦେଖିବାକୁ ମିଳୁଛି।

ବିଶ୍ୱର ସବୁଠାରୁ  ଧନୀ ବ୍ୟକ୍ତିଙ୍କ କର୍ମଚାରୀ ମାରଣନୀତି। ଯାହାର ଫଳ ସ୍ବରୂପ ମାଇକ୍ରୋ ବ୍ଲଗିଂ ସାଇଟ ଟ୍ବିଟରରେ ସମୂହ ଇସ୍ତଫା ପର୍ବ ଦେଖିବାକୁ ମିଳିଛି। ଏହାକୁ ନେଇ ମସ୍କ ଗୋଟିଏ ପଟେ କମ୍ପାନୀର ହେଡକ୍ବାଟରକୁ ନଭେମ୍ବର ୨୧ ପର୍ଯ୍ୟନ୍ତ ବନ୍ଦ କରିଦେଇଥିଲେ ମଧ୍ୟ ଟ୍ବିଟରକୁ ବନ୍ଦ କରି ପାରିବ ନାହିଁ ବୋଲି ଟ୍ବିଟ କରି ଦୃଢୋକ୍ତି ପ୍ରକାଶ କରିଛନ୍ତି। କାରଣ ଦକ୍ଷ କର୍ମଚାରୀ ଏବେ ମଧ୍ୟ କମ୍ପାନୀ ସହ ରହିଛନ୍ତି। ଇସ୍ତଫା ଦେଇଥିବା କର୍ମଚାରୀଙ୍କ ମଧ୍ୟରେ ଅଧିକାଂଶ ଇଞ୍ଜିନିୟର ହୋଇଥିବାରୁ ମସ୍କ ଟ୍ବିଟରରେ ଉଲ୍ଲେଖ କରିଛନ୍ତି କି, ଇଞ୍ଜିନିୟରମାନେ  ଗୋଟିଏ  ଜାଗାରେ ବସି ରହିବାକୁ ନୁହଁନ୍ତି, ଏମାନେ ଆସିବେ ଓ ଯିବେ। ସେପଟେ ସମୂହ ଇସ୍ତଫା ପରେ ଟ୍ବିଟରରେ ଟ୍ରେଣ୍ଡ କରୁଛି ହାସଟ୍ୟାଗ ରିପ୍ ଟ୍ବିଟର।  ଗୁରୁବାର ରାତିରୁ ଟ୍ୱିଟରର ମୃତ୍ୟୁ, କବରରେ ଟ୍ୱିଟର ପରି ପୋଷ୍ଟ କରୁଛନ୍ତି ୟୁଜର୍ସ। ରିପୋର୍ଟ ପ୍ରସ୍ତୁତ ହେବା ସୁଦ୍ଧା ହାସଟ୍ୟାଗ ରିପ୍‌ ଟ୍ବିଟରରେ ୭୨୪ ହଜାର  ଟ୍ବିଟ ହୋଇସାରିଛି। କେହି କେହି ଟ୍ୱିଟର ଦୁରାବସ୍ଥା ପାଇଁ ଦୁଃଖ ପ୍ରକାଶ କରିଥିବା ବେଳେ କିଛି ଏହାକୁ ନେଇ ବିଭିନ୍ନ ମିମ୍ ମାଧ୍ୟମରେ ମସ୍କଙ୍କୁ କଟାକ୍ଷ କରୁଛନ୍ତି। ଜଣେ ଟ୍ବିଟ କରି କହିଛନ୍ତି କି, ମସ୍କ ଟ୍ୱିଟର ପାଇଁ ୪୪ ବିଲିୟନ ଡଲାର ଖର୍ଚ୍ଚ କରି ମାସକ ଭିତରେ ମାଟିରେ ମିଶାଇ ଦେଇଛନ୍ତି। କିଛି ଟ୍ବିଟରରର ମୃତ୍ୟୁ ପାଇଁ ଶୋକ ବ୍ୟକ୍ତ କରିଛନ୍ତି ତ ପୁଣି କିଛି ମିମ୍ ମାଧ୍ୟମରେ ଶାନ୍ତି ପ୍ରାର୍ଥନା କରିଛନ୍ତି।

ଏହାରି ମଧ୍ୟରେ ମସ୍କଙ୍କ ଦ୍ବାରା ଚାକିରି ହରାଇଥିବା କର୍ମଚାରୀ ଓ ଅଧିକାରୀମାନେ ମସ୍କଙ୍କ ବିରୋଧ ଖୋଲିଲେଣି ମୋର୍ଚ୍ଚା। ଖାଲି ଟ୍ବିଟର ନୁହେଁ ସ୍ପେସଏକ୍ସର ୮ ପୂର୍ବତନ କର୍ମଚାରୀ ମଧ୍ୟ ଠିଆହେଲେଣି ମସ୍କଙ୍କ ବିପକ୍ଷରେ। ସେମାନେ ଅଭିଯୋଗ ଆଣିଛନ୍ତି କି,  ସେମାନଙ୍କୁ ଚାକିରିରୁ ଏଥିପାଇଁ ବାହାର କରାଗଲା, କାରଣ ସେମାନେ ମସ୍କଙ୍କ ବିରୋଧରେ ମୁହଁ ଖୋଲିଥିଲେ। ସ୍ପେସଏକ୍ସ କର୍ମଚାରୀମାନେ କହିଛନ୍ତି ସେମାନେ ମସ୍କଙ୍କ ଗ୍ରୁପରେ ଥିଲେ। କିନ୍ତୁ ଜୁନରେ ମସ୍କଙ୍କ ବିରୋଧରେ ଠିଆ ହୋଇଥିବାରୁ ଚାକିରି ହରାଇବାକୁ ହୋଇଛି। ସେହିପରି ପୂର୍ବତନ ସିଇଓ ପରାଗ ଅଗ୍ରୱାଲ ଅନ୍ୟ ୮ ଶୀର୍ଷ କର୍ମଚାରୀ ମସ୍କଙ୍କ ବିରୋଧରେ କହିଥିବାରୁ ଓ ଟ୍ବିଟର କିଣିବାରୁ ମସ୍କ ପଛେଇ ଯିବା ପରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିବାରୁ ସେମାନଙ୍କୁ ମସ୍କ ଚାକିରିରୁ ବାହାର କରିଦେଇଥିଲେ। ଅର୍ଥାତ୍ ମସ୍କଙ୍କ ହଁରେ ଯିଏ ହଁ ଭରିଥାନ୍ତି ସେ ତାଙ୍କ ସହ କାମ କରି ପାରିବ। ମସ୍କଙ୍କ ବିରୋଧରେ ମୁହଁ ଖୋଲିଲେ ଚାକିରି କାଟ ସୁନିଶ୍ଚିତ ଥିବା ଅଭିଯୋଗ ହେଉଛି।

ଟ୍ବିଟରକୁ କିଣିବା ପରେ ପ୍ରାରମ୍ଭିକ ଅବସ୍ଥାରେ ମସ୍କଙ୍କ ଦ୍ବାରା ଛଟେଇରେ ୩୭ଶହ କର୍ମଚାରୀ ନିଯୁକ୍ତି ହରାଇଥିଲେ। ଏହି ଛଟେଇ ପାଇଁ ମାନ୍ଦାବସ୍ଥାକୁ ଦାୟୀ କରାଯାଇଥିଲା। ମସ୍କ କୌଣସି ବି ମୂଲ୍ୟରେ ଅର୍ଥ ବଞ୍ଚେଇବା ପାଇଁ କର୍ମଚାରୀ ଛଟେଇକୁ ଆପଣେଇଥିବା କୁହାଯାଇଥିଲା। ୪୪ ବିଲିୟନ ଡଲାରରେ ଟ୍ୱିଟର କିଣିବାକୁ ମସ୍କଙ୍କୁ ବହୁ ବିଲିୟନ ଡଲାର ଋଣ କରିବାକୁ ପଡିଥିଲା।  ଏମିତି କି ନିଜ ଇଲେକ୍ଟ୍ରିକ କାର କମ୍ପାନୀ ଟେଲ୍ସାର ୧୫.୫ ବିୟିଲନ ଡଲାର ମୂଲ୍ୟର ସେୟାର ବିକ୍ରି କରିବାକୁ ପଡିଥିବା ସେତେବେଳେ କୁହାଯାଇଥିଲା। କର୍ମଚାରୀ ଛଟେଇକୁ ଦୁର୍ଭାଗ୍ୟପୂର୍ଣ୍ଣ କହିଥିଲେ ବି ଏହା ଏକମାତ୍ର ବିକଳ୍ପ ବୋଲି କହିଥିଲେ ମସ୍କ।

ତେବେ କେବଳ ଟ୍ବିଟର ଉପରେ ନୁହେଁ ବହୁ ସଂସ୍ଥା ମାନ୍ଦାବସ୍ଥାରୁ କର୍ମଚାରୀ ଛଟେଇ କରିଛନ୍ତି। ଫେସବୁକ, ହ୍ୱାଟସ୍‌ଆପ ଓ ଇନଷ୍ଟାଗ୍ରାମର ପ୍ୟାରେଣ୍ଟାଲ କମ୍ପାନୀ ମେଟା ତାର ୧୧ ହଜାର କର୍ମଚାରୀଙ୍କୁ ଚାକିରିରୁ ବାହାର କରିଥିଲା। ଏହା କମ୍ପାନୀର ବିଗତ ୧୮ ବର୍ଷ ଇତିହାସରେ ପ୍ରଥମ ବଡଧରଣର  ଛଟେଇ ହୋଇଥିଲା। ସେହିପରି ବିଶ୍ବର ସର୍ବବୃହତ୍ତ ଇ କମର୍ସ କମ୍ପାନୀ ଆମାଜନ ମଧ୍ୟ ନିକଟରେ ତାର ମୋଟ କର୍ମଚାରୀଙ୍କ ୧ ପ୍ରତିଶତ ବା ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ଘୋଷଣା  କରିସାରିଛି। ଏହା ବ୍ୟତୀତ ସ୍ନାପ ତାର ୬ ହଜାର କର୍ମଚାରୀଙ୍କୁ ଛଟେଇ କରିଥିବା ବେଳେ ସେଲ୍ସଫୋର୍ସର ୨୧ଶହ କର୍ମଚାରୀଙ୍କୁ ବିଦାକରିଦେଇଛି। ସେହିପରି ଲାଇଫ୍‌ଟର ୬ଶହ, ଷ୍ଟ୍ରାଇପର ୧୧ଶହ, ମାଇକ୍ରୋସପ୍ଟର ୧ହଜାର, କଏନ ବେସର ୫୮ ପ୍ରତିଶତ କର୍ମଚାରୀଙ୍କୁ ଚାକିରି ହରାଇବାକୁ ହୋଇଛି। ଏକ ମିଡିଆ ରିପୋର୍ଟରୁ ଜଣାପଡିଛି କି, ଗତ କିଛି ମାସ ମଧ୍ୟରେ ବିଭିନ୍ନ କମ୍ପାନୀ ଦ୍ବାରା ହେଉଥିବା ଛଟେଇରେ ବିଶ୍ବବ୍ୟାପୀ ଦେଢ ଲକ୍ଷରୁ ଅଧିକ ଲୋକ ନିଯୁକ୍ତି ହରାଇଛନ୍ତି। ଶିକ୍ଷାଭିତ୍ତିକ ଆପ୍ ବାଇଜୁସରେ ମଧ୍ୟ କର୍ମଚାରୀଙ୍କୁ ଛଟେଇ କରାଯାଇଛି। ଏହା ଆଗକୁ ମଧ୍ୟ ଜାରି ରହିବ ବୋଲି ଅନୁମାନ କୁହାଯାଉଛି। ବିଶ୍ବର ଅର୍ଥନୈତିଜ୍ଞଙ୍କ  ଅନୁଯାୟୀ ସ୍ଥିତି ଆଗକୁ ଆହୁରି ଉତ୍କଟ ହେବ। ଆହୁରି ଲକ୍ଷ ଲକ୍ଷ ଲୋକ ନିଯୁକ୍ତି ହରାଇବାର ଭବିଷ୍ୟବାଣୀ କରୁଛନ୍ତି ବିଶେଷଜ୍ଞଗଣ। ଶିଳାସ୍ମିତା ରାୟଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *