ପାକିସ୍ତାନ: ବନ୍ୟାରେ ୧ ହଜାର ଲୋକଙ୍କ ପ୍ରାଣହାନୀ

ଇସଲାମବାଦ: ପାକିସ୍ତାନରେ ବନ୍ୟା ସ୍ଥିତି ସଂକଟାପନ୍ନ ରହିଛି। ଏପର୍ଯ୍ୟନ୍ତ ବନ୍ୟାରେ ୧ ହଜାର ଲୋକଙ୍କ ପ୍ରାଣହାନୀ ଘଟିଛି। ବନ୍ୟାର ଭୟାବହତାକୁ ଦେଖି ସରକାର ରାଷ୍ଟ୍ରୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ପ୍ରଭାବିତଙ୍କ ଥଇଥାନ ପାଇଁ ଚାନ୍ଦା ସଂଗ୍ରହ କରାଯାଉଛି। ବନ୍ୟା ସ୍ଥିତିକୁ ଦେଖି ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ତାଙ୍କ ୟୁନାଇଟେଡ କିଙ୍ଗଡମ ଯାତ୍ରା ରଦ୍ଦ କରିଦେଇଛନ୍ତି।
ପାକିସ୍ତାନରେ ବନ୍ୟା ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଏହାକୁ ନେଇ ଗୁରୁବାର ଗୁରୁବାର ସୂଚନା ଓ ପ୍ରସାରଣ ମନ୍ତ୍ରୀ ମରିୟମ ଔରଙ୍ଗଜେବ ଦେଶରେ ରାଷ୍ଟ୍ରୀୟ ଜରୁରୀକାଳୀନ ସ୍ଥିତି ଥିବା କହିଛନ୍ତୁ। ବେଲୁଚିସ୍ତାନ ଓ ସିନ୍ଧରେ ସବୁଠାରୁ ଅଧିକ କ୍ଷୟକ୍ଷତି ହୋଇଛି। ବନ୍ୟା ପ୍ରଭାବିତଙ୍କ ସହାୟତା ପାଇଁ ମନ୍ତ୍ରୀ ବିଦେଶରେ ବସବାସ କରୁଥିବା ପାକିସ୍ତାନୀଙ୍କୁ ସହାୟତାର ହାତ ବଢାଇବାକୁ ଅପିଲ କରିଛନ୍ତି। ପ୍ରଧାନମନ୍ତ୍ରୀ ମଧ୍ୟ ସ୍ଥିତିକୁ ଦେଖି ନିଜ ବ୍ରିଟେନ ଗସ୍ତକୁ ସ୍ଥଗିତ ରଖିଛନ୍ତି।
ଚଳିତ ବର୍ଷ ପାକିସ୍ତାନ ୮ଟି ଲଘୁଚାପ ବର୍ଷାର ସମ୍ମୁଖୀନ ହୋଇଛି। ଏହି ଲଘୁଚାପ ବର୍ଷାରେ ଦେଶର ଅଧିକାଂଶ ପ୍ରାନ୍ତରେ ବନ୍ୟାସ୍ଥିତି ସୃଷ୍ଟି ହୋଇଛି। ଏହି ବନ୍ୟାରେ ୩୩ ମିଲିୟନ ଲୋକ ପ୍ରଭାବିତ ହୋଇଛନ୍ତି। ଏହି ବନ୍ୟା ଜୁନ ମଧ୍ୟ ଭାଗରୁ ହୋଇଛି। ଦେଶର ମୁଖ୍ୟତଃ ଦକ୍ଷିଣ ପ୍ରାନ୍ତରେ ଅଧିକ ପ୍ରଭାବ ଦେଖିବାକୁ ମିଳିଛି। ବନ୍ୟା ଆରମ୍ଭରୁ ବର୍ତ୍ତମାନ ମଧ୍ୟରେ ୯୩୭ ଲୋକଙ୍କ ପ୍ରାଣହାନୀ ଘଟିଥିବା ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ରହିଛି।
ପ୍ରଭାବିତ ଲୋକଙ୍କୁ ଏନଡିଏମଏ, ପାକିସ୍ତାନ ଆର୍ମି, ପ୍ରାନ୍ତ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରୁଛନ୍ତି। ସିନ୍ଧ ପ୍ରାନ୍ତ ବନ୍ୟାରେ ସର୍ବାଧିକ ପ୍ରଭାବିତ ହୋଇଛି। ସେଠାରେ ୧ ମିଲିୟନ ଟେଣ୍ଟରେ ପ୍ରଭାବିତଙ୍କୁ ରଖା ଯାଇଥିବା ବେଳେ ବେଳୁଚିସ୍ତାନ ପାଇଁ ୧ ଲକ୍ଷ ଟେଣ୍ଟ ହୋଇଛି। ୧୮୪,୦୦୦ ପ୍ରଭାବିତଙ୍କୁ ସ୍ଥାନାନ୍ତର କରାଯାଇ ଟେଣ୍ଟରେ ଥଇଥାନ କରାଯାଇଥିବା ୟୁଏନର ଅଫିସର ଫର କୋଡିନେସନ ଅଫ ହୁମାନିଟେରିଆନ ଆଫାୟାର ସୂଚନା ଦେଇଛନ୍ତି।
ଗତ ୨୪ ଘଣ୍ଟାରେ ୧୫୦ କିଲୋମିଟର ରାସ୍ତା ନଷ୍ଟ ହୋଇଯାଇଛି, ୮୨ହଜାର ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏଯାବତ୍ ଦେଶର ୩ହଜାର କିଲୋମିଟ ରାସ୍ତା, ୧୩୦ଟି ପୋଲ ଓ ୪ଲକ୍ଷ ୯୫ହଜାର ଘର ନଷ୍ଟ ହୋଇଥିବା ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ତରଫରୁ ସୂଚନା ରହିଛି।