flood

  • ପାକିସ୍ତାନ:  ବନ୍ୟାରେ ୧ ହଜାର ଲୋକଙ୍କ ପ୍ରାଣହାନୀ

    ଇସଲାମବାଦ: ପାକିସ୍ତାନରେ ବନ୍ୟା ସ୍ଥିତି ସଂକଟାପନ୍ନ ରହିଛି। ଏପର୍ଯ୍ୟନ୍ତ ବନ୍ୟାରେ ୧ ହଜାର ଲୋକଙ୍କ ପ୍ରାଣହାନୀ ଘଟିଛି। ବନ୍ୟାର ଭୟାବହତାକୁ ଦେଖି ସରକାର ରାଷ୍ଟ୍ରୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ପ୍ରଭାବିତଙ୍କ ଥଇଥାନ ପାଇଁ ଚାନ୍ଦା ସଂଗ୍ରହ କରାଯାଉଛି। ବନ୍ୟା ସ୍ଥିତିକୁ ଦେଖି ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ତାଙ୍କ ୟୁନାଇଟେଡ କିଙ୍ଗଡମ ଯାତ୍ରା ରଦ୍ଦ କରିଦେଇଛନ୍ତି।

    ପାକିସ୍ତାନରେ ବନ୍ୟା ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଏହାକୁ ନେଇ ଗୁରୁବାର ଗୁରୁବାର ସୂଚନା ଓ ପ୍ରସାରଣ ମନ୍ତ୍ରୀ ମରିୟମ ଔରଙ୍ଗଜେବ ଦେଶରେ ରାଷ୍ଟ୍ରୀୟ ଜରୁରୀକାଳୀନ ସ୍ଥିତି ଥିବା କହିଛନ୍ତୁ। ବେଲୁଚିସ୍ତାନ ଓ ସିନ୍ଧରେ ସବୁଠାରୁ ଅଧିକ କ୍ଷୟକ୍ଷତି ହୋଇଛି। ବନ୍ୟା ପ୍ରଭାବିତଙ୍କ ସହାୟତା ପାଇଁ ମନ୍ତ୍ରୀ ବିଦେଶରେ ବସବାସ କରୁଥିବା ପାକିସ୍ତାନୀଙ୍କୁ ସହାୟତାର ହାତ ବଢାଇବାକୁ ଅପିଲ କରିଛନ୍ତି। ପ୍ରଧାନମନ୍ତ୍ରୀ ମଧ୍ୟ ସ୍ଥିତିକୁ ଦେଖି ନିଜ ବ୍ରିଟେନ ଗସ୍ତକୁ ସ୍ଥଗିତ ରଖିଛନ୍ତି।

    ଚଳିତ ବର୍ଷ ପାକିସ୍ତାନ ୮ଟି ଲଘୁଚାପ ବର୍ଷାର ସମ୍ମୁଖୀନ ହୋଇଛି। ଏହି ଲଘୁଚାପ ବର୍ଷାରେ ଦେଶର ଅଧିକାଂଶ ପ୍ରାନ୍ତରେ ବନ୍ୟାସ୍ଥିତି ସୃଷ୍ଟି ହୋଇଛି। ଏହି ବନ୍ୟାରେ ୩୩ ମିଲିୟନ ଲୋକ ପ୍ରଭାବିତ ହୋଇଛନ୍ତି। ଏହି ବନ୍ୟା ଜୁନ ମଧ୍ୟ ଭାଗରୁ ହୋଇଛି। ଦେଶର ମୁଖ୍ୟତଃ ଦକ୍ଷିଣ ପ୍ରାନ୍ତରେ ଅଧିକ ପ୍ରଭାବ ଦେଖିବାକୁ ମିଳିଛି। ବନ୍ୟା ଆରମ୍ଭରୁ ବର୍ତ୍ତମାନ ମଧ୍ୟରେ ୯୩୭ ଲୋକଙ୍କ ପ୍ରାଣହାନୀ ଘଟିଥିବା ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ରହିଛି।

    ପ୍ରଭାବିତ ଲୋକଙ୍କୁ ଏନଡିଏମଏ, ପାକିସ୍ତାନ ଆର୍ମି, ପ୍ରାନ୍ତ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରୁଛନ୍ତି। ସିନ୍ଧ ପ୍ରାନ୍ତ ବନ୍ୟାରେ ସର୍ବାଧିକ ପ୍ରଭାବିତ ହୋଇଛି। ସେଠାରେ ୧ ମିଲିୟନ ଟେଣ୍ଟରେ ପ୍ରଭାବିତଙ୍କୁ ରଖା ଯାଇଥିବା ବେଳେ ବେଳୁଚିସ୍ତାନ ପାଇଁ ୧ ଲକ୍ଷ ଟେଣ୍ଟ ହୋଇଛି। ୧୮୪,୦୦୦ ପ୍ରଭାବିତଙ୍କୁ ସ୍ଥାନାନ୍ତର କରାଯାଇ ଟେଣ୍ଟରେ ଥଇଥାନ କରାଯାଇଥିବା ୟୁଏନର ଅଫିସର ଫର କୋଡିନେସନ ଅଫ ହୁମାନିଟେରିଆନ ଆଫାୟାର ସୂଚନା ଦେଇଛନ୍ତି।

    ଗତ ୨୪ ଘଣ୍ଟାରେ ୧୫୦ କିଲୋମିଟର ରାସ୍ତା ନଷ୍ଟ ହୋଇଯାଇଛି, ୮୨ହଜାର ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏଯାବତ୍ ଦେଶର ୩ହଜାର କିଲୋମିଟ ରାସ୍ତା, ୧୩୦ଟି ପୋଲ ଓ ୪ଲକ୍ଷ ୯୫ହଜାର ଘର ନଷ୍ଟ ହୋଇଥିବା ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ତରଫରୁ ସୂଚନା ରହିଛି।

  • ସହରରେ ବନ୍ୟା: ନୟାନ୍ତ ସହରୀ

    ବନ୍ୟା ପରିସ୍ଥିତିରେ ବେହାଲ ଓଡ଼ିଶା। ଯୁଆଡେ ଦେଖିଲେ ଖାଲି ପାଣି ଆଉ ପାଣି। ଦୁର୍ଦ୍ଦଶାର ଚିତ୍ର ଗାଁରୁ ସହର ଯାଏଁ ଲମ୍ୱିଛି। ପାଣି ଘେରରେ ଲକ୍ଷାଧିକ ଲୋକ ଓ ଜୀବଜନ୍ତୁ ରହିଛନ୍ତି। ଅନେକ ସ୍ଥାନରେ ଘାଇ ହେବାରୁ ନଦୀକୂଳିଆ ଅଞ୍ଚଳ ବ୍ୟାପକ ଭାବେ ପ୍ରଭାବିତ। ଚାଷଜମିରେ ଲହଡ଼ି ଭାଙ୍ଗୁଛି ବନ୍ୟା ପାଣି। ଚୂଲି ଚାଳ ଭାଷୁଛି, ଗୋରୁ ଗାଇ ଖାଦ୍ୟ ବିନା ହନ୍ତସନ୍ତ। କେଉଁଠି ଏବେ ମଧ୍ୟ ଜଳବନ୍ଦୀ ଅବସ୍ଥା ତ କେଉଁଠି ଧିରେ ଧିରେ ସ୍ୱାଭାବିକ ହେଉଛି ପରିସ୍ଥିତି। ଏସବୁ ମଧ୍ୟରେ ଉଦବେଗର ଅନ୍ୟତମ କାରଣ ହୋଇଛି ସହରୀ ବନ୍ୟା । ଯାହା ପ୍ରାକୃତିକ ନୁହେଁ ମନୁଷ୍ୟକୃତ ବୋଲି ଜଳ ଜଳ ଦିଶୁଛି। ରାଜଧାନୀ ଉପକଣ୍ଠର ବସତି ହେଉ ବା ବନ୍ୟା ପ୍ରଭାବିତ ଜିଲ୍ଲାର ସହରାଞ୍ଚଳ। ସବୁଠି ଦୁର୍ଦ୍ଦଶା। ଚକଚକିଆ ଘର, କିନ୍ତୁ ଘର ଭିତରେ ଛାତିଏ ପାଣି। ଘରେ ୪ ଚକିଆ ଗାଡ଼ି, ଯାହା ପାଣିରେ ବୁଡିଛି। ବିଜୁଳି ସଂଯୋଗ କଟାଯାଇଛି। ପିଇବା ପାଣିର ସମସ୍ୟା। ହାତରେ ପଇସା ଥାଇ ବି ଘରୁ ଗୋଡ଼ କାଢି ଆବଶ୍ୟକୀୟ ସାମଗ୍ରୀ ଆଣିବା ସମ୍ଭବ ହେଉନି। ସହରର ଅଧା ସ୍ଥାନ ଶୁଖିଲା ଆଉ ଅଧାରେ ପାଣି ଶୁଖୁନି । ଉଦ୍ଧାରକାରୀ ଦଳ ଆସି ଛୋଟ ଶିଶୁ, ରୋଗୀଣା ଲୋକଙ୍କୁ ସେ ଅଞ୍ଚଳରୁ ବାହାରକୁ କାଢୁଛନ୍ତି। ପରିସ୍ଥିତି ଏମିତି ଯେ ସହରର ଘର ଛାଡ଼ି ଅନ୍ୟତ୍ର ଯାଉଛନ୍ତି ଲୋକ। ଆଗକୁ ଆହୁରି ବର୍ଷା ହେବା ପାଣିପାଗ ବିଭାଗ ଜଣାଇବା ବେଳକୁ ଛାତିରେ ଛନକା ପଶୁଛି। ଦୁର୍ଦ୍ଦଶା ସମୟ ସହ ବଢିବା ଥୟ।

    ବନ୍ୟା ପ୍ରଭାବିତ ଅଞ୍ଚଳବାସୀ ବନ୍ୟା ସହ ପରିଚିତ କିନ୍ତୁ ସହର ଲୋକଙ୍କର ଏ ପରିଚୟ ଯାହା ଦେଖା ଯାଉଛି ଆଗକୁ ଆହୁରି ଘନିଷ୍ଠ ହେବ। ସହରରେ ସ୍ୱପ୍ନର ଘର ତିଆରି ହେଲା କିନ୍ତୁ ସେଠି ବର୍ଷା ମାସ ତକ ରହିବା ନା ଅନ୍ୟତ୍ର ବ୍ୟବସ୍ଥା କରିବା ସେ ଚିନ୍ତାରେ ସହରବାସୀ। ଘାଇ, ଘଳିଆ ସହ ପଛୁଆ ପାଣି ପଶିବାର ଦୁର୍ଦ୍ଦଶା ଆଗରୁ ହୀରାକୁଦ ନିକଟବର୍ତ୍ତୀ ଜିଲ୍ଲାର ସହରବାସୀ ଭୋଗିଛନ୍ତି। ବର୍ଷାରେ ମୁନ୍ଦାଏ ପାଣିରେ କେମିତି କଟକ ବୁଡ଼େ ସେ ଚର୍ଚ୍ଚା ହୋଇଛି । ନଦୀ ପଠା ଭିତରକୁ ମାଡ଼ି ଯାଇ କେମିତି ଘରବାଡି ହେଉଛି। ବଡ ବଡ କୋଠା ଛିଡ଼ା କରାଯାଉଛି ସେ ସବୁ ଅଳ୍ପ ବହୁତେ ଆଲୋଚନା ବିଭିନ୍ନ ସମୟରେ ହୋଇଛି। କିନ୍ତୁ କାହା ଅନୁମତିରେ ସେ ଘର ନିର୍ମାଣ ହେଲା। କାହିଁକି ଖାଲ ଢିପ ବାଛବିଚାର ନହୋଇ ପୋଖରୀ, ଗଡ଼ିଆ, ପୁଷ୍କରିଣୀ ପୋତି ଲୋକ ରହିଲେ ଏବେ ସମସ୍ତେ ସମସ୍ତଙ୍କୁ ପଚରାଉଚରା କରୁଛନ୍ତି। କିନ୍ତୁ ଉତ୍ତର ଦେବା ବେଳେ ନା ଘର କରି ରହିବା ଲୋକ ନା ଘର ପାଇଁ ଅନୁମତି ଦେବା ଲୋକ ବାସ୍ତବରେ ଉତ୍ତରଦାୟୀ ହେବାକୁ କେହି ଚାହୁଁ ନାହାଁନ୍ତି।

    ଉପଯୁକ୍ତ ଯୋଜନା ସହ ନିରନ୍ତର ବିକାଶ ଲକ୍ଷ୍ୟ ନେଇ ସହର ଗଢି ଉଠିବା ଆବଶ୍ୟକ। ଜନସଂଖ୍ୟା ବଢୁଛି ବିଭିନ୍ନ ସହରରେ ରୋଜଗାରର ଆବଶ୍ୟକତା ଦେଖି ନିର୍ଦ୍ଧିଷ୍ଟ ସ୍ଥାନ ମାନଙ୍କରେ ଜନସାନ୍ଧ୍ରତା ବୃଦ୍ଧି ପାଉଛି। ତେଣୁ ଲୋକଙ୍କ ବସତି ପାଇଁ ସହରର କାୟା ବଢିବ। କିନ୍ତୁ ସେ ସହରକୁ ରହିବା ଯୋଗ୍ୟ କରିବା, ସହରବାସିନ୍ଦାଙ୍କୁ ସୁସ୍ଥ ପରିବେଶ ଯୋଗାଇବାକୁ ହେଲେ ସହର କେବଳ କଂକ୍ରିଟରେ ଗଢା ହେବ ନାହିଁ। ସେଠି ସବୁଜ ଆସ୍ତରଣ ରହିବ, ଜଳ ଉତ୍ସ ରହିବ, ସହରରେ ଆବଶ୍ୟକୀୟ ଡ୍ରେନେଜ୍ ଓ ସ୍ୱେରେଜ ବ୍ୟବସ୍ଥା ରହିବା ଜରୁରୀ। କିନ୍ତୁ ଏସବୁର ଅଭାବ କେବଳ ରାଜଧାନୀ ଭୁବନେଶ୍ୱରକୁ ଉଦାହରଣ ଆକାରରେ ନେଲେ ବୁଝିହେବ। ଏଠି କେତେବେଳେ ନ୍ୟାସନାଲ ହାଇୱେ, କେବେ ଷ୍ଟେଟ ରୋଡ୍ ସହ ଡ୍ରେନେଜ୍ ସିଷ୍ଟମର ସମସ୍ୟାକୁ ଯୋଡ଼ାଯାଏ ତ ପୁଣି କେତେବେଳେ ଦୋଷ ଦିଆନିଆ ହୋଇ କଥା ଶେଷ କରାଯାଏ। ତେବେ ସମୟ ସହ ସମସ୍ୟା ବଢୁଛି ଏହାକୁ ସମସ୍ତେ ଆଖି ଆଗରେ ଦେଖୁଛନ୍ତି। ଯଦି ପାଣିପାଗ ପରିବର୍ତ୍ତନ ନୂଆ ନୂଆ ଆହ୍ୱାନ ଆଣୁଛି, ତେବେ ଏହାର ସ୍ଥାୟୀ ସମାଧାନ ପାଇଁ ଉନ୍ନତ ବ୍ୟବସ୍ଥା ହେବା ଆବଶ୍ୟକ।

    ଅବଶ୍ୟ କେବଳ ଯେ ଆମ ରାଜ୍ୟର ସହର ବନ୍ୟାରେ ବୁଡ଼ୁଛି ତା ନୁହେଁ । ମୁମ୍ୱାଇ, ଦିଲ୍ଲୀ, କୋଲକାତା, ଚେନ୍ନାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ, ଅହମ୍ମଦାବାଦ ଆଦି ବଡ ସହରରେ କେମିତି ସହର ବଢିବା ବେଳେ ଗଢିବା ଯୋଜନା ଫେଲ ମାରିଛି ତାହା ବିଗତ ଦିନରେ ଧରା ପଡ଼ିଛି। ଏହି ସହରୀ ବନ୍ୟା ଶହ ଶହ ଲୋକଙ୍କ ଜୀବନ ନେଲାଣି। ତଥାପି ଆମେ ବୁଦ୍ଧି ଶିଖିନୁ। ଆଜି ଆମେ ସହରରେ ବନ୍ୟା ଦେଖୁଛୁ ଅର୍ଥାତ୍ କାଲି ନିଶ୍ଚୟଁ ମରୁଡ଼ି ଦେଖିବା ଯେଉଁଠି ଜଳର ଘୋର ଅଭାବ ରହିବ। ସହରକୁ ଆମେ ଏମିତି ନିର୍ମାଣ ସାମଗ୍ରୀରେ ଗଢିଛୁ ଯେଉଁଠି ବର୍ଷା ଜଳ ମାଟି ତଳକୁ ଶୋଷିବାର ଉପାୟ ନାହିଁ । ବଡ ବଡ ଫ୍ଲାଏ ଓଭର ତିଆର ବେଳେ ବନ୍ୟା ଜଳ ସଂରକ୍ଷଣ, ଭୂତଳ ଜଳସ୍ତର ବଢାଇବାର ଉପାୟ କରୁନୁ। ଚେନାଏ ମାଟି ଜାଗା ନରଖି ଚାରିଆଡେ କଂକ୍ରିଟର ଗାଲିଚା ବିଛାଉଛୁ। ପରିବେଶ ଅନୁକୂଳ ସହର ନିର୍ମାଣ ଆଜି ଦିନର ଆବଶ୍ୟକତା ହୋଇଥିଲେ ମଧ୍ୟ ତାକୁ ଆମେ ଭୁଲିଯାଉଛୁ। ସବୁଠାରୁ ବିଡମ୍ୱନା ଯାହାକୁ ବେଆଇନ ଜବରଦଖଲ ଜମିରେ ଘର କରାଯାଇଛି କୁହାଯାଉଛି ସେ ମଧ୍ୟରୁ ଅନେକଙ୍କୁ ଆଇନସମ୍ମତ କରିବାର ଉପାୟ କରାଯାଏ ତାହା ପୁଣି ସରକାରୀ ଭାବେ। ସେଥିପାଇଁ ସହରୀ ବନ୍ୟା ମନୁଷ୍ୟକୃତ ବୋଲି କୁହାଯାଉଛି।

    ସ୍ମାର୍ଟ ସିଟି କଥା ଢେର ଚର୍ଚ୍ଚା ହେଉଛି ହେଲେ ପରିବେଶ ଅନୁକୂଳ, ବିପର୍ଯ୍ୟୟ ପ୍ରତିରୋଧକାରୀ ସହର ନିର୍ମାଣ ପ୍ରାଥମିକତାରେ ନାହିଁ। ସହର ମାଷ୍ଟରପ୍ଲାନ୍ ର ମୂଳ ପ୍ରସଙ୍ଗ ଡ୍ରେନେଜ୍ ସିଷ୍ଟମ୍ ଯାହା ପରିମଳ ପାଇଁ ଏବଂ ବର୍ଷାଜଳ ନିଷ୍କାସନ ପାଇଁ ସହାୟକ ହୁଅନ୍ତା କିନ୍ତୁ ସେ ଦିଗକୁ ଗୁରୁତ୍ୱ ନାହିଁ। ‘ଲ୍ୟାଣ୍ଡ ରେଗୁଲେସନ୍ ରୁଲ୍’ ପ୍ରୀୟାପ୍ରିତିରେ ଚାଲିଲେ ଏ ସମସ୍ୟା ସୁଧୁରିବ ନାହିଁ। ‘ପ୍ରାକୃତିକ ଜଳ ଉତ୍ସର ପୁନଃଉଦ୍ଧାର ଆମ ସହର ପାଇଁ ଆବଶ୍ୟକ’ ତାହା କେବଳ ସ୍ଲୋଗାନ ହୋଇଛି। ତେଣୁ ଅଧପନ୍ତରିଆ ବିକାଶ ସହରକୁ ସ୍ମାର୍ଟ ନୁହେଁ ମାଧିଆ କରିଛି। ଏବଂ ଭବିଷ୍ୟତକୁ ଦୃଷ୍ଟିରେ ରଖି ସହର ଗଢା ଯାଉନି କି ସହର ସମ୍ପ୍ରସାରିତ ହେଉନି। ଖାଲୁଆ ସ୍ଥାନରେ ଘର ଆଉ ତାଠାରୁ ଯଥେଷ୍ଟ ଉଚ୍ଚରେ ରାସ୍ତା ଭଳି ବିକଳ ପ୍ଲାନିଂ ସହ ଆମେ ସହର ବିକାଶ ଯୋଜନାକୁ ଆଗେଇ ନେଉଛୁ। ନଦୀ ଜଳର ଗତିପଥ ଅବରୋଧ ଏକ ଅଭ୍ୟାସ ହୋଇଛି। ଆଜି ସବୁଠି ସ୍ପଞ୍ଜ୍ ସିଟି କଥା କୁହାଯାଉଛି। ସହଜରେ ବୁଝିବାକୁ ହେଲେ, ଏମିତି ସହର ତିଆର ହେଉ ଯିଏ ବର୍ଷା ପାଣିକୁ ସ୍ପଞ୍ଜ୍ ଭଳି ଶୋଷି ନେବ, ଛାଣି ପାରିବ ଏବଂ ମାଟି ତଳର ଜଳ ଉତ୍ସରେ ମିଶିବ। କିନ୍ତୁ ଦୁର୍ଭାଗ୍ୟର କଥା ଆମେ ନିଜେ ଆମ ରାଜଧାନୀକୁ ସ୍ପଞ୍ଜ୍ ସିଟି ରୁ କଂକ୍ରିଟ୍ ସିଟିରେ ହାତେ ହାତେ ତିଆରି କରିଛୁ। ତେଣୁ ସହରରେ ବନ୍ୟା ହେବ ନିଶ୍ଚୟଁ ଆଉ ସହରୀ ଲୋକ ବର୍ଷା ଦିନେ ଏମିତି ହନ୍ତସନ୍ତ ହେବା ଥୟ।

    • ସୁପ୍ରିୟା ଦାଶଙ୍କ ରିପୋର୍ଟ

  • କଲ୍ୟାଣପୁର ଗାଁରେ ବିଧାୟକ ଓ ସାଂସଦ

    ଭୁବନେଶ୍ବର: ରାଜ୍ୟ ବ୍ୟାପୀ ଜାରି ରହିଛି ବନ୍ୟା ବିତ୍ପାତ। ଖାଲି ଗାଁ ଗହଳି ନୁହେଁ ଚଳିତ ବନ୍ୟାରେ ରାଜଧାନୀ ଭୁବନେଶ୍ବର ମଧ୍ୟ ବନ୍ୟା ପ୍ରଭାବରୁ ବର୍ତ୍ତି ଭୁବନେଶ୍ବରର ଏକାମ୍ର ନିର୍ବାଚନ ମଣ୍ଡଳୀ ଅଧୀନରେ ଯାଉଥିବା ଟିକରପଡା ଗ୍ରାମପଞ୍ଚାୟତର କଲ୍ୟାଣପୁର ଗାଁରେ ବନ୍ୟାକୁ ନେଇ ନାନା ସମସ୍ୟାରେ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ l ପାଣି କିଛିକାଂଶରେ ଛାଡ଼ିଯାଇଛି । ହେଲେ ରାସ୍ତା ଉପରେ ୬-୭ ଦିନ ହେଲାଣି ଦୁର୍ଦଶା ଭୋଗୁଛନ୍ତି ଲୋକେ l ସେପଟେ ଗାଁରେ ପହଂଚି ରିଲିଫ ବାଣ୍ଟିଛନ୍ତି ସ୍ଥାନୀୟ ବିଧାୟକ ଅଶୋକ ପଣ୍ଡା। ଭୁବନେଶ୍ୱର ସାଂସଦ ମଧ୍ୟ ବନ୍ୟା ପ୍ରଭାବିତ ଏହି ଅଞ୍ଚଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି l

    ସ୍ବପ୍ନର ଘରକୁ ଉଜାଡି ଦେଇଛି ବନ୍ୟା l ସରକାର ତ ପକ୍କା ଘର ଦେଇନାହାନ୍ତି କିନ୍ତୁ ଚାଳ, ଝୁମ୍ପୁଡି ଘର ହେଲେବି ସେଥିରେ ମୁଣ୍ଡ ଗୁଂଜୁଥିଲେ କଲ୍ୟାଣପୁର ତଳସାହିର ଲୋକେ l ହେଲେ  ବନ୍ୟା ପାଣି ଗାଁରେ କମିବାକୁ ଲାଗିଥିବା ବେଳେ କିନ୍ତୁ ସମ୍ପୂର୍ଣ୍ଣ ଛାଡିନାହିଁ। ତେଣୁ ରାସ୍ତା ଉପରେ ପଡିରହିଛନ୍ତି ଗ୍ରାମବାସୀ।  ଶୁଖିଲା ଖାଦ୍ୟ ଖାଇ ୬-୭ ଦିନ ହେବ ଦିନ କାଟିଛନ୍ତି ଏହି ଅଞ୍ଚଳର ଲୋକେ l ହେଲେ  ରନ୍ଧା ଖାଦ୍ୟ ମିଳୁନାହିଁ l ସେପଟେ ସ୍ୱାସ୍ଥ୍ୟ କଥା ନ କହିବା ଭଲ। ଏବେ ମଧ୍ୟ ଘର ସବୁ ପାଣି ଘେରରେ ରହିଛି। ବନ୍ଧରୁ ଘରକୁ ହେଉ ବା ଅନ୍ୟ କୌଣସି କାମରେ ଯିବାକୁ ହେଲେ ପାଣିରେ ଯାଅଆସ କରୁଛନ୍ତି। ଫଳରେ ଜଳ ଜନିତ ରୋଗରେ ବହୁ ଲୋକ ପଡିଲେଣି। ଯାହା କିଛି ଚାଷ କରିଥିଲେ ସସବୁ ମଧ୍ୟ ଧୋଇ ନେଇଛି ବନ୍ୟା। ତେଣୁ ବର୍ଷ ତମାମର ରୋଜଗାର ହରାଇ ଚିନ୍ତାରେ ସ୍ଥାନୀୟ ଜନସାଧାରଣ l

    ବନ୍ୟାର ୭ ଦିନ ପରେ  ସ୍ଥାନୀୟ ବିଧାୟକ ଅଶୋକ ପଣ୍ଡା ଲୋକଙ୍କୁ ରିଲିଫ ବାଣ୍ଟିବା ସହ ବନ୍ୟା ପାଣି ଯେପରି ଆଗାମୀଦିନରେ କଲ୍ୟାଣପୁର ଗାଁକୁ ପ୍ରଭାବିତ ନ କରେ ସେଥିପାଇଁ ଉଚ୍ଚସ୍ତରୀୟ ବୈଠକ କରି ସମାଧାନ କରାଯିବ ବୋଲି କହିଛନ୍ତି l ସେହିପରି ଖୁବଶୀଘ୍ର ଚାଷ ଜମି ନଷ୍ଟ ବା କ୍ଷୟକ୍ଷତିର ଆକଳନ କରାଯାଇ ଯେଉଁ ସୁବିଧା ରହିଛି ତାହା ଜନସାଧାରଣଙ୍କୁ ଯୋଗାଇ ଦିଆଯିବ ବୋଲି କହିଛନ୍ତି ବିଧାୟକ l ଅନ୍ୟପଟେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବିଜେପି ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ ପ୍ରଭାବିତ ଅଞ୍ଚଳର ସ୍ଥିତି ସମୀକ୍ଷା କରି ଜନସାଧାରଣଙ୍କ ଭଲ ମନ୍ଦ ବୁଝିଛନ୍ତି।

    ସିମ୍ପୁଲ ନାୟକଙ୍କ ରିପୋର୍ଟ

  • ବନ୍ୟାପାଣି ଘେରରେ ଧାମନଗର ବ୍ଲକର ଅନେକ ପଞ୍ଚାୟତ

    ଭଦ୍ରକ: ବୈତରଣୀରେ ବନ୍ୟା ଜଳ ଏବେ ହ୍ରାସ ପାଇବାରେ ଲାଗିଛି।  କିନ୍ତୁ ତଳ ମୁଣ୍ଡରେ ବନ୍ୟା ଜଳ ବଢ଼ିଥିବାରୁ, ଜଳ ଘେରରେ ରହୁଛନ୍ତି ଲୋକେ। ଗୋଟିଏ ସପ୍ତାହରେ ବୈତରଣୀରେ ୨ ଥର ବନ୍ୟା ଆସିବା ଯୋଗୁଁ ଲୋକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଲୋକଙ୍କ ଘରେ ପାଣି ପଶିଯାଇଥିବା ବେଳେ ଗାଁ ଦାଣ୍ଡରେ ଆଣ୍ଠୁଏ ବନ୍ୟା ଜଳ ଲହଡି ମାରୁଛି। ଜଳଘେରରେ ରହିଛି ଧାମନଗର ବ୍ଲକର ଅନେକ ପଞ୍ଚାୟତ । ଏଥିସହ ବଢୁଛି ବନ୍ୟା ବିପନ୍ନଙ୍କ ସମସ୍ୟା । କିଛି  ପଞ୍ଚାୟତ ତରଫରୁ ଶୁଖିଲା ଖାଦ୍ୟର ବ୍ୟବସ୍ଥା କରାଯାଇଥିଲେ ସୁଧା ଅନେକ ପରିବାର ଏଵେବି ଜଳବନ୍ଦୀ ଜୀବନ କଟୁଛନ୍ତି । ଏଥିସହ ଚାରିଦିନ ହେବ ଭୋକ ଉପାସରେ ଦିନ କାଟୁଛନ୍ତି କାଇଥାଡିହ ଗାଁର ୧୫୦ରୁ ଉର୍ଦ୍ଧ୍ବ ଲୋକ ।  ପ୍ରଶାସନ ପକ୍ଷରୁ ବନ୍ୟା ବିପନ୍ନକୁ କୈଣସି ସୁବିଧା ମିଳିନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।

  • ବନ୍ୟା ଟଳିଛି। ହେଲେ ବିପନ୍ନଙ୍କ ଦୁର୍ଦ୍ଦଶା ଯାଇନି

    ବନ୍ୟା ଟଳିଛି। ହେଲେ ବିପନ୍ନଙ୍କ ଦୁର୍ଦ୍ଦଶା ଯାଇନି। ଏବେ ବି ବିପନ୍ନ ଦହଗଞ୍ଜ ହେଉଛନ୍ତି। ତେବେ ବିପନ୍ନଙ୍କ ପାଖକୁ ନେତାଙ୍କ ସୁଅ ଛୁଟିଛି। ବାଲେଶ୍ୱର ଜିଲ୍ଲାରେ ବନ୍ୟା ପରିସ୍ଥିତି ଲାଗି ମନ୍ତ୍ରୀ ପ୍ରତାପ ଦେବ ସେଠାରେ ଡେରା ପକାଇ ବସିଛନ୍ତି। ବୈତରଣୀରେ ଦ୍ୱିତୀୟ ବନ୍ୟା ଲାଗି ଗାଁ ଦାଣ୍ଡରେ ଏବେ ବି ଆଣ୍ଠୁଏ ପାଣି ଚାଲୁଛି। ସେପଟେ ପ୍ରଭାବିତ ଅଞ୍ଚଳକୁ ବିଭିନ୍ନ ଦଳର ନେତା ଗସ୍ତ କରୁଛନ୍ତି। ଏବେ ବି ଘର ଭିତରେ ଆଣ୍ଠୁଏ ପାଣି। ଗାଁ ଦାଣ୍ଡରେ ଲହଡ଼ି ମାରୁଛି। ପାଣି ମୁନ୍ଦେ ପାଇଁ ଲୋକେ ଡହଳବିକଳ। ରିଲିଫ ଖାଦ୍ୟକୁ ଭରସା କରି ଭୋକ ମେଣ୍ଟାଉଛନ୍ତି। ପାଣି ଘେରରେ ଥିବା କଣାସ ବ୍ଲକର ଦୋକନ୍ଦା ଗ୍ରାମବାସୀଙ୍କ ଏ ଦୁର୍ଦ୍ଦଶା। ବିଜିପୁର ପଞ୍ଚାୟତ ବୁଲି ସ୍ଥିତି ପରଖିଛନ୍ତି ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ସରପଞ୍ଚ।

    ସେପଟେ ବିଜେପି ନେତା ସମ୍ୱିତ ପାତ୍ର ଅନ୍ୟ ବରିଷ୍ଠ ନେତାଙ୍କ ସହ କଣାସର ବନ୍ୟା ପ୍ରଭାବିତ ଗାଁକୁ ଯାଇ ସ୍ଥିତି ଦେଖିବା ସହ ବିପନ୍ନଙ୍କୁ ରନ୍ଧା ଖାଦ୍ୟ ବାଣ୍ଟିଛନ୍ତି। ଅପରାହ୍ନରେ ଏସଆରସିଙ୍କୁ ଭେଟି ଗ୍ରାଉଣ୍ଡର ବାସ୍ତବତା ଓ ପ୍ରଶାସନିକ ବିଫଳତାକୁ ନେଇ ଦୃଷ୍ଟି ଆକର୍ଷଣ କରିଛନ୍ତି। ବୈତରଣୀର ଜଳସ୍ତର କମିବା ପରେ ଭଣ୍ଡାରିପୋଖରୀ ବ୍ଲକର ମମାଦୁଲା ଓ ପଙ୍ଗଟା ଉପର ସାହିରେ ହୋଇଥିବା ଘଳିଆକୁ ମରାମତି କରାଯାଇଛି। ବାଲି ବସ୍ତା ପକାଇ ଅଟକାଯାଇଛି। ଧାମନଗର, ତିହିଡି ଓ ଚାନ୍ଦବାଲି ବ୍ଲକର ଅନେକ ଗାଁ ଏବେ ବି ଜଳବନ୍ଦୀ। ଅର୍ଜୁନପୁର ପଞ୍ଚାୟତ ପକ୍ଷରୁ ଶୁଖିଲା ଖାଦ୍ୟର ବ୍ୟବସ୍ଥା ହୋଇଛି। ବାଙ୍କି ରତାଗଡ଼ ପଞ୍ଚାୟତରେ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ବଢିଛି। ହୁଳୁହୁଳା ପୋଲ ଦେଇ ମହାନଦୀର ପଛୁଆ ପାଣି ପଶିଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

    ଯାଜପୁର ଜିଲ୍ଲା ଦଶରଥପୁର ବନ୍ୟାଞ୍ଚଳ ବୁଲିଛନ୍ତି କଂଗ୍ରେସ ନେତା ପଞ୍ଚାନନ କାନୁନଗୋ। କାଣୀ ନଦୀରେ ଘାଇକୁ ସରକାରୀ ଘାଇ ବୋଲି କହିଛନ୍ତି ପଞ୍ଚାନନ। ସେପଟେ ସୁବର୍ଣ୍ଣରେଖାରେ ବନ୍ୟା ଆସିଥିବାରୁ ବାଲେଶ୍ୱର ଜିଲ୍ଲାରେ ଡେରା ପକାଇଛନ୍ତି ମନ୍ତ୍ରୀ ପ୍ରତାପ ଦେବ। ବାଲିଆପାଳ ବ୍ଲକର ୧୯ଟି ପଞ୍ଚାୟତ କ୍ଷୟକ୍ଷତି ହୋଇଛି। ୪୦ଟି ବୋଟ୍ ମହଜୁଦ ରଖିବା ସହ ୫୦ଟି ସେଣ୍ଟରରେ ଲୋକଙ୍କୁ ରଖି ରନ୍ଧାଖାଦ୍ୟ ଦିଆଯାଉଛି। ବନ୍ୟାପାଣି କମିଲେ କ୍ଷୟକ୍ଷତିର ଆକଳନ ହେବ ବୋଲି କହିଛନ୍ତି ମନ୍ତ୍ରୀ। ଜରୁରୀକାଳୀନ ସ୍ଥିତିର ମୁକାବିଲା ପାଇଁ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଏସଆରସି କ୍ଷମତା ଦେଇଛନ୍ତି ରାଜ୍ୟ ସରକାର। ବନ୍ୟା ସ୍ଥିତି ଆହୁରି ୩ ଦିନ ଲାଗି ରହିବ ବୋଲି କୁହାଯାଉଛି। ତା ପଛକୁ ମଙ୍ଗଳବାରରୁ ପୁଣି ବର୍ଷା ବିପନ୍ନଙ୍କ ବିପତ୍ତି ବଢ଼ାଇଦେବ ବୋଲି କୁହାଯାଉଛି।

    • ଭଣ୍ଡାରିପୋଖରୀରୁ ସତ୍ୟବ୍ରତ, ବାଙ୍କିରୁ ମନୋଜ, ପିପିଲିରୁ ସନ୍ତୋଷ, ଭୁବନେଶ୍ୱରରୁ ସ୍ୱରୂପା ଓ ପ୍ରଦୀପ ନାୟକଙ୍କ ରିପୋର୍ଟ
  • ତଳିଆ ଅଞ୍ଚଳରେ ପଶିଲା ବନ୍ୟାଜଳ

    ବାଲେଶ୍ୱର: ବାଲେଶ୍ୱର ତଳିଆ ଅଞ୍ଚଳରେ ପଶିଲା ସୁବର୍ଣ୍ଣରେଖା ନଦୀର ପାଣି। ଚାନ୍ଦମାରିପଡିଆ, ଫୁଲାଡି, କଣ୍ଟାବଣିଆ ଆଦି ଅଞ୍ଚଳରେ ବନ୍ୟା ପାଣି ପଶିବାରୁ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ତେବେ ଉପର ମୁଣ୍ଡରେ ବର୍ଷା ଯୋଗୁଁ ସୁବର୍ଣ୍ଣରେଖା ନଦୀରେ ବଡ ଧରଣର ବନ୍ୟା ଆଶଙ୍କା  କରିଛି ପ୍ରଶାସନ। ଏହାକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ସ୍ଥାନାନ୍ତର କରାଯିବା ଆରମ୍ଭ କରିଛି ପ୍ରଶାସନ। ତେବେ ବର୍ତମାନ ସ୍ଥିତିରେ ଯଦିଓ ସୁବର୍ଣ୍ଣରେଖା ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି, ତଥାପି ଉପରମୁଣ୍ଡରେ ପ୍ରବଳବର୍ଷା ଯୋଗୁ୍ଁ ଜଳସ୍ତର ବଢିବାରେ ଲାଗିଛି। ବର୍ତ୍ତମାନ ଜଳକାନଦୀ ମଥାନୀଠାରେ ୬.୯୦ରେ ପ୍ରବାହିତ ହେଉଛି। ବୁଢାବଳଙ୍ଗ ୭.୮୭ ରେ ପ୍ରବାହିତ ହେଉଥିଲାବେଳେ ବିପଦ ସଙ୍କେତ ରହିଛି ୮.୧୩ । ସୁବର୍ଣ୍ଣରେଖା ୭.୯୮ରେ ପ୍ରବାହିତ ହେଉଥିଲା ବେଳେ ବିପଦ ସଂକେତ ରହିଛି ୮.୧୩। ଏଥିସହିତ ବନ୍ୟାକୁ ନଜରରେ ରଖି ୨ଟି ଏନଡିଆରଏଫ ଟିମ୍ ,୨ଟି  ଏସଡିଆରଏଫ , ୮ ଟି ଅଗ୍ନିଶମ ବିଭଗକୁ ବାଲେଶ୍ୱରକୁ ପଠାଇଛି।

  • ବନ୍ୟା ସ୍ଥିତି ନେଇ ଜଳ ସମ୍ପଦ ମନ୍ତ୍ରୀ ସମୀକ୍ଷା ବୈଠକ

    ଭୁବନେଶ୍ୱର: ଉତ୍ତର ଓଡ଼ିଶାର ବନ୍ୟା ସ୍ଥିତି ନେଇ ଭିସି ଜରିଆରେ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁଙ୍କ ସମୀକ୍ଷା ବୈଠକ। ବୈଠକରେ ଜଳ ସମ୍ପଦ ବିଭାଗର ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ। ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ବୈତରଣୀ ଓ ବ୍ରାହ୍ମଣୀ ନଦୀର ସ୍ଥିତି ଓ ବିଭାଗର ପଦକ୍ଷେପ ନେଇ ବୈଠକରେ ଆଲୋଚନା ହେଉଥିବା ନେଇ ସୂଚନା।

  • ବନ୍ୟାକୁ ନେଇ ଏସଆରସିଙ୍କ ପ୍ରତିକ୍ରିୟା

    ଭୁବନେଶ୍ୱର: ବର୍ଷା ଓ ବନ୍ୟା ନେଇ ଏସଆରସି ପ୍ରଦୀପ ଜେନା ପ୍ରତିକ୍ରିୟା ରଖିଛନ୍ତି । ୭ ରୁ ୮ ଭିତରେ ଦୀଘା ପାଖରେ ସ୍ଥଳ ଭାଗ ଛୁଇଁଛି। ଗତ ୬ଘଣ୍ଟାରେ ଘଣ୍ଟା  ପ୍ରତି୨୨ କିମି  ବେଗରେ ଗତି କରିବା ସହ ପଶ୍ଚିମବଙ୍ଗ ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା ରେ ସକ୍ରିୟ ରହିଛି ଗଭୀର ଅବପାତ। ଉତ୍ତର ବାଲେଶ୍ଵର ଜିଲ୍ଲାରେ ୨୫-୩୦ କିମି ବେଗରେ ପବନ ବହୁଛି । ଗତକାଲି ବାଲେଶ୍ଵରରେ ୨୫ ମିମି ବର୍ଷା ରେକର୍ଡ କରାଯାଇଛି । ବାଲେଶ୍ଵର, ମୟୁରଭଞ୍ଜ ଆଉ କେନ୍ଦୁଝର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବାଲେଶ୍ଵର ସହର ରୁ ୩ ହଜାର ରୁ ଅଧିକ ଲୋକଙ୍କୁ ସ୍ଥାନତରଣ କରାଯାଇଛି । ଭଦ୍ରକ, ବାଲେଶ୍ଵର ,ମୟୂରଭଞ୍ଜ ଓ କେନ୍ଦୁଝର କୁ ଓଡରାଫ, NDRF, ଆଉ ଅଗ୍ନିଶମ ବାହିନି ଙ୍କୁ ପଠା ଯାଇଛି। ୪ ଟି ରିଜର୍ଭ ୟୁନିଟ ଅଛି ଯେଉଁଠି ଅଧିକ ଦରକାର ହେବ ସେଇଠିକି ପଠା ଯିବ।  ଆଇଏମଡି ର ଆକଳନ ଅନୁସାରେ ବାତ୍ୟା ହେବ ନାହିଁ । ସେପଟେ ତେଲ ନଦୀରେ ସାମାନ୍ୟ ଜଳ ସ୍ତର ବଢ଼ିଛି । ୩୭ ହଜାର କ୍ୟୁସେକ ଜଳ ଆସିଛି । ଖଇରମାଳ ପାଖରେ ୬ ଲକ୍ଷ ୩୦ ହଜାର ରେ ସୀମିତ ରହିବ । ମୁଣ୍ଡୁଳି ଠାରେ ଜଳ ସ୍ତର ଧୀରେ ଧୀରେ ଖସୁଛି । ମହାନଦୀରେ ଆଉ ଜଳ ସ୍ତର ବଢିବାର ଆଶଙ୍କା ନାହିଁ।

  • ଜଳବନ୍ଦୀରେ ବାଙ୍କୀ ଅଞ୍ଚଳବାସୀ

    ମହାନଦୀର ବନ୍ୟା ପାଣି ପ୍ରବାହରେ ପାଞ୍ଚରୁ ଛଅ ଦିନ ଧରି ଜଳବନ୍ଦୀରେ ଜୀବନ ଅତିବାହିତ କରୁଛନ୍ତି ବାଙ୍କୀ ଅଞ୍ଚଳବାସୀ । ସେଠାରେ ବିଲିପଡ଼ା ଓ ଶିମିଳିପୁର ଭଳି ଅନେକ ପଞ୍ଚାୟତରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । କିନ୍ତୁ ବନ୍ୟା ବିପନ୍ନଙ୍କ ପାଖରେ ପହଁଞ୍ଚିପାରିନି ପ୍ରଶାସନ । ବିପନ୍ନଙ୍କ ପାଖେ ସଠିକ ଭାବେ ପହଞ୍ଚିପାରିନି ରନ୍ଧା କି ଶୁଖିଲା ଖାଦ୍ୟ। ଏନେଇ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି ଏଠାକାର ବନ୍ୟାବିପନ୍ନ ପରିବାର । ସେପଟେ ନିଜର ପରିବାରକୁ ଧରି ନଦୀବନ୍ଧ ବାଡରେ ତ ଆଉ କିଏ ଘରର ଛାତ ଉପରେ ଅଖିଆ ଅପିଆ ଜୀବନ କାଟୁଥିବା ଦେଖିବାକୁ ମିଳିଛି ।

  • ବନ୍ୟାବିପନ୍ନଙ୍କ ଦୁଃଖକୁ ଦ୍ୱିଗୁଣିତ କରିଛି ଲଘୁଚାପ ବର୍ଷା

    ତିର୍ତ୍ତୋଲରେ ବନ୍ୟା ବିତ୍ପାତ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅଞ୍ଚଳରେ ବନ୍ୟା ବିତ୍ପାତ ସାଙ୍ଗକୁ ଲଘୁଚାପ ଜନିତ ଲଗାଣ ବର୍ଷା ବନ୍ୟା ବିପନ୍ନଙ୍କ ଦୁଃଖକୁ ଦ୍ୱିଗୁଣିତ କରିଛି। ପାଇକା ନଦୀରେ ଘାଇ ସୃଷ୍ଟି ଯୋଗୁଁ ଗତ ଦୁଇଦିନ ହେଲା ଗାଁକୁ ଗାଁ ପଶୁଛି ବନ୍ୟାପାଣି। ବନ୍ୟାପାଣି ଘରେ ପଶିଥିବାରୁ ଲଘୁଚାପଜନିତ ଲଗାଣବର୍ଷା ବନ୍ୟା ବିପନ୍ନଙ୍କ ଦୁଃଖ ଦ୍ୱିଗୁଣିତ କରିଛି। ମହାନଦୀ-ପାଇକା ଦ୍ୱିପାଞ୍ଚଳବାସୀଙ୍କ ମନରେ ଆତଙ୍କ ଖେଳିଯାଇଛି । ତିର୍ତ୍ତୋଲ ବ୍ଲକର ସାତଟି ପଞ୍ଚାୟତର ୨୦ରୁ ଉର୍ଦ୍ଧ୍ବ ଗ୍ରାମର ଏକ ହଜାର ପରିବାର ପ୍ରଭାବିତ ହୋଇଛନ୍ତି। କୁଜଙ୍ଗ ବ୍ଲକ କାଠକୋଟ ଠାରେ ପାଇକା ନଦୀବନ୍ଧରେ ଘାଇ ହେବା ଫଳରେ ମହାନଦୀ-ପାଇକା ଦ୍ୱିପାଞ୍ଚଳରେ ବନ୍ୟା ବିତ୍ପାତ ଦେଖିବାକୁ ମିଳିଛି। କୁଜଙ୍ଗ ବ୍ଲକର କାଠକୋଟ, ହଂସୁରା ଓ ବଡବାଲିକଣି ପଞ୍ଚାୟତରେ ବନ୍ୟାପାଣି ପଶିଥିବା ବେଳେ ତିର୍ତ୍ତୋଲ ବ୍ଲକର ପୋରଗଦେଇ, କୋଲର, ଗୋପାଳପୁର-ଶଙ୍ଖେସ୍ୱର,ଦାଇଁଲୋ ପଞ୍ଚାୟତର ପାଖାପାଖି କୋଡିଏ ରୁ ଉର୍ଦ୍ଧ ଗ୍ରାମରେ ବନ୍ୟାପାଣି ପଶୁଛି। ଜଳବନ୍ଦୀ ଅବସ୍ଥାରେ ଭୋକ ଉପାସରେ ଗୃହପାଳିତ ପଶୁଙ୍କ ସହ ବନ୍ୟା ବିପନ୍ନ ମାନେ ଜୀବନ କାରୁଥିବା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଦିନ ୧୦ଘଟିକା ଠାରୁ ଲଗାଣବର୍ଷା ଆରମ୍ଭ ହୋଇଛି। ତଳେ ବନ୍ୟାପାଣି ଓ ଉପରୁ ଲଗାଣବର୍ଷା ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ବଢାଇଦେଇଛି। ବନ୍ୟାପାଣି ପଶି ବିତ୍ପାତ ସୃଷ୍ଟି ହୋଇଥିବା ବେଳେ ସେମାନଙ୍କ ପାଖରେ ପ୍ରଶାସନ ପହଞ୍ଚିନଥିବା ବେଳେ ପଲିଥିନ, ଶୁଖିଲାଖାଦ୍ୟ,ମହମବତୀ,ଗୋଖାଦ୍ୟ ଆଦି ଅତ୍ୟାବଶ୍ୟକୀୟ ସାମଗ୍ରୀ ଦାବି କରିଛନ୍ତି ବନ୍ୟା ବିପନ୍ନ।

Back to top button