ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ବର୍ଷିଛି ବିସିଆଇ

Spread the love

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଓ ଏହାର ନିଷ୍ପତ୍ତିକୁ ନେଇ ଟିପ୍ପଣୀ ଦେଇଥିବା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ବର୍ଷିଛି ବିସିଆଇ। ଚୀନ, ଋଷିଆ ଭଳି ଦେଶରେ ବି ପ୍ରଶାନ୍ତଙ୍କ ଭଳି ବ୍ୟକ୍ତିତ୍ୱ ନଥିବେ। ଏଭଳି କଡ଼ା ଶବ୍ଦରେ ପ୍ରଶାନ୍ତଙ୍କ ଉପରେ ବର୍ଷିଛି ବାର୍ କାଉନସିଲ ଅଫ ଇଣ୍ଡିଆ। ଏପରିକି ପ୍ରଶାନ୍ତଙ୍କ ଭଳି ବ୍ୟକ୍ତିଙ୍କ ଉପସ୍ଥିତି ଓ ଅବସ୍ଥିତି କେତେ ଅସହ୍ୟ, ତାକୁ ବି ଦର୍ଶାଇବାକୁ ପଛାଇନି ବାର୍ କାଉନସିଲ୍।

ଅଗଷ୍ଟ ୧୦ ତାରିଖରେ ଇଣ୍ଡିଆନ ଆମେରିକାନ୍ ମୁସଲିମ୍ କାଉନସିଲ ବା ଆଇଏଏମସି ପକ୍ଷରୁ ଆୟୋଜିତ ଓ୍ୱେବିନାରରେ ପ୍ରଶାନ୍ତ ସୁପ୍ରିମକୋର୍ଟ ଉପରେ ନକାରାତ୍ମକ ଟିପ୍ପଣୀ ଦେଇଥିଲେ। ମନି ଲଣ୍ଡରିଂ ମାମଲାରେ ଜାକିଆ ଜାଫ୍ରି, ହିମାଂଶୁ କୁମାରଙ୍କ ଉପରେ ଦେଇଥିବା ରାୟକୁ ନେଇ ପ୍ରଶାନ୍ତ କହିଥିଲେ କି, ସର୍ବୋଚ୍ଚ ଅଦାଲତ ଭର୍ଚ୍ଚୁଆଲି ନିଜର ଭୂମିକାକୁ ସଙ୍କୁଚିତ କରିଦେଲାଣି।

ସାଧାରଣ ନାଗରିକଙ୍କ ସ୍ୱାଧୀନତା ସହ ସେମାନଙ୍କ ମୌଳିକ ଅଧିକାରର ଯେମିତି ଗାର୍ଡିଆନ ବା ଅଭିଭାବକ ସାଜିଛି ଅଦାଲତ। ଏଭଳି ରାୟ କଷ୍ଟଦାୟକ। ଯିଏ ନ୍ୟାୟ ପାଇବାକୁ ଅଦାଲତରେ ପିଟିସନ କରିଥିଲେ, ସେ ଏବେ ଜରିମାନା ଦଣ୍ଡାଦେଶ ପାଉଛି। ସୁପ୍ରିମକୋର୍ଟର ଏଭଳି ରାୟ ବାସ୍ତବରେ ଗ୍ରହଣୀୟ ନୁହେଁ।

ଅଦାଲତର ପୂର୍ବତନ ବିଚାରପତିଙ୍କ ବିରୁଦ୍ଧରେ ବି ସମାଲୋଚନାମୂଳକ ମନ୍ତବ୍ୟ ଦେଇଥିଲେ ପ୍ରଶାନ୍ତ। ପୂର୍ବତନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଯିଏ ଅଯୋଧ୍ୟା ଓ ରାଫେଲ ରାୟ ଦେଇଥିଲେ ନିଜର ଅବସର ଆଗରୁ, ସେ ପରେ ପୁରଷ୍କୃତ ହୋଇଥିଲେ। ଗୋଗୋଇ ଅବସର ନେବା ପରେ ରାଜ୍ୟସଭାର ସାଂସଦ ହୋଇଥିଲେ। ସେହିଭଳି ଅବସରପ୍ରାପ୍ତ ବିଚାରପତି ଅରୁଣ ମିଶ୍ରଙ୍କୁ ବି ଅବସର ପରେ ଜାତୀୟ ମାନବାଧିକାର ଆୟୋଗର ଅଧ୍ୟକ୍ଷ କରାଯାଇଥିଲା।

ଏପରିକି ସମସ୍ତ ନିୟମକୁ ଉଲ୍ଲଂଘନ କରି ଜଷ୍ଟିସ ମିଶ୍ରଙ୍କୁ ୯ ମାସ ଯାଏ ସରକାରୀ ବଙ୍ଗଳାରେ ରହିବାକୁ ଦିଆଯାଇଥିଲା। ଏତିକିରେ ସରିନଥିଲା ପ୍ରଶାନ୍ତଙ୍କ ସମାଲୋଚନା। ଜଷ୍ଟିସ ଏ.ଏମ. ଖାନଓ୍ୱିଲକର ଯିଏ ଜାକିଆ ଜାଫ୍ରି ମାମଲାରେ ରାୟ ଦେବା ପରେ ଚାକିରୀରୁ ଅବସର ନେଇଥିଲେ, ତାଙ୍କୁ ବି କଡ଼ା ସମାଲୋଚନା କରିଥିଲେ ପ୍ରଶାନ୍ତ।

ଏହାକୁ ନେଇ ବାର୍ କାଉନସିଲ୍ ଅଫ ଇଣ୍ଡିଆ ପ୍ରେସରିଲିଜ ଜରିଆରେ ପ୍ରଶାନ୍ତଙ୍କ ଏଭଳି ମନ୍ତବ୍ୟକୁ କଡ଼ା ନିନ୍ଦା କରିଛି। ପ୍ରଶାନ୍ତଙ୍କ ମନ୍ତବ୍ୟ ଭାରତୀୟ ବିରୋଧୀ ବାର୍ତ୍ତା ଦେଉଛି। ଏଭଳି ହୀନ ଆଚରଣ କରି ଏଭଳି ବ୍ୟକ୍ତି କଦାପି ସିଭିଲ ଲିବର୍ଟିଜର ଚାମ୍ପିଅନ ନଥିଲେ କି କେବେ ବି ହୋଇପାରିବେନି। ସର୍ବୋପରି ଏଭଳି ବ୍ୟକ୍ତି ବାକ୍ ସ୍ୱାଧୀନତା ଓ ମୌଳିକ ଅଧିକାରର ଦୁରୁପଯୋଗ କରୁଛନ୍ତି। ଏଭଳି ବ୍ୟକ୍ତି ଚୀନ୍ କି ଋଷିଆରେ ବି ନଥିବେ।

ସୁପ୍ରିମକୋର୍ଟ କି ଏହାର ବିଚାରପତିଙ୍କୁ ସମାଲୋଚନା କରିବାକୁ କେହି ପ୍ରାଧିକୃତ ନୁହନ୍ତି। ଜଣେ ବ୍ୟବସ୍ଥାକୁ ଉପହାସ କରିପାରିବନି। ଭାରତର ନାଗରିକ ହିସାବରେ ଜଣେ ଆଇନଜୀବୀ ଭାବରେ ଆପଣ ନିଜର ଦାୟିତ୍ୱ ତୁଲାଇପାରନ୍ତି। କାହାରିକୁ ବି ସମାଲୋଚନା କରିପାରନ୍ତି। କିନ୍ତୁ ଲକ୍ଷ୍ମଣରେଖା ଟପିବାକୁ ଚେଷ୍ଟା କରନ୍ତୁନି। ନିଜ ଭାଷା ଉପରେ ନିୟନ୍ତ୍ରଣ ରଖନ୍ତୁ। ପ୍ରାକ୍ଟିସ କରିବାକୁ ଲାଇସେନ୍ସ ଦିଆଯାଇଛି। ଏହାର ଅର୍ଥ ନୁହେଁ ଯେ, ନିଜ ପଦବୀର ଦୁରୁପଯୋଗ କରିବ।

ଏଭଳି ଶବ୍ଦରେ ବାର୍ କାଉନସିଲ୍ ପ୍ରଶାନ୍ତଙ୍କୁ ରିମାଇଣ୍ଡ କରିଛି। ଯଦିଓ ସୁପ୍ରିମକୋର୍ଟ ପ୍ରଶାନ୍ତଙ୍କ ବିରୁଦ୍ଧରେ ଅଦାଲତ ଅବମାନନା ପ୍ରୋସିଡିଂ କରିବାକୁ ଇଛା ପ୍ରକାଶ କରିନାହାନ୍ତି। ତଥାପି ବାର୍ କାଉନସିଲ୍ ଜଣେ ଆଇନଜୀବୀଙ୍କ ଏଭଳି ଆଚରଣକୁ ନେଇ କେବେ ବି ସହିବନି ବୋଲି ଚେତାଇଦେଇଛି।
ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *