୪୯୮(ଏ)ରେ ମକଦ୍ଦାମା ଚାଲିଥିବା ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବାକୁ ଏସସିଙ୍କ ନିର୍ଦ୍ଦେଶ

Spread the love

ନୂଆଦିଲ୍ଲୀ:  ସୁପ୍ରିମକୋର୍ଟ ଏମିତି ଜଣେ ଆଶାୟୀଙ୍କୁ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଯାହାଙ୍କ ଉପରେ ଆଇପିସିର ଧାରା ୪୯୮ (ଏ )ଅନ୍ତର୍ଗତ ମକଦମା ହୋଇଛି। ଆଶାୟୀ ପ୍ରମୋଦ ସିଂହ କିରାର ୨୦୧୩ରେ କନେଷ୍ଟବଳ ପଦ ପାଇଁ ଆବେଦନ କରିଥିଲେ ଓ ନିଯୁକ୍ତି ପାଇଁ ତାଙ୍କର ଚୟନ ହୋଇଥିଲା। କିନ୍ତୁ ତାଙ୍କ ଭେରିଫିକେସନ ଫର୍ମରେ ସେ ଉଲ୍ଲେଖ କରିଥିଲେ କି, ତାଙ୍କ ବିରୋଧରେ ଧାରା ୪୯୮ ଏ ଅନ୍ତର୍ଗତ ମାମଲା ଚାଲିଥିଲା। ପରେ ମାମଲାରେ ସେ ଦୋଷମୁକ୍ତ ହୋଇଥିଲେ।

ଭେରିଫିକେସନ ଫର୍ମର ସତ୍ୟପାଠକୁ ଆଧାର କରି ତାଙ୍କ ପଦକୁ ଖାରଜ କରିଥିଲା ମଧ୍ୟପ୍ରଦେଶ ପୁଲିସ ବିଭାଗ। ଯାହାକୁ ନେଇ ସେ କୋର୍ଟରେ ଆବେଦନ କରିଥିଲେ। କିନ୍ତୁ ମଧ୍ୟପ୍ରଦେଶ ହାଇକୋର୍ଟ ପୁଲିସ ବିଭାଗର ପଦକ୍ଷେପକୁ ଯଥାର୍ଥ ଦର୍ଶାଇଥିଲେ। ଏଥିରେ କୋର୍ଟ କହିଥିଲେ କି, ଯଦି କୌଣସି ପ୍ରାର୍ଥୀଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ଆସିଛି, ସେ ଦୋଷ ମୁକ୍ତ ହୋଇଥିଲେ ବି ସେହି ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବାକୁ ବାଧ୍ୟ କରାଯାଇ ପାରିବ ନାହିଁ। ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ପୀଡିତ ପ୍ରାର୍ଥୀ।

ଜଷ୍ଟିସ ଏମଆର ଶାହ ଓ ଜଷ୍ଟିସ ସିଟି ରବିକୁମାରଙ୍କ ଖଣ୍ଡପୀଠ ତାଙ୍କ ରାୟରେ କହିଛନ୍ତି କି, ପରିସ୍ଥିତି ଅନ୍ତର୍ଗତ ଓ ମାମଲାର ଅଦ୍ଭୂତପୂର୍ବ ତଥ୍ୟରେ ଅପିଲକର୍ତ୍ତା କେବଳ ଉପରୋକ୍ତ ଆଧାରରେ ନିଯୁକ୍ତିରୁ ବଞ୍ଚିତ ହୋଇ ପାରିବେ ନାହିଁ। ତାଙ୍କ ଉପରେ ବୈବାହିକ ବିବାଦକୁ ନେଇ ୨୦୦୧ରେ ଧାରା ୪୯୮ଏ ଅନ୍ତର୍ଗତ ମାମଲା ହୋଇଥିଲା, ଯାହା ପରେ ୨୦୦୬ରେ ବୁଝାମଣା ଭିତ୍ତିରେ ସମାଧାନ ହୋଇଥିଲା। ତେଣୁ ଉକ୍ତ ଅପରାଧ ତାଙ୍କ ନିଯୁକ୍ତ କ୍ଷେତ୍ରରେ ପ୍ରତିବନ୍ଧକ ହେବା ଅନୁଚିତ ବୋଲି କୁହାଯାଇଛି। ଏଥିସହ ୪ ସପ୍ତାହ ମଧ୍ୟରେ ତାଙ୍କୁ କନେଷ୍ଟବଳ ପଦରେ ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଖଣ୍ଡପୀଠଙ୍କ ଦ୍ବାରା।

Leave a Reply

Your email address will not be published. Required fields are marked *