ମସଜିଦରେ ମୁସଲମାନ ମହିଳାଙ୍କ ନମାଜ ପାଠରେ ନାହିଁ ପ୍ରତିବନ୍ଧକ

ନୂଆଦିଲ୍ଲୀ: ମୁସଲମାନ ମହିଳାଙ୍କ ପାଇଁ ଖୁସି ଖବର। ମୁସଲମାନ ମହିଳା ମଧ୍ୟ ମସଜିଦରେ ଯାଇ ନମାଜ ପାଠ କରି ପାରିବେ। ବୁଧବାର ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ ବା ଏଆଇଏମପିଏଲବି ଦ୍ବାରା ସୁପ୍ରିମକୋର୍ଟରେ ଦାଖଲ ସତ୍ୟପାଠରେ ଏପରି ଦର୍ଶା ଯାଇଛି। ଏଆଇଏମପିଏଲବି ସତ୍ୟପାଠରେ ଉଲ୍ଲେଖ କରାଯାଇଛି କି, ମୁସଲମାନ ମହିଳା ମସଜିଦରେ ନମାଜ ପାଠ କରିବା ଉପରେ କୌଣସି ନିଷେଦ୍ଧାଦେଶ ନାହିଁ। ତେବେ ମସଜିଦ ଭିତରେ ମହିଳା ଓ ପୁରୁଷଙ୍କ ମିଳାମିଶା ଉପରେ ପ୍ରତିବନ୍ଧକ ରହିଛି।

ପୁନାର ଜଣେ ସାମାଜିକ କର୍ମୀ ତଥା ଓକିଲ ଫର୍ହା ହୁସେନ ସେଖଙ୍କ ଦ୍ବାରା ଦାୟର ଯାଚିକା ଉପରେ ଏଆଇଏମପିଏଲବି ଏହି ସତ୍ୟପାଠ ଦାଖଲ କରିଛି। ଓକିଲ ସେଖ ତାଙ୍କ ଯାଚିକାରେ ମହିଳାଙ୍କୁ ମସଜିଦ ମଧ୍ୟକୁ ପ୍ରବେଶ  ଓ ନମାଜ ଅଦା କରିବାକୁ ବାରଣ କରାଯିବା ବେଆଇନ ଓ ଅସମ୍ବିଧାନିକ ବୋଲି କହି ଏହି ଅଭ୍ୟାସକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବାକୁ ଅପିଲ କରିଥିଲେ।

ବୁଧବାର ଏଆଇଏମପିଏଲବି ତାର ସତ୍ୟପାଠରେ କହିଛି କି,  ବୋର୍ଡ ଇସଲାମିକ  ସିଦ୍ଧାନ୍ତରେ ପରିଚାଳିତ। ତେବେ ଏଥିରେ ମହିଳାଙ୍କ ମସଜିଦ ମଧ୍ୟକୁ ପ୍ରବେଶ ବା ନମାଜ ପାଠରେ କୌଣସି ପ୍ରତିବନ୍ଧକ ନାହିଁ। ମହିଳାମାନେ ମସଜିଦକୁ ଯିବା, ସେଠାରେ ନମାଜ ପାଠ କରିବା ନ କରିବା ତାଙ୍କ ବ୍ୟକ୍ତିଗତ ଅଧିକାର। ହେଲେ ମସଜିଦ ଭିତରେ ମହିଳା ଓ ପୁରୁଷ ଏକାଠି ମିଳାମିଶା କରିବା ଉପରେ କଟକଣା ରହିଛି। ତେଣୁ ମହିଳାମାନେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଧାଡିରେ ନମାଜ ଅଦା କରି ପାରିବେ।  ପୁରୁଷଙ୍କ ସହ ଏକାଠି ବସି ନୁହେଁ। ତେବେ ମହିଳାଙ୍କ ନମାଜ ଅଦା ପାଇଁ ଯଦି ସମ୍ଭବ ହୁଏ  ପରିଚାଳନା କମିଟି ମସଜିଦ ପରିସର ମଧ୍ୟରେ ଏକ ସ୍ବତନ୍ତ୍ର ସ୍ଥାନ ନିରୁପଣ କରିବା ଆବଶ୍ୟକ  ବୋଲି କୁହାଯାଇଛି ସତ୍ୟପାଠରେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *