ଗୋଧ୍ରା ହିଂସାର ବାକି ମାମଲାକୁ ବନ୍ଦ କଲେ ସୁପ୍ରିମକୋର୍ଟ

Spread the love

ନୂଆଦିଲ୍ଲୀ: ୨୦୦୨ ଗୁଜୁରାଟ ଦଙ୍ଗା ସମ୍ବନ୍ଧିତ ଶୁଣାଣି ପାଇଁ ଥିବା ବାକି ମାମଲାକୁ ସୁପ୍ରିମ କୋର୍ଟ ମଙ୍ଗଳବାର ଦିନ ବନ୍ଦ କରିଦେଇଛନ୍ତି। ଏତେ ବର୍ଷ ଅତିବାହିତ ହେବା ପରେ ଏବେ ଏହି ମାମଲା ନିସ୍ଫଳ ହୋଇଯାଇଥିବା ଅନୁଭବ କରିଛନ୍ତି କୋର୍ଟ। ମୁଖ୍ୟ ବିଚାରପତି ଜଷ୍ଟିସ ୟୁ ୟୁ ଲଳିତ, ଜଷ୍ଟିସ ଏସ ରବୀନ୍ଦ୍ର ଭଟ ଓ ଜଷ୍ଟିସ ଜେ ବି ପରଡିୱାଲାଙ୍କ ଖଣ୍ଡପୀଠ ଗୋଧ୍ରା ମାମଲାରେ ସମସ୍ତ କେଶକୁ ଫଳଶୂନ୍ୟ କହିଛନ୍ତି।

୨୦୦୨ ଗୁଜୁରାଟ ହିଂସାକୁ ନେଇ ଏକ ଉପଯୁକ୍ତ ଯାଞ୍ଚ ଦାବିରେ ଜାତୀୟ ମାନବାଧିକାର କମିଶନରଙ୍କଠାରୁ ଆରମ୍ଭ କରି ପୀଡିତ ପରିବାର, ଏନଜିଓ ଆଦି ପକ୍ଷରୁ ବହୁ ଯାଚିକା ଦାଖଲ ହୋଇଥିଲା। ଖଣ୍ଡପୀଠ କହିଛନ୍ତି କି, ସର୍ବୋଚ୍ଚ ନ୍ୟାୟାଳୟ ଗୋଧ୍ରା ହିଂସା ମାମଲାର ତଦନ୍ତ ପାଇଁ ଏସଆଇଟି ଗଠନ କରିଥିଲେ ଓ ୯ଟି ମାମଲା ଭିତରୁ ଆଠଟିର ଟ୍ରାଏଲ ଶେଷ ହୋଇଛି ଓ ଶେଷ କେଶର ଟ୍ରାଏଲ ଗୁଜୁରାଟର ନରୋଦା ଟ୍ରାଏଲ କୋର୍ଟରେ ଚାଲିଛି।

ଏସଆଇଟି ପକ୍ଷରୁ ବରିଷ୍ଠ ଓକିଲ ମୁକୁଲ ରୋହତଗୀ କହିଛନ୍ତି, ମାତ୍ର ଗୋଟିଏ ମାମଲାର ଟ୍ରାଏଲ ଗୁଜୁରାଟ ଟ୍ରାଏଲ କୋର୍ଟରେ ଚାଲିଥିବା ବେଳେ ଅନ୍ୟ ୮ଟି ମାମଲାର ଟ୍ରାଏଲ ଶେଷ ହୋଇଛି ଓ ମାମଲା ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ସୁପ୍ରିମ କୋର୍ଟ କହିଛନ୍ତି, ଗୋଟିଏ ପଟେ ମାମଲାର ଯାଞ୍ଚ ଏସଆଇଟି କରୁଛି ଓ ଅନ୍ୟପଟେ ସମୟ କ୍ରମେ ସେସବୁ ଫଳଶୂନ୍ୟ ହୋଇପଡିଛି। ତେଣୁ କୋର୍ଟ ଏସବୁକୁ ଆଉ ଶୁଣାଣି କରିବାର ଆବଶ୍ୟକତା ନ ଥିବା ଅନୁଭବ କରୁଛନ୍ତି।

ଅନ୍ୟପଟେ, ତିସା ସେତାଲଭାଦଙ୍କ ନିରପତାକୁ ନେଇ ଦାୟର ଯାଚିକା ଉପରେ କୋର୍ଟ କହିଛନ୍ତି, ତାଙ୍କ ଯାଚିକା କୌଣସି ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଦ୍ବାରା ସମାଧାନ ହେବ। ତେଣୁ ଅନ୍ୟ କୌଣସି କର୍ତ୍ତୃପକ୍ଷଙ୍କ ନିକଟରେ ଅପିଲ କରିବାକୁ ତିସାଙ୍କୁ ସର୍ବୋଚ୍ଚ କୋର୍ଟ ସ୍ବାଧୀନତା ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *