ଜଷ୍ଟିସ ଗୌରୀଙ୍କ ନିଯୁକ୍ତି ବିରୋଧୀ ଯାଚିକା ସୁପ୍ରିମକୋର୍ଟରେ ଖାରଜ

() ଭିକ୍ଟୋରିଆ ଗୌରୀଙ୍କୁ ମାଡ୍ରାସ ହାଇକୋର୍ଟର ବିଚାରପତି ନିଯୁକ୍ତିକୁ ନେଇ ବିବାଦ ଉଠିବା ପରେ ଏହାକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣୀ ହୋଇଛି। ପୂର୍ବତନ ବିଜେପି ନେତ୍ରୀ ଭାବରେ ଅନେକ ଘୃଣା ଭାଷଣ ଦେଇଥିବାରୁ ଭିକ୍ଟୋରିଆଙ୍କ ନିଯୁକ୍ତିକୁ ବିରୋଧ କରି ସୁପ୍ରିମକୋର୍ଟ ସିଜେଆଇଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ ଅନେକ ଓକିଲ। ଜରୁରୀ ଶୁଣାଣୀ ଲାଗି ଆବେଦନ କରିଥିଲେ। ଯାହାର ଆଜି ଶୁଣାଣୀ କରିଛନ୍ତି ସୁପ୍ରିମକୋର୍ଟ। ଆଉ ସବୁ ପକ୍ଷର ତର୍କ ଶୁଣିବା ପରେ ଏହାକୁ ନେଇ ହୋଇଥିବା ସମସ୍ତ ପିଟିସନକୁ ଖାରଜ କରିଦେଇଛନ୍ତି ଅଦାଲତ।

ବରିଷ୍ଠ ମହିଳା ଆଇନଜୀବୀ ଏଲସି ଭିକ୍ଟୋରିଆ ଗୌରୀଙ୍କୁ ମାଡ୍ରାସ ହାଇକୋର୍ଟର ବିଚାରପତି ଭାବେ ପଦୋନ୍ନତିକୁ ନେଇ ବିବାଦ। ପୂର୍ବତନ ବିଜେପି ନେତ୍ରୀ ଭାବେ ଅନେକ ଘୃଣା ଭାଷଣ ଦେଇଥିଲେ ଗୌରୀ। ଗୌରୀ ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ଘୃଣା ମନ୍ତବ୍ୟ ଦେବାର ଅନେକ ନଜିର ରହିଛି ବୋଲି ଦର୍ଶାଇ ଏଭଳି ବ୍ୟକ୍ତିଙ୍କୁ ହାଇକୋର୍ଟର ବିଚାରପତି କରିବା ଅନୁଚିତ୍ ବୋଲି ଅନେକ ଓକିଲ ଯୁକ୍ତି ବାଢ଼ିଛନ୍ତି। ସିଜେଆଇ ନିଜର ବିଶେଷ କ୍ଷମତା ପ୍ରୟୋଗ କରି ମାମଲାର ଜରୁରୀ ଶୁଣାଣୀ କରିବାକୁ ଆବେଦନ କରିଥିଲେ କିଛି ଓକିଲ। ଆଉ ସୁପ୍ରିମକୋର୍ଟରେ ଆଜି ଶୁଣାଣୀ ହୋଇଛି। ଯଦିଓ କେନ୍ଦ୍ର ଆଇନ ମନ୍ତ୍ରୀ ଏହି ବିବାଦ ଉଠିବା ପରେ ଟ୍ୱିଟ୍ କରିଥିଲେ କି, ରାଜନୈତିକ ସହବନ୍ଧନ ଥିବା ଓକିଲ ବିଚାରପତି ହୋଇପାରିବେ। ଅତୀତରେ ବି କୌଣସି ରାଜନୈତିକ ଦଳର ପ୍ରତିନିଧିତ୍ୱ କରୁଥିବା ସଂସଦର ସଭ୍ୟଙ୍କୁ ହାଇକୋର୍ଟର ବିଚାରପତି ଭାବେ ପଦୋନ୍ନତି ଦିଆଯାଇଛି। ଆଉ ଗୌରୀ ବି କହିଥିଲେ, ସେ ମାଡ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚରେ ଆସିଷ୍ଟାଣ୍ଟ ଏଜି ହେବାର ୩ ମାସ ଆଗରୁ ବିଜେପିରୁ ଇସ୍ତଫା ଦେଇସାରିଛନ୍ତି। ୨୦୨୦ ସେପ୍ଟେମ୍ୱରରେ ଗୌରୀ ଆସିଷ୍ଟାଣ୍ଟ ଏଜି ହୋଇଥିଲେ। ସୁପ୍ରିମକୋର୍ଟର ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହାର ଶୁଣାଣୀ କରିଛନ୍ତି। ମାଡ୍ରାସ ହାଇକୋର୍ଟରେ ଗୌରୀଙ୍କର ଶପଥ ପାଠ ସମାରୋହ ସମୟ ୧୦ଟା୩୫ରେ ଥିଲା। ଆଉ ଗୌରୀଙ୍କ ବିପକ୍ଷରେ ଲଢୁଥିବା ଓକିଲ ରାମଚନ୍ଦ୍ରନ ଅଦାଲତକୁ ଦର୍ଶାଇଥିଲେ କି, ୧୦ଟା ୩୫ରେ ବିଚାରପତି ଭାବେ ଗୌରୀଙ୍କ ଶପଥ ପାଠ ସମାରୋହ ଉଚିତ୍ ନଥିଲା। ଯେହେତୁ ପ୍ରଧାନ ବିଚାରପତି କହିଥିଲେ, କେଲଜିୟମ ଏହାକୁ ଅନୁଧ୍ୟାନ କରିବ। ଜାନୁଆରୀ ୧୭ରେ ଗୌରୀଙ୍କ ନାଁ କଲେଜିୟମ ଅନୁମୋଦନ କରିଥିଲା। ଫେବୃଆରୀ ପହିଲାରେ ଏହା ସାର୍ବଜନୀନ ହେଲା। ଆଉ ଏହାକୁ ବିରୋଧ କରି ଅନେକ ଓକିଲ ଚିଠି ଲେଖିଥିଲେ। ଗୋରୀଙ୍କୁ ନିଯୁକ୍ତିର ଆଧାର ଯୋଗ୍ୟତା ଭିତ୍ତିରେ ବିଚାର ହେଉ। ଏଠାରେ କୌଣସି ରାଜନୈତିକ ଆଧାର କିମ୍ୱା ପଲିଟିକାଲ ବ୍ୟାକଗ୍ରାଉଣ୍ଡର କଥା ଉଠୁନି। ସମ୍ୱିଧାନସମ୍ମତ ହେଉ। ଯେହେତୁ ଘୃଣା ଭାଷଣ କଥା ଉଠୁଛି। ସେଥିଲାଗି ସେ ଭିତ୍ତିରେ ଏହା ସମ୍ୱିଧାନ ବିରୋଧୀ ଆଉ ଗୌରୀ ଅଯୋଗ୍ୟ ବୋଲି ଯୁକ୍ତି ବାଢ଼ିଥିଲେ ରାଜୁ ରାମଚନ୍ଦ୍ରନ୍। କୌଣସିମତେ ଗୌରୀ ବିଚାରପତି ଭାବେ ଶପଥ ନେବାକୁ ବିଲକୁଲ ଯୋଗ୍ୟ ନୁହଁନ୍ତି।

ତେବେ ଏଭଳି ଯୁକ୍ତିରେ ସହମତ ହୋଇନଥିଲେ ଜଷ୍ଟିସ ଗଭାଇ। ଜଷ୍ଟିସ ଗଭାଇ କହିଥିଲେ କି, ତାଙ୍କର ବି ପଲିଟିକାଲ ବ୍ୟାକଗ୍ରାଉଣ୍ଡ ଅଛି। ସେ କିନ୍ତୁ ଦୀର୍ଘ ବର୍ଷ ଧରି ବିଚାରପତି ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି। ତାଙ୍କର ବିଚାର ଶୈଳୀରେ କେବେ ବି ପଲିଟିକାଲ ବ୍ୟାକଗ୍ରାଉଣ୍ଡ ବାଧକ ସାଜିନି। କିନ୍ତୁ ରାମଚନ୍ଦ୍ରନ କହିଥିଲେ କି, କ୍ରିଷ୍ଣା ଆୟାର, କେଏସ ହେଗଡ଼େ ଓ ଅଫତାମ ଆଲମଙ୍କ ଭଳି ଅନେକ ବିଚାରପତିଙ୍କର ପଲିଟିକାଲ ବ୍ୟାକଗ୍ରାଉଣ୍ଡ ଥିଲେ ବି ସେମାନେ ଅନନ୍ୟ। ଜଷ୍ଟିସ୍ ଖାନ୍ନା କହିଥିଲେ କି, ୨୦୧୮ର ଘୃଣା ଭାଷଣ ଉପରେ ଏହା କୁହାଯାଉଛି। କଲେଜିୟମ ବି ଏ ଦିଗକୁ ନିଶ୍ଚୟ ଅନୁଧ୍ୟାନ କରିଥିବ। ରାଜନୈତିକ ବ୍ୟକ୍ତି ବିଚାରପତି ହେବାର ଅନେକ ନଜିର ରହିଛି। ଏଥିରେ ଦ୍ୱିମତ ନାହିଁ ବୋଲି ରାମଚନ୍ଦ୍ରନ୍ କହିବା ସହ ତର୍କ ରଖିଥିଲେ କି, ଯିଏ ସମ୍ୱିଧାନର ଶପଥ ନିଏ, ସେ ସମ୍ୱିଧାନରେ ବିଶ୍ୱାସ କରେ। କିନ୍ତୁ ସର୍ବସାଧାରଣରେ ଘୃଣା ଭାଷଣ ଦେଇଥିବା ଗୌରୀ ଏ କ୍ଷେତ୍ରରେ ପୁରା ଅଯୋଗ୍ୟ। ଗୌରୀଙ୍କ ମାଇଣ୍ଡସେଟ୍ ହିଁ ସମ୍ୱିଧାନ ବିରୋଧୀ। ତେବେ ଜଷ୍ଟିସ ଖାନ୍ନା କହିଥିଲେ କି, ଯୋଗ୍ୟତା ଓ ଉପଯୁକ୍ତ ଭିତରେ ପାର୍ଥକ୍ୟ ଅଛି।

ଯୋଗ୍ୟତାକୁ ନେଇ ଚ୍ୟାଲେଞ୍ଜ ହୋଇପାରେ। କିନ୍ତୁ ଉପଯୁକ୍ତ କି ନୁହେଁ, ସେ କ୍ଷେତ୍ରରେ କୋର୍ଟ କେମିତି ହସ୍ତକ୍ଷେପ କରିବେ। ଏହା ଲାଗି ପ୍ରକ୍ରିୟା ଅଛି। ତେବେ କଲେଜିୟମକୁ ଏ ନେଇ ନିର୍ଦେଶ ଦେଇପାରିବେନି ଅଦାଲତ। ଗୌରୀ ଅତିରିକ୍ତ ବିଚାରପତି ଭାବେ ଯେହେତୁ ନିଯୁକ୍ତି ପାଇଛନ୍ତି। ଆଉ ଆଇନଜୀବୀ ଆନନ୍ଦ ଗ୍ରୋଭର ବି କହିଥିଲେ କି, ରାଜନୈତିକ ଆଧାରକୁ ନେଇ ଏଠି କଥା ପଡ଼ିନି। ଗୌରୀ ଯେଭଳି ଘୃଣା ଭାଷଣ ଦେଇଥିଲେ, ଯାହାକି ଅତି ଉତ୍ତେଜକ ଥିଲା। ସେଥିଲାଗି ବିଚାରପତି ଭାବେ ଶପଥ ନେବାକୁ ଗୌରୀ ଅଯୋଗ୍ୟ। ଏପରିକି କଲେଜିୟମ ବି ସମ୍ପୂର୍ଣ୍ଣ ଅନୁଧ୍ୟାନ କରିନଥିବେ। ଉପଯୁକ୍ତ ପରାମର୍ଶ ନିଆଯାଇନଥିବ। ଏପରିକି ଗୌରୀ ଲେଖିଥିବା ସ୍ତମ୍ଭ ବାବଦରେ ଗୁଇନ୍ଦା ବିଭାଗ ରିପୋର୍ଟ ବି ଅନ୍ଧାରରେ ରଖିଥିବ। ସେଥିଲାଗି ଏହାକୁ ନେଇ ତଦନ୍ତ ଜରୁରୀ। ସରକାର ଯାହା ଇନପୁଟ୍ ଦେଇଥିବେ, ତାକୁ ଭିତ୍ତିକରି କଲେଜିୟମ ଯାଏ।

ଯଦି କୌଣସି କାରଣବଶତଃ ଅପରିହାର୍ଯ୍ୟ ସୂଚନା ହିଁ ଉପଲବ୍ଧ କରାଯିବନି, ତେବେ ଏହା ଭିନ୍ନ ଦିଗର ଅବତାରଣା କରୁଛି। ଆଉ ଏଭଳି ଯୁକ୍ତି ଶୁଣିବା ପରେ ଉଭୟ ଜଷ୍ଟିସ ଖାନ୍ନା ଓ ଗଭାଇ କହିଥିଲେ କି, ଏହାର ଅର୍ଥ ଏୟା କି, ଏହି ନିର୍ଦ୍ଦିଷ୍ଟ ସୂଚନା ବାବଦରେ କଲେଜିୟମକୁ ଅନ୍ଧାରରେ ରଖାଯାଇଛି। ୟୁଟ୍ୟୁବ ସମେତ ବିଭିନ୍ନ ସ୍ତମ୍ଭରେ ଯାହା ଗୌରୀ କହିଛନ୍ତି ଓ ଲେଖିଛନ୍ତି, ଏହା କଲେଜିୟମକୁ ସୂଚିତ କରାଯାଇନି ବୋଲି ଯୁକ୍ତି ବାଢ଼ିଥିଲେ ଗ୍ରୋଭର। ତେବେ ଏହାକୁ ଖଣ୍ଡନ କରିଥିଲେ ବିସିଆଇ ଅଧ୍ୟକ୍ଷ ମନନ କୁମାର ମିଶ୍ର। ଗୌରୀଙ୍କ ବିରୁଦ୍ଧରେ କୌଣସି ମିସ୍ କଣ୍ଡକ୍ଟ ଅଭିଯୋଗ ପାଇନି ବାର୍ କାଉନସିଲ୍ ଅଫ ଇଣ୍ଡିଆ। ସେପଟେ ଅଦାଲତରେ ଏହାର ଶୁଣାଣୀ ଚାଲୁଥିବା ସମୟରେ ଗୌରୀ ବିଚାରପତି ଭାବେ ଶପଥ ନେଇଥିଲେ ମାଡ୍ରାସ ହାଇକୋର୍ଟରେ। ଆଉ ସବୁ ପକ୍ଷର ତର୍କ ଶୁଣିବା ପରେ ଭିକ୍ଟୋରିଆଙ୍କ ବିଚାରପତି ନିଯୁକ୍ତିକୁ ନେଇ ଚ୍ୟାଲେଞ୍ଜ୍ ହୋଇଥିବା ପିଟିସନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ।

ପ୍ରଦୀପ ନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *