ସାର ପାଇଁ ହଟହଟା ଚାଷୀ

ବରଗଡ଼ରେ ରବି ଋତୁ ଧାନ ଚାଷ ଜୋରସୋରରେ ଆଗେଇ ଚାଲିଥିବା ବେଳେ ସାରର ଘୋର ଅଭାବ ପରିଲକ୍ଷିତ ହୋଇଛି । ବର୍ତ୍ତମାନ ଧାନ ଫସଲରେ ଡିଏପି ଓ ୟୁରିଆ ସାରର ଆବଶ୍ୟକତା ରହି ଥିବାରୁ ସାର ଦୋକାନୀ ଏହାର ଫାଇଦା ଉଠାଇ ଚଢା ଦରରେ ବିକ୍ରି କରି କଳା ବଜାରୀ ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି । ଏହାକୁ ରୋକିବାକୁ ଚାଷୀମାନେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ଏକ ଦାବି ପତ୍ର ଦେଇଥିବା ବେଳେ ସାର କଳା ବଜାରି ଉପରେ କୃଷି ବିଭାଗ ତତ୍ପର ରହିବା ସହ କଳାବଜାରୀଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ।

କ୍ଷେତରେ ଜୋରସୋରରେ ଚାଲିଛି ଚାଷ କାର୍ଯ୍ୟ । କିଏ କାଦୁଅ କରି ଧାନର ତଳି ପକାଉଛି ତ କିଏ ରୋଉଛି।  ଏପରି ସମୟରେ ଧାନ ଫସଲକୁ ଡିଏପି ଓ ୟୁରିଆ ସାରର ଆବଶ୍ୟକତା ରହିଛି । ଏହି ସାର ପ୍ରୟୋଗ କଲେ ଗଛ ହୃଷ୍ଟ ପୃଷ୍ଟ ହୋଇ ବଢିବା ସହ ଫସଲ ମଧ୍ୟ ଭଲ ଅମଳ ହୋଇଥାଏ । ହେଲେ  ସାର ମିଳୁନଥିବାରୁ  ଏବେ ଚିନ୍ତା ଘାରିଛି ବରଗଡ଼ ଜିଲ୍ଲା ଚାଷୀଙ୍କୁ। ଯେଉଁ ସାର ବିକ୍ରେତାଙ୍କ ପାଖରେ ସାର ରହିଛି ସେମାନେ ଚାଷୀଙ୍କୁ ଚଢା ଦରରେ ସାର ବିକ୍ରୟ କରୁଥିବା ଅଭିଯୋଗ ହୋଇଛି । ଏପରିକି ୟୁରିଆ ସାର ବସ୍ତା ପ୍ରତି ଦର 266.50 ଟଙ୍କା ଥିବା ବେଳେ ବ୍ୟବସାୟୀ ତାକୁ 350ରୁ 400 ଟଙ୍କା ରେ ବିକ୍ରୟ କରୁଥିବା ଅଭିଯୋଗ କରିଛନ୍ତି । ସେହିପରି ଡିଏପି ସାର ପ୍ରୟୋଗ କଲେ ଧାନ ଗଛର ଉତ୍ପାଦନ ଶକ୍ତି ଵୃଦ୍ଧି ହେବ ସହ କୀଟନାଶକ ଭାବେ କାର୍ଯ୍ୟ କରିଥାଏ । ଏହି ସାରର ବସ୍ତାପ୍ରତି ଦର 1350 ଟଙ୍କା ରହିଥିବା ବେଳେ ତାହାକୁ 1500 ଟଙ୍କାରେ ବିକ୍ରି ହେଉଛି । ଯାହାଫଳରେ ଚାଷୀ ନିଜର କ୍ଷେତରେ ସାର ମୁଠାଏ ଦେବାକୁ ଏଠି ସେଠି ଯାଇ ଚଢା ମୂଲ୍ୟରେ କିଣୁ ଥିବା ଦେଖିବାକୁ ମିଳୁଛି । ଏପରିକି ବ୍ୟବସାୟୀ ଜୋଜବରଦସ୍ତି ସାର ସହ ଭିଟାମିନ ଔଷଧ ଯୋଡ଼ି ଦେଉଛନ୍ତି, ଫଳରେ ଚାଷୀ ଅଧିକ ଖର୍ଚ୍ଚାନ୍ତ ହେଉଛି । ଏସବୁ ଉପରେ ରୋକ ଲଗାଇ କଲାବଜାରୀଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବରଗଡ଼ ସଦର ବ୍ଲକ ର ଚାଷୀ ମାନେ ବରଗଡ଼ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ଠାରେ ଅଭିଯୋଗ କରିଛନ୍ତି ।

ଚଳିତ ରବି ଋତୁରେ ଜିଲ୍ଲାରେ 1 ଲକ୍ଷ 30 ହଜାର  ହେକ୍ଟର ଜମିରେ ଧାନ ଚାଷ ହେଉଛି । ଏଥିପାଇଁ 29000 ମେଟ୍ରିକ ଟନ ୟୁରିଆ ସାର, 11000 ପାଞ୍ଚ ଶହ ଡିଏପି ସାର, 12000 ଏନ ପି କେ ସାରର ଆବଶ୍ୟକତା ରହିଛି । ଏହି ସାର ବିଭିନ୍ନ ସୋସାଇଟି ଓ ପଞ୍ଜିକୃତ ବିକ୍ରେତାଙ୍କ ଠାରୁ ଚାଷୀ କିଣିଥାଏ, ମାତ୍ର ବରଗଡ଼ ଜିଲ୍ଲାରେ ଏହାର ବ୍ୟତିକ୍ରମ ହେଉଥିବାରୁ ସାରର କଳାବଜାରି ବଢି ଚାଲିଛି । ଆଗାମୀ ଦିନରେ ଯଦି ଏହାକୁ ରୋକା ନଯାଏ ତାହେଲେ ଚାଷୀ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି । ତେବେ ଚାଷୀଙ୍କ ଅଭିଯୋଗକୁ ନେଇ ଆମେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ଭେଟିଥିଲୁ, ସେ ସାର କଳାବଜାରୀ କୁ ସ୍ବୀକାର କରିବା ସହ ସାରର ଅଭାବ ନଥିବା କହିଥିବା ବେଳେ ସାର କଳାବଜାରି କରୁଥିବା ବ୍ୟକ୍ତିଙ୍କ ବିରୋଧରେ  ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

ପ୍ରତି ବର୍ଷ ସାରର କଳାବଜାରୀ ଚାଷୀଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ବେଳେ ଜିଲ୍ଲା କୃଷି ବିଭାଗ ଏହାକୁ ରୋକିବାରେ କେତେ ସକ୍ଷମ ହେଉଛି ତାକୁ ଏବେ ସମସ୍ତଙ୍କର ନଜ଼ର ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *