ବଲାଙ୍ଗୀର : ଗତକାଲି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ବଲାଙ୍ଗିର ଆନୁକୁଲ୍ୟରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ଜାତୀୟ ଡେଙ୍ଗୁ ଦିବସ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କୁବେର ଚନ୍ଦ୍ର ମହନ୍ତଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ଏହି ଦିବସରେ ଡାକ୍ତର ମହନ୍ତ ଉଦବୋଧନ ଦେଇ ସ୍ୱଚ୍ଛ ପରିବେଶ, ନିୟମିତ ମଶାରୀ ବ୍ୟବହାର ଏବଂ ଲକ୍ଷଣ ଦେଖାଦେବା ସଙ୍ଗେ ସଙ୍ଗେ ପରୀକ୍ଷା ଓ ଚିକିତ୍ସା ଦ୍ୱାରା ଡେଙ୍ଗୁ କବଳରୁ ଆମେ ନିଜକୁ ସୁରକ୍ଷିତ ରଖିପାରିବା ବୋଲି ମତବ୍ୟକ୍ତ କରିଥିଲେ । ଏହି ରୋଗର ପରୀକ୍ଷା ବିନା ମୂଲ୍ୟ ରେ ସରକାରୀ ମୁଖ୍ୟ ଚିକିତ୍ସାଲୟ ରେ ଉପଲବ୍ଧ ଅଛି ବୋଲି ସେ ପ୍ରକାଶ କରିଥିଲେ । ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଦିବ୍ୟ କିଶୋର ପତି ଏହି ସଭାରେ ଉପସ୍ଥିତ ରହି ଦିବସ ପାଳନର ତାତ୍ପର୍ଜ୍ୟ ସମ୍ପର୍କରେ ସବିଶେଷ ଆଲୋଚନା କରିବା ସହ ଜନସଚେତନତା ଦ୍ୱାରା ଏହି ରୋଗ କୁ ପ୍ରତିରୋଧ କରାଯାଇପାରିବ ବୋଲି ପ୍ରକାଶ କରିଥିଲେ । ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ ) ନମୀତା ମିଶ୍ର ଡେଙ୍ଗୁ ରୋଗର ଲକ୍ଷଣ, ପରୀକ୍ଷା ଓ ଚିକିତ୍ସା, ଡେଙ୍ଗୁର ପ୍ରକାର,ଏହା କିପରି ବ୍ୟାପେ ଆଦି ସମ୍ପର୍କରେ ଆଲୋଚନା କରିବା ସହ ପାଣି ଜମିରହୁଥିବା ସ୍ଥାନ , ପୁରୁଣା ଟାୟାର, ଫୁଲଦାନି, ଏୟାର କୁଲର ଇତ୍ୟାଦିକୁ ନିୟମିତ ସଫା ସୁତୁରା ରଖିବା ଦ୍ୱାରା ଡେଙ୍ଗୁ ରୋଗ କୁ ପ୍ରତିରୋଧ କରାଯାଇପାରିବ ବୋଲି ପ୍ରକାଶ କରିଥିଲେ । ଏହି ସଭାରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(ଯକ୍ଷ୍ମା) ଡାକ୍ତର ସିଦ୍ଧେଶ୍ୱର ମାଝୀ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ ) ଡାକ୍ତର ସୁଧା ବାର୍ଲା , ଡାକ୍ତର ତୁଷାରକାନ୍ତ ଠାକୁର, ସମ୍ପୃକ୍ତ ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ସଭାରେ ଜିଲ୍ଲା ଭେକ୍ଟର ବାହିତ ରୋଗ ପରାମର୍ଶଦାତା ସୁରେଶ ସ୍ୱାଇଁ ଜିଲ୍ଲାରେ ଡେଙ୍ଗୁ ରୋଗର ସ୍ଥିତି ଓ ଏହାର ନିୟନ୍ତ୍ରଣ ସକାଶେ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଜାତୀୟ ସ୍ୱାସ୍ଥ୍ୟ ମିଶନ ର ଜିଲ୍ଲା ପ୍ରୋଗ୍ରାମ ମେନେଜର ମୃତ୍ୟୁଞ୍ଜୟ ମୁଣ୍ଡ ସଭାରେ ସ୍ୱାଗତ ବକ୍ତବ୍ୟ ପ୍ରଦାନ କରିବା ସହ ସଭା ପରିଚାଳନା କରିଥିଲେ । ଶେଷରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଋତାଞ୍ଜଳି ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସଭାରେ ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ, ଜାତୀୟ ସ୍ୱାସ୍ଥ୍ୟ ମିଶନର କର୍ମଚାରୀ ଓ ଆଶା କର୍ମୀମାନେ ଉପସ୍ଥିତ ଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now