ବାଙ୍ଗାଲୁରୁ: କର୍ଣ୍ଣାଟକରେ ୧୬ ଦଳିତଙ୍କୁ ନିର୍ଯାତନା ଘଟଣାକୁ ନେଇ ତେଜିଲାଣି ରାଜନୀତି। ଯିଏ ନିଜ କଫି ବଗିଚାରେ ଅଟକ ରଖି ୧୫ ଦିନ ଧରି ଏମାନଙ୍କୁ ଅକଥନୀୟ ନିର୍ଯାତନା ଦେଇଥିଲେ, ସେ ଜଣେ ବିଜେପି ସମର୍ଥକ ହୋଇଥିବାରୁ ଏହାକୁ ନେଇ ରାଜନୀତି ତେଜ୍ ହେଲାଣି। ଯଦିଓ ବିଜେପି କଫି ବଗିଚା ମାଲିକ ଜଗଦୀଶ ଗୌଡ଼ଙ୍କ ସହ ଦଳର କୌଣସି ସମ୍ପର୍କ ନଥିବା ସ୍ପଷ୍ଟ କରିଛି। ଜଣେ ଗର୍ଭବତୀ ମହିଳାଙ୍କ ଗର୍ଭ ନଷ୍ଟ ଅଭିଯୋଗ ପରେ ଏହାକୁ ନେଇ ଚାରିଆଡ଼େ ହଇଚଇ।
୧୬ ଜଣ ଦଳିତଙ୍କୁ ନିଜ କଫି ବଗିଚାରେ ୧୫ ଦିନ ଧରି ଅକଥନୀୟ ଅତ୍ୟାଚାର। ଏହି ନିର୍ଯାତନାରେ ୨ ମାସର ଗର୍ଭସ୍ଥ ଶିଶୁକୁ ହରାଇବସିଲେ ମହିଳା। ନିର୍ଯାତନାର ଶିକାର ହୋଇଥିବା ବ୍ୟକ୍ତିମାନେ ଜେନୁଗାଡ୍ଡେ ଗାଁରେ ଥିବା କଫି ବଗିଚାରେ ଦିନ ମଜୁରିଆ ଭାବରେ କାମ କରୁଥିଲେ। ସେମାନେ ମାଲିକ ଜଗଦୀଶଙ୍କଠୁ ୯ ଲକ୍ଷ ଟଙ୍କା କରଜ ନେଇଥିଲେ। ଋଣ ପରିଶୋଧ କରି ନପାରିବାରୁ ଜଗଦୀଶ ତାଙ୍କୁ ବନ୍ଦ ଘରେ ରଖିଥିଲେ ବୋଲି ପୁଲିସ କହିଛି। କର୍ଣ୍ଣାଟକର ଚିକ୍କମଙ୍ଗଲୁରୁ ଜିଲ୍ଲାରେ ବିଜେପି ସମର୍ଥକ ଭାବେ ବେଶ୍ ଜଣାଶୁଣା କଫି ବଗିଚା ମାଲିକ ଜଗଦୀଶ ଗୌଡ଼ା ଓ ତାଙ୍କ ପୁଅ ତିଲକ ଗୌଡ଼ାଙ୍କ ବିରୁଦ୍ଧରେ ଏଭଳି ସଙ୍ଗୀନ ଅଭିଯୋଗ ଆସିବା ପରେ ହଇଚଇ ଖେଳିଯାଇଛି। ଉଭୟ ବାପା-ପୁଅ ଘଟଣା ପରଠୁ ଫେରାର୍ ହୋଇଯାଇଥିଲେ। ତେବେ ବିଜେପି ଏଥିରୁ ନିରାପଦ ଦୂରତ୍ୱ ଅବଲମ୍ୱନ କରିଛି। ଜଗଦୀଶ ଦଳୀୟ ନେତା ନୁହଁନ୍ତି କି ଦଳର ସଦସ୍ୟ ନୁହଁନ୍ତି। ସେ ଅନ୍ୟ ଭୋଟରଙ୍କ ଭଳି ଜଣେ ସମର୍ଥକ ବୋଲି ବିଜେପି କହିଛି।
ନିର୍ଯାତନାର ଶିକାର ହୋଇ ଗର୍ଭସ୍ଥ ଶିଶୁକୁ ହରାଇଥିବା ମହିଳା କହିଛନ୍ତି, ଜଗଦୀଶ ଓ ତାଙ୍କ ପୁଅ ତାଙ୍କୁ ୨୪ ଘଣ୍ଟା ଧରି ଗୃହବନ୍ଦୀ କରି ରଖିଥିଲେ। ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ ସହ ପିଟିଥିଲେ। ଏପରିକି ସେମାନଙ୍କର ଫୋନକୁ ବି ଛଡ଼ାଇ ନେଇଥିଲେ। ଅକ୍ଟୋବର ୮ରେ ଥାନାକୁ ଯାଇ ସେମାନଙ୍କୁ ଜଗଦୀଶ ନିର୍ଯାତନା ଦେଉଥିବା କଥା କିଛି ଲୋକ ଅଭିଯୋଗ କରିଥିଲେ। କିନ୍ତୁ ସେହି ଦିନ ନିଜର ଅଭିଯୋଗପତ୍ରକୁ ପ୍ରତ୍ୟାହାର କରିଦେଇଥିଲେ। ଆଉ ଯେତେବେଳେ ଗର୍ଭବତୀ ମହିଳା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ, ତା ପର ଦିନ ନୂଆ ଅଭିଯୋଗ ଆଣି ଆସିଥିଲେ ଦଳିତ ପରିବାର। ସିଧା ଏସ୍ପିଙ୍କୁ ଅଭିଯୋଗ କରିବା ପରେ ଏସପି ତୁରନ୍ତ ଏତଲା କରିବାକୁ ନିର୍ଦେଶ ଦେଇଥିଲେ। ଆଉ ତଦନ୍ତକାରୀ ଅଧିକାରୀ ଯାଇ ଦେଖନ୍ତି ତ, ଗୋଟିଏ ବନ୍ଦ କୋଠରୀରେ ୮ରୁ ୧୦ ଜଣଙ୍କୁ ବନ୍ଦୀ କରାଯାଇଥିଲା। ମାଲିକ ଜଗଦୀଶଙ୍କୁ ପୁଲିସ ପଚାରିବା ପରେ ସେ ମୁକ୍ତ କରିଥିଲା। ୧୫ ଦିନ ହେଲା ସେମାନଙ୍କୁ ଗୃହବନ୍ଦୀ କରି ରଖିଥିଲେ ଜଗଦୀଶ। ୪ଟି ଦଳିତ ପରିବାରର ମୋଟ୍ ୧୬ ସଦସ୍ୟ ଥିଲେ।
ଗଲା ସେପ୍ଟେମ୍ୱରରେ ବି ଗ୍ରାମ ଦେବତୀଙ୍କୁ ଛୁଇଁ ଦେବାରୁ କୋଲାର ଜିଲ୍ଲାରେ ଦଳିତ ପରିବାରକୁ ୬୦ ହଜାର ଟଙ୍କା ଜରିମାନା ଖବରକୁ ନେଇ କର୍ଣ୍ଣାଟକରେ ଚହଳ ପଡ଼ିଥିଲା। ଆଉ ଏଥିଲାଗି ପଞ୍ଚାୟତର ୫ ଜଣଙ୍କୁ ଗିରଫ କରିଥିଲା ପୁଲିସ। ଅକ୍ଟୋବର ପହିଲା ଆଗରୁ ଟଙ୍କା ନ ଦେଲେ ଗାଁରୁ ବାସନ୍ଦର ଭୟ ଦେଖାଇଥିଲେ ଅଭିଯୁକ୍ତ। ଗାଁ ମେଳା ଚାଲିଥିଲା ବେଳେ ୧୫ ବର୍ଷର ଦଳିତ ବାଳକ ଗ୍ରାମଦେବତୀ ଭୁତାମାଙ୍କ ମୂର୍ତ୍ତିକୁ ଛୁଇଁଦେଇଥିଲେ। ପୁଲିସରେ ଏ ନେଇ ଏତଲା ପରେ କଡ଼ା ଆକ୍ସନ ନିଆଯାଇଥିଲା।
ପ୍ରଦୀପ ନାୟକଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now