୫ ବର୍ଷ ଭିତରେ ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଜୀବିନ୍ତ ଦଗ୍ଧ

ନିଆଁ! ଏନ୍ତୁଡି ଶାଳରୁ ଶ୍ମଶାନ ସବୁଠି ରହିଛି ଏହା ଉପସ୍ଥିତି। ନିଆଁ ବିନା ମଣିଷ ଜୀବନ ଅସମ୍ଭବ। ତଥାପି ଅନେକ ସମୟରେ ଏହା ବିନାଶର କାରଣ ମଧ୍ୟ ହୋଇଥାଏ। ଛୋଟିଆ ଝୁଲ ବି ଜଳାଇ ଦେଇପାରେ ଗାଁ ପରେ ଗାଁ। ଦେଖୁ ଦେଖୁ ଆଖି ପିଛୁଳାକେ ମାଡି ଯାଇଥାଏ ନିଆଁ। ଯାହାଫଳରେ ବହୁ ଧନଜୀବନ ନଷ୍ଟ ହୋଇଥାଏ। ନିଆଁ ବା ଅଗ୍ନିକାଣ୍ଡର ଭୟାବହତାକୁ ନେଇ ସମସ୍ତେ ଅଳ୍ପ ବହୁତେ ଅବଗତ। ଗତ ୫ ବର୍ଷରେ ଦେଶରେ ୫୦ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ପ୍ରାଣହାନୀ ଏହାର ଭୟଙ୍କରତା ବଖାଣିବାକୁ ଯଥେଷ୍ଟ।

ବିହାରର ଔରାଙ୍ଗାବାଦ ଜିଲ୍ଲାରେ ଛଟ ପୂଜାରେ ପ୍ରସାଦ ପ୍ରସ୍ତୁତି ହେଉଥିବା ସମୟରେ ଏକ ବଡ ଅଗ୍ନିକାଣ୍ଡ ଘଟିଛି। ଶନିବାର ସକାଳେ ଶାହଗଞ୍ଜ ତେଲି ମୋହଲ୍ଲାରେ ଏକ ଏଲପିଜି ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ଏଥିରେ ପ୍ରାୟ ୩୫ ଜଣ ଜୀବିତ ଜଳିଯାଇଥିବା ବେଳେ ଅନେକ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତେବେ ଏଥିରେ ରୋଷେଇଆ,  ସ୍ଥାନୀୟ ଲୋକଙ୍କ ସମେତ ପୋଲିସ କର୍ମଚାରୀ ମଧ୍ୟ ରହିଥିବା ସୂଚନା ମିଳିଛି। ଏହି ଅଗ୍ନିକାଣ୍ଡରେ ଗୁରୁତରମାନଙ୍କ ଅବସ୍ଥା ସଙ୍କଟାପୂର୍ଣ୍ଣ ଥିବା ନେଇ ସୂଚନା ମିଳିଛି।

ତେବେ ଏହା ଅଗ୍ନିକାଣ୍ଡର ପ୍ରଥମ ଘଟଣା ନୁହେଁ, ଯାହା ଲୋକଙ୍କ ଜୀବନକୁ ବିପଦରେ ପକାଇ ଦେଇଛି। ଏହା ପୂର୍ବରୁ ଅନେକ ବଡ ବଡ ଅଗ୍ନିକାଣ୍ଡ ଘଟିଛି। ଗତବର୍ଷ ଆଠ ହଜାରରୁ ଅଧିକ ଲୋକ ଅଗ୍ନିକାଣ୍ଡର ଶିକାର ହୋଇଥିଲେ। ଦେଶରେ ପ୍ରତ୍ୟେକ ବର୍ଷ ଏକାଧିକ ଭୟଙ୍କର ଅଗ୍ନିକାଣ୍ଡ ଘଟୁଛି।

ଗତବର୍ଷ ଅର୍ଥାତ୍ ୨୦୨୧ ରେ ୮,୪୯୧ ଆଗ୍ନିକାଣ୍ଡ ପଞ୍ଜିକୃତ ହୋଇଛି। ଏହି ସଂଖ୍ୟାଗୁଡିକ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି) ର ଅଟେ। ଏହି ରିପୋର୍ଟ  ଅନୁଯାୟୀ, ୨୦୨୧ ମସିହାରେ ସମୁଦାୟ ୮,୩୪୮ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇ ବିଭିନ୍ନ ଅଗ୍ନିକାଣ୍ଡରେ ପ୍ରାଣ ହରାଇଛନ୍ତି। ଏଥିମଧ୍ୟରୁ ୫୦ ପ୍ରତିଶତରୁ ଅଧିକ ମାମଲା ଆବାସିକା କୋଠା ଏବଂ କଲୋନୀରେ ଘଟିଛି। ୨୦୨୦ ତୁଳାନାରେ ଏହା ୯ପ୍ରତିଶତ କମ୍ ରହିଥିବାରୁ ଏକ ପ୍ରକାର ଆଶ୍ବସ୍ଥିର ବିଷୟ ଅଟେ। ତେବେ ୨୦୨୦ରେ ୯,୩୨୯ ଅଗ୍ନିକାଣ୍ଡ ଘଟିଥିଲା। 

ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ଅର୍ଥାତ୍ NCRB  ଅନୁଯାୟୀ, ୨୦୧୭ ରୁ ୨୦୨୧ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ମଧ୍ୟରେ ୫୫ ହଜାର ୩୫୩ ଅଗ୍ନିକାଣ୍ଡ ଘଟଣା ପଞ୍ଜିକୃତ ହୋଇଛି। ଏଥିରେ ୫୪ ହଜାର ୨୮୦ ଜଣଙ୍କର ମୃତ୍ୟୁ ଘଟିଛି।

ସର୍ବାଧିକ ୪୩୪୮ ଅଗ୍ନିକାଣ୍ଡ ଘଟଣା ଆବାସିକ ସ୍ଥଳି ଏବଂ ଅଟ୍ଟଳିକାରେ ଘଟିଛି। ଏହାପରେ ବ୍ୟବସାୟୀଙ୍କ ଦୋକାନରେ ୨୭୪ ଟି ଘଟଣା, ଯାନବାହନରେ ୨୪୧ ଟି ଘଟଣା ପଞ୍ଜିକୃତ ହୋଇଛି। ବର୍ଷକୁ ବର୍ଷ ଅଗ୍ନିକାଣ୍ଡ ଏବଂ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *