ଦାବି ପୂରଣ ପାଇଁ ଡ୍ରାଇଭରଙ୍କ ଦଣ୍ଡବତ ଯାତ୍ରା

ଢେଙ୍କାନାଳ: ତାତିଲେ ଓଡିଶା ଡ୍ରାଇଭର ମହାସଂଘ। ଆଉ ଭଳିବନି ସରକାରଙ୍କ ବାହାନାରେ। ଆନ୍ଦୋଳନ ପଥକୁ ଓହ୍ଲାଇଲା ମହାସଂଘ।  ଆପଣେଇଲେ ନିଆରା ଆନ୍ଦୋଳନ ପଥ।  ସେମାନଙ୍କ ସୁରକ୍ଷା, ସମ୍ମାନ, ହକ୍‌ ପରି ୯ ଦଫା ଦାବି ନେଇ ଦଣ୍ଡବତ ଯାତ୍ରା କରୁଛନ୍ତି ଓଡିଶା ଡ୍ରାଇଭର ମହାସଂଘ କର୍ମକର୍ତ୍ତା।

ସମ୍ବଲପୁରର ମା’ ସମଲେଇ ପୀଠରୁ ଆରମ୍ଭ ହୋଇଥିବା ଦଣ୍ଡବତ  ଯାତ୍ରା ଢେଙ୍କାନାଳ ଛୁଇଁଛି।  ହଜାର ହଜାର  ଡ୍ରାଇଭର ରାଜରାସ୍ତା ଉପରେ ଦଣ୍ଡବତ କରି କରି ୨ଶହ ପର୍ଯ୍ୟନ୍ତ ରାସ୍ତା  ଅତିକ୍ରମ କରି ସାରିଲେଣି। ଢେଙ୍କାନାଳରୁ ସେମାନେ କଟକ ହୋଇ ନବୀନ ନିବାସ ଅଭିମୁଖେ ଯାତ୍ରା କରିବେ ବୋଲି ମହାସଂଘ ଚେତାବନୀ ଦେଇଛନ୍ତି।  ଆସନ୍ତା  ୮ରେ ନବୀନ ନିବାସରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି। ନବୀନ ନିବାସରେ ପହଞ୍ଚି ସରକାରଠୁ ହକ ମାଗିବେ ବୋଲି କହିଛନ୍ତି। ପ୍ରଥମେ ଶାନ୍ତିପୂର୍ଣ୍ଣ ଭାବେ ଦାବି ଜଣାଇବେ, ଯଦି ପୂରଣ ନ ହୁଏ ତେବେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଷ୍ଟିୟରିଙ୍ଗ ଛାଡ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି।

ଡ୍ରାଇଭର ସଂଘ ଦୀର୍ଘ ଦିନରୁ ସେମାନଙ୍କ ସୁରକ୍ଷା ଓ ବୀମା ପାଇଁ ଦାବି କରିଆସୁଛନ୍ତି। ଏହା ବ୍ୟତୀତ, ବୃଦ୍ଧାବସ୍ଥାରେ ଗାଡି ଚଳାଇବା ଅସମ୍ଭବ ହେବାରୁ ଭିକ୍ଷାବୃତି କରିବାକୁ ପଡୁଛି, ତେଣୁ ସେମାନଙ୍କୁ ବୀମାଭୂକ୍ତ କରି ପେନସନ ପ୍ରଦାନ କରିବାକୁ ଦାବି କରୁଛନ୍ତି। ଏହା ଉପରେ ପ୍ରଶାସନ ପକ୍ଷରୁ ଅନେକ ପ୍ରତିଶ୍ରୁତି ଦିଆଯାଉଥିଲେ ମଧ୍ୟ ସେସବୁର ପୂରଣ ନ ହେବାରୁ ଶେଷରେ ଓଡିଶା ଡ୍ରାଇଭର ମହାସଂଘ ପ୍ରତିବାଦ ପାଇଁ ନିଷ୍ପତ୍ତି ନେଇଛି। ସୂଚନାଯୋଗ୍ୟ, ଗତବର୍ଷ ଡ୍ରାଇଭରଙ୍କ ବିଶାଳ ଶୋଭାଯାତ୍ରା ହେତୁ ରାଜଧାନୀରେ ଟ୍ରାଫିକ ବ୍ୟବସ୍ଥା ଏକ ପ୍ରକାର ଭୁଶୁଡ଼ି ଯାଇଥିଲା। ଏବେ ପୁଣି ଥରେ ହଜାର ହଜାର ଡ୍ରାଇଭର ଭୁବନେଶ୍ୱରମୁହାଁ  ହୋଇଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *