ନିର୍ମାଣକୁ ଲାଗିଗଲା ୨୧ ବର୍ଷ ଭାଙ୍ଗିଗଲା ୯ ବର୍ଷରେ

କେନ୍ଦ୍ରାପଡା: ସେତୁ ନିର୍ମାଣକୁ ଲାଗିଗଲା ୨୧ ବର୍ଷ । କିନ୍ତୁ ଭାଙ୍ଗିବା ପାଇଁ ମାତ୍ର ୯ ବର୍ଷ । କେନ୍ଦ୍ରାପଡା ଇନ୍ଦୁପୁରଠାରେ ବିରୂପା ସେତୁର ଦୂରାବସ୍ଥା ନ ଦେଖିଲେ କେହି ବି ବିଶ୍ବାସ କରିବନି । ସେତୁର ବାଡ଼ ସମ୍ପୂର୍ଣ୍ଣ ରୂପେ  ଭାଙ୍ଗି ରୁଜି ଯାଇଥିବା ବେଳେ ଏବେ ବିପଦ ପୂର୍ଣ୍ଣ ଅବସ୍ଥାରେ ପଡିରହିଛି । ଫଳରେ ଲୋକେ ଜୀବନକୁ ବିପଦରେ ପକାଇ ନଦୀ ପାର ହେବାକୁ ବାଧ୍ୟ ହେଉଛନ୍ତି।

ଏ ହେଉଛି କେନ୍ଦ୍ରାପଡା ଜିଲ୍ଲା ଇନ୍ଦୁପୁରଠାରେ ଥିବା ବିରୂପା ସେତୁ। ଯାଜପୁର ବରୀ ବ୍ଲକର ପ୍ରାୟ ୨୫ରୁ ଅଧିକ ପଂଚାୟତର ଲୋକ ଦୈନିକ ଏହି ପୋଲ ଦେଇ କେନ୍ଦ୍ରାପଡା ଆସିଥାଆନ୍ତି । ସେହିପରି କେନ୍ଦ୍ରାପଡାରୁ କଟକ ଯାତ୍ରୀବାହୀ ବସ ଚଳାଚଳ ଏବଂ ବ୍ୟବସାୟ ବାଣିଜ୍ୟ ପାଇଁ ମଧ୍ୟ ଏହି ପୋଲ ଏକମାତ୍ର ଭରସା । ସେପଟେ ପୋଲର ଅବସ୍ଥା ନ କହିବା ଭଲ। ପୋଲର ବାଡ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ରୁଜି ନଷ୍ଟ ହୋଇଯାଇ ଥିବାବେଳେ ହାତ ମାରିଲେ କଂକ୍ରିଟ ଖଣ୍ଡ ଭାଙ୍ଗି ନଦୀଗର୍ଭକୁ ଗଳିପଡୁଛି । ଲୋକେ ଜୀବନରୁ ପାଣି ଛଡାଇ ଏହି ପୋଲ ଉପରେ ଯାତାୟତ କରୁଛନ୍ତି । କେତେବେଳେ ଯେ ବାଡ଼ ଭାଙ୍ଗି ପଡିବ ତାହା କହିହେବନି । ବର୍ଷ ବର୍ଷ ଧରି ପୋଲର ରକ୍ଷଣାବେକ୍ଷଣରେ ଅବହେଳା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ, ନିକଟ ବାଲିଘାଟରୁ ଓଭର ଲୋଡିଙ୍ଗ କରି ଚଳପ୍ରଚଳ ଭାରିଯାନ ପାଇଁ ପୋଲର ଏଭଳି ଅବସ୍ଥା ବୋଲି ସ୍ଥାନୀୟଲୋକେ ଅଭିଯୋଗ କରିଛନ୍ତି।

୧୯୯୨ ମସିହାରେ ବିରୂପା ନଦୀରେ ସେତୁ ନିର୍ମାଣ ପାଇଁ ଶୁଭ ଦିଆଯାଇଥିଲା । ନିର୍ମାଣ କାର୍ଯ୍ୟ ଶେଷ ହେବା ପାଇଁ ୨୧ ବର୍ଷ ଲାଗିଥିଲା । ପୋଲର ସମସ୍ୟା ନେଇ କେହି ହେଲେ କର୍ଣ୍ଣପାତ କରୁନଥିବା ବେଳେ  ଜିଲ୍ଲାପାଳ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *