ଲୋକଙ୍କୁ ଆକୃଷ୍ଟ କରୁଛି ଦେଶୀ ହାଟ

ବରଗଡ଼:  ସୁସ୍ଥ ଖାଉଟି, ସମୃଦ୍ଧ ଚାଷୀ । ଏପରି ମହାନ ଚିନ୍ତାଧାରା ନେଇ ଆରମ୍ଭ ହୋଇଛି ଦେଶୀ ହାଟ । ଯେଉଁଠି ମିଳୁଛି ସମୂର୍ଣ୍ଣ ଜୈବିକ ପଦ୍ଧତିରେ ଚାଷ ହୋଇଥିବା ପନିପରିବା । ବରଗଡ ଉପକଣ୍ଠ କଟା ପାଲି ଗ୍ରାମ ରେ ଆରମ୍ଭ ହୋଇଥିବା ଏହି ଦେଶୀ ହାଟ ଦେଶ ଚର୍ଚ୍ଚିତ ହୋଇଛି ।

ଗାଁରେ ବସିଛି ହାଟ ।  ମୂଳା, କଲରା, ଝୁଡ଼ଙ୍ଗ, ବାଇଗଣ ପରି ବିଭିନ୍ନ ପ୍ରକାରର ପନିପରିବା । ତା ସାଙ୍ଗକୁ ବିଭିନ୍ନ ରକମର ଶାଗ । ସବୁ ସ୍ଥାନରେ ସବୁ ହାଟରେ ଏ ସବୁ ମିଳୁଥିଲେ ହେଁ ଏ ହାଟ ଟିକିଏ ଅଲଗା। କାରଣ ଏ ହାଟରେ ମିଳୁଥିବା ପନିପରିବା ସବୁ ଜୈବିକ ପଦ୍ଧତିରେ ଉତ୍ପାଦିତ । ଏ ହାଟ ବସିଛି ବରଗଡ଼ ଉପକଣ୍ଠ କଟାପାଲି ଗ୍ରାମରେ। ଏଠାରେ ପରିବା ବିକୁଥିବା ବ୍ୟବସାୟୀ ହେଲେ ଖୋଦ୍‌ ଚାଷୀ। ଚାଷୀର ପନିପରିବା କିଣିବା ପାଇଁ ଲୋକଙ୍କ ଭିଡ଼ ଲାଗିଥାଏ । ସେହିପରି ନିଜର ପନିପରିବା ଭଲ ବିକ୍ରୀ ହେଉଥିବାରୁ ଚାଷୀ ବି ଖୁସ୍‌। ଭିତ୍ତିଭୂମି ସେବା ସଂଗଠନ, ଫିକଲ, ସ୍ୱିସ ଏଡ ଏବଂ କଟା ପାଲି ଗ୍ରାମପଞ୍ଚାୟତର ମିଳିତ ସହଯୋଗରେ କଟା ପାଲି ଠାରେ ଆରମ୍ଭ ହୋଇଛି ଏହି ଦେଶୀ ହାଟ । ମାତ୍ର ମାସକ ତଳୁ ଆରମ୍ଭ ହୋଇଥିବା ଏହି ହାଟ କମ୍‌ ଦିନ ମଧ୍ୟରେ ବେଶ ଚର୍ଚ୍ଚାର ବିଷୟ ହୋଇଛି ।

ଧାନ ଚାଷ ପରି ପନିପରିବାରେ ବହୁଳ ସାର, କୀଟନାଶକ ଔଷଧର ବ୍ୟବହାର ହୋଇଥାଏ । ଏହା ଫଳରେ କ୍ୟାନସର, ହୃଦ୍‌ଘାତ, କୀଡ଼ନୀ ପରି ଜଟିଳ ରୋଗ ସୃଷ୍ଟି ହେଉଛି। ଯାହା ଅତ୍ୟନ୍ତ ଚିନ୍ତାର ବିଷୟ ହୋଇଛି । ଏଥିରେ ରୋକ ଲଗାଯିବା ତଥା ଲୋକଙ୍କ ସ୍ୱାସ୍ଥ୍ୟର ଉନ୍ନତି ଏବଂ ଚାଷୀର ଉନ୍ନତି ଚିନ୍ତା ନେଇ ଏହି ଦେଶୀ ହାଟର ପରିକଳ୍ପନା କରାଯାଇଛି। ଜୈବିକ ପଦ୍ଧତିରେ ଚାଷ କରୁଥିବା ଚାଷୀଙ୍କୁ ଏକ ଜୁଟ କରି କଟାପାଲି ପଞ୍ଚାୟତ ସହାୟତାରେ ସ୍ଵତନ୍ତ୍ର ବଜାର ଦେଶୀହାଟ ତିଆରି କରାଯାଇଛି । ଯାହାର ସ୍କୋଗାନ ରଖାଯାଇଛି ସୁସ୍ଥ ଖାଉଟୀ, ସମୃଦ୍ଧ ଚାଷୀ  । କଟା ପାଲି, ବରଗାଁ, କମଗାଁ, ଅନ୍ତପାଲି, କର୍ଲାଜୁରୀ ଆଦି ଗ୍ରାମର ଚାଷୀମାନେ ନିଜର ପନିପରିବା ଏଠାକୁ ଆଣି ବିକ୍ରୀ କରୁଛନ୍ତି । ବର୍ତମାନ ଏହି ବଜାର କଟାପାଲିରେ ଆରମ୍ଭ ହୋଇଥିବା ବେଳେ ଆଗାମୀ ଦିନରେ ବରଗଡ଼ ସହର ସମେତ ବିଭିନ୍ନ ବ୍ଲକରେ ଆରମ୍ଭ କରାଯିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।

ଧୃବ କର୍ମୀଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *