() ଇଣ୍ଡୋସେନିଆର ବାଲିରେ ଚାଲିଥିବା ଜି-୨୦ ସମ୍ମିଳନୀରେ ମୋଦି। ସମ୍ମିଳନୀରେ ମୋଦିଙ୍କ ଦବଦବା। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମୋଦିଙ୍କ ସହ ହାତ ମିଳାଇବାକୁ ଆଗେଇ ଆସିଥିବା ବେଳେ ୟୁଏନକୁ କଟାକ୍ଷ କରିବାକୁ ପଛାଇ ନାହାନ୍ତି ପ୍ରଧାନମନ୍ତ୍ରୀ। ସେପଟେ ମୋଦି ତାଙ୍କ ଅଭିଭାଷଣରେ ଚିରାଚରିତ ଢଙ୍ଗରେ ବସୁନ୍ଧରା କୁଟୁମ୍ବକମ୍କୁ ସ୍ଥାନ ଦେଇ ୱାନ ସନ, ୱାନ ୱର୍ଲ୍ଡ, ୱାନ ଗ୍ରୀଡର ଗୁରୁମନ୍ତ୍ର ଦେଇଛନ୍ତି। ସେହିପରି ଇଣ୍ଡୋନେସିଆରେ ଏକ ଭାରତୀୟ ସମୁଦାୟକୁ ସମ୍ବୋଧନ ଦେବା କାଳରେ ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ଥିବା ସମ୍ପର୍କର ବର୍ଣ୍ଣନା କରିଛନ୍ତି।
ଜି-୨୦ ସମ୍ମିଳନୀରେ ବିଶ୍ବର ବହୁ ଦେଶର ରାଷ୍ଟ୍ରମୁଖ୍ୟଙ୍କ ସମାଗମ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସମ୍ମିଳନୀରେ ସାମିଲ ହୋଇଛିନ୍ତି। ଏହି ଅବସରରେ ମୋଦି ଖାଦ୍ୟ, ସୁରକ୍ଷା, ଶକ୍ତି, ୟୁକ୍ରେନ ଯୁଦ୍ଧ ଉପରେ ଆଲୋଚନା କରିଛନ୍ତି। ଇଣ୍ଡୋନେସିଆରେ ମୋଦି ଭାରତ ଓ ଇଣ୍ଡୋନେସିଆର ହଜାର ହଜାର ବର୍ଷ ପୁରୁଣା ବୈପାରିକ ସମ୍ପର୍କର ଅବତାରଣା କରିଛନ୍ତି। ଏହି ଅବସରରେ ମୋଦି କହିଛନ୍ତି, ଭାରତର ସ୍ବାଧୀନତାର ଦୁଇ ଦିନ ପରେ ଅର୍ଥାତ୍ ଅଗଷ୍ଟ ୧୭ ରେ ସ୍ବାଧୀନ ହୋଇଛି ଇଣ୍ଡୋନେସିଆ। କିନ୍ତୁ ଇଣ୍ଡୋନେସିଆ ଭାଗ୍ୟଶାଳୀ କି ଭାରତ ସ୍ବାଧୀନତାର ୨ ବର୍ଷ ପୂର୍ବରୁ ଇଣ୍ଡୋନେସିଆ ସ୍ବାଧୀନତା ଲାଭ କରିଥିଲା। ଭାରତକୁ ଇଣ୍ଡୋନେସିଆଠାରୁ ବହୁତ କିଛି ଶିଖିବାର ଅଛି।
ସେହିପରି ବାଲିରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧିତ କରିବା କାଳରେ ମୋଦି କହିଛନ୍ତି, ଉଭୟ ଦେଶ ମଧ୍ୟରେ ଥିବା ନୌବାଣିଜ୍ୟ ବହୁ ପୁରାତନ। ଯାହାକୁ ଏଠାରୁ ୧୫୦୦ କିଲୋମିଟର ଦୂରରେ ଆଜି ମଧ୍ୟ ଭାରତର କଟକ ସହରରେ ମହାନଦୀ କୂଳରେ ବାଲି ଯାତ୍ରା ମହୋତ୍ସବ ପାଳନ ହେଉଛି। ଏହି ମହୋତ୍ସବ ଉଭୟ ଦେଶ ମଧ୍ୟରେ ଥିବା ହଜାର ହଜାର ବର୍ଷ ପୁରୁଣା ସମ୍ପର୍କର ସମାରୋହ। ଆଜି ମଧ୍ୟ ବାଲି ସହ ଭାରତର ନୌବାଣିଜ୍ୟକୁ ସ୍ମରଣ କରି କଟକ ସହର ପାଳୁଛି ବାଲିଯାତ୍ରା। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଅତୀତକୁ ମନେ ପକାଇବା ଅବସରରେ ମୋଦି ମୋଦି ନାରାରେ ପ୍ରକମ୍ପିତ ହୋଇଥିଲା ଅଞ୍ଚଳ।
ଏହା ପୂର୍ବରୁ ମଙ୍ଗଳବାର ପୂର୍ବାହ୍ନରେ ଜି-୨୦ ସମ୍ମିଳନୀରେ ଭାଗ ନେଇଥିଲେ ପ୍ରଧାମନ୍ତ୍ରୀ। ଭାରତୀୟ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଜାରି ବର୍ତ୍ତାରେ କୁହାଯାଇଛି କି, ପ୍ରଧାନମନ୍ତ୍ରୀ ମୋଦି ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପରସ୍ପରକୁ ଭେଟିଛନ୍ତି। ଉଭୟ ଦେଶର ରଣନୈତିକ ଭାଗିଦାରୀକୁ ଦୁଇ ନେତା ଆହୁରି ମଜଭୂତ କରିବା ଉପରେ ଆଲୋଚନା କରିଛନ୍ତି। ଏଥିସହ ବାଇଡେନ, ମୋଦିଙ୍କ ସହ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କ ମଧ୍ୟରେ ମଧ୍ୟ ବନ୍ଧୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି। ଏହି ଅବସରରେ ୱାର୍ଲ୍ଡ ବ୍ୟାଙ୍କ ଅଧ୍ୟକ୍ଷ ଡେଭିଡ ମାଲାପାସଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ସକାରାତ୍ମକ ଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଓ ବ୍ରିଟେନର ନବନିଯୁକ୍ତ ଭାରତୀୟ ବଂଶୋଦ୍ଭବ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ମଧ୍ୟରେ ସାକ୍ଷାତକାର ହୋଇଛି। ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ଏହା ମୋଦି ଓ ସୁନକଙ୍କ ମଧ୍ୟରେ ପ୍ରଥମ ସାକ୍ଷାତକାର। ଏହି ସାକ୍ଷାତକାର ପୂର୍ବରୁ ପ୍ରଧନମନ୍ତ୍ରୀ ଫ୍ରାନ୍ସର ରାଷ୍ଟ୍ରପତି ଇମେନୁଏଲ ମୈକ୍ରୋଙ୍କ ମଧ୍ୟରେ ଖାଦ୍ୟ ଓ ଶକ୍ତି ସୁରକ୍ଷା ଉପରେ ଆଲୋଚନା ହୋଇଥିଲା। ଇଣ୍ଡୋନେସିଆ ଗସ୍ତ କାଳରେ ମୋଦି ୟୁକ୍ରେନ ଋଷ ଯୁଦ୍ଧ ବନ୍ଦ କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି। ଯୁଦ୍ଧ ବନ୍ଦ କରିବାକୁ କୂଟନୀତିକ ରାସ୍ତାକୁ ଆପଣାଇବାକୁ ଗୁରୁତ୍ବ ଦେଇଛନ୍ତି ମୋଦି।
ଆସନ୍ତା ବର୍ଷ ପାଇଁ ଭାରତକୁ ଜି-୨୦ର ନେତୃତ୍ବ ଦାୟିତ୍ବ ଦିଆଯାଇଥିବାରୁ ପ୍ରଧାନମନ୍ତ୍ରୀ ମୋଦି ଧନ୍ୟବାଦ ଜଣାଇଛନ୍ତି। ଏଥିସହ ମୋଦି କହିଛନ୍ତି କି, କଠିନ ବୈଶ୍ବିକ ବାତାବରଣ ଭିତରରେ ଜି ୨୦ ନେତୃତ୍ବ ଦିଆଯାଇଥିବାରୁ ମୁଁ ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କୁ ଅଭିନନ୍ଦନ ଜଣାଉଛି। ଜଳବାୟୁ ପରିବର୍ତ୍ତନ, କୋଭିଡ ମହାମାରୀ, ୟୁକ୍ରେନ ୟୁଦ୍ଧକୁ ନେଇ ବିଶ୍ବରେ ଅସ୍ଥିରତା ଦେଖା ଦେଇଛି। ବୈଶ୍ବିକ ଯୋଗାଣ ଚେନ ନଷ୍ଟ ହୋଇ ଯାଇଛି। ସାରା ଦୁନିଆରେ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ମୁଖ୍ୟତଃ ଗରିବ ଶ୍ରେଣୀ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏହି ଅବସରରେ ମୋଦି ୟୁଏନ ଉପରେ ନିଜ ଅସନ୍ତୋଷ ବ୍ୟକ୍ତ କରିବାକୁ ମଧ୍ୟ ପଛାଇ ନାହାନ୍ତି। ବର୍ତ୍ତମାନର ସ୍ଥିତି ସମ୍ଭାଳିବାରେ ୟୁଏନ ବିଫଳ ହୋଇଥିବା କହିଛନ୍ତି ମୋଦି। ତେଣୁ ଚଳିତ ଜି-୨୦ରୁ ବିଶ୍ବକୁ ଅଧିକ ଆଶା ରହିଥିବା କହିଛନ୍ତି ମୋଦି
ତେବେ ଚଳିତ ଜି-୨୦ ଶୀଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତି କୁ ନେଇ ବିଶ୍ବର ନଜରରେ ଭାରତର ସ୍ଥିତି ଆହୁରି ସୁଦୃଢ ହୋଇଛି। ବିଶ୍ବ ଶାନ୍ତି ପ୍ରତିଷ୍ଠା କ୍ଷେତ୍ରରେ ତଥା ସାରା ବିଶ୍ବ ପାଇଁ ଭାରତର ଚିନ୍ତା ମୋଦି ତଥା ଭାରତକୁ ଆହୁରି ଆଦୃତ କରିବ ବୋଲି ଆଶା କରାଯାଇ ପାରେ।
ଶିଲାସ୍ମିତା ରୟଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now