ଜିଲ୍ଲାପାଳଙ୍କ ସ୍ମାର୍ଟ ଶିକ୍ଷାଦାନ

ଗଜପତି: ସ୍କୁଲରେ ନବ ନିର୍ବାଚିତ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲାପରିଷଦ ଛାତ୍ରଛାତ୍ରୀ ଭାବେ ପାଠ ପଢୁଛନ୍ତି ଏବଂ ଶିକ୍ଷକ ଭାବେ ପାଠ ପଢାଉଥିବେ ଜିଲ୍ଲାପାଳ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲାରେ। ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଫେରୀ ଗୁମ୍ମା ବ୍ଲକ ସଭାଗୃହଠାରେ ବୈଠକ ପରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଥିବା ସ୍ମାର୍ଟ ସ୍କୁଲରେ ଶ୍ରେଣୀ କକ୍ଷ, ପରୀକ୍ଷାଗାର, ଇ-ଲାଇବ୍ରେରୀ ସବୁ ବୁଲି ଦେଖାଇବା ସହ ପିଲାମାନଙ୍କୁ କିପରି ସ୍ମାଟ ବୋର୍ଡରେ ପାଠ ପଢାଯାଏ ସେ ନେଇ ପାଠ ପଢାଇଥିଲେ।

ଗଜପତି ଗୁମ୍ମା ବ୍ଲକର ତୁମୁଳ ପଞ୍ଚାୟତରେ ଜନଶୁଣାଣିରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଫେରୀ ଗୁମ୍ମା ବ୍ଲକ ସଭାଗୃହଠାରେ ବୈଠକ କରୁଥାନ୍ତି । ଏହି ବୈଠକରେ ଜିଲ୍ଳାସ୍ତରୀୟ ଅଧିକାରୀ, ନବ ନିର୍ବାଚିତ ପ୍ରତିନିଧି ଓ କିଛି ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥାନ୍ତି । ପରେ ଜିଲ୍ଲାପାଳ ବୈଠକରେ ଥିବା ସମସ୍ତଙ୍କୁ ଗୁମ୍ମା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଥିବା ସ୍ମାର୍ଟ ସ୍କୁଲକୁ ନେଲେ ଏବଂ ସେଠାରେ ସ୍କୁଲର ସୌନ୍ଦର୍ଯ୍ୟ, ଶୌଚାଳୟ, ପାନୀୟଜଳ, ଶ୍ରେଣୀ କକ୍ଷ, ପରୀକ୍ଷାଗାର, ଇ-ଲାଇବ୍ରେରୀ ସବୁ ବୁଲି ଦେଖାଇଥିଲେ । ପରେ ସ୍ମାର୍ଟ ରୁମରେ ସମସ୍ତଙ୍କୁ ବସାଇ ପିଲାମାନଙ୍କୁ କିପରି ସ୍ମାର୍ଟ ବୋର୍ଡରେ ପାଠ ପଢାଯାଏ ସେ ବିଷୟରେ କ୍ଲାସ ନେଇଥିଲେ । ଏପରିକି ଇଣ୍ଟରନେଟର ବ୍ୟବହାର କରାଯାଇ ପିଲାମାନଙ୍କୁ କିପରି ବିଭିନ୍ନ ବିଷୟରେ ପଢାଯାଏ ତାହାର ଡେମୋ ମଧ୍ୟ ଦେଖାଇଥିଲେ ଜିଲ୍ଲାପାଳ।

ସେପଟେ କିଛି ସ୍ଥାନୀୟ ଯୁବକ ଜିଲ୍ଲାପାଳଙ୍କ ଗସ୍ତକୁ ନେଇ ସ୍ମାର୍ଟ ସ୍କୁଲ ବାହାରେ ଆଲୋକ ବ୍ୟବସ୍ଥା ସହ ସ୍ମାର୍ଟ ସ୍କୁଲର ନାଳର ସୁବ୍ୟବସ୍ଥା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ।

ଜିଲ୍ଲାପାଳ ସ୍ମାର୍ଟ ସ୍କୁଲରେ ସ୍ମାର୍ଟ କ୍ଲାସ କରି ଲୋକଙ୍କ ଦାବି କିପରି ପୂରଣ କରି ସ୍ମାର୍ଟ  ଜିଲ୍ଲାପାଳ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

ନାଗେଶ୍ଵର ମହାପାତ୍ରଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *