ଇଂଜିନିୟରରୁ ସଫଳ ଚାଷୀ

ଝାରସୁଗୁଡ଼ା:  ଚାକିରି ଛାଡ଼ି ଚାଷରେ ମନ ବଳାଇଛନ୍ତି ଯୁବକ । ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ସାହାସପୁର ପଞ୍ଚାୟତ ଅନ୍ତର୍ଗତ ନାଏକ ବନ୍ଧପାଲିର ଯୁବ ଯନ୍ତ୍ରୀ ତପନ ମାକର ଏବେ ସ୍ଥାନୀୟ ଅଞ୍ଚଳର ଜଣେ ସଫଳ ଚାଷୀ ହୋଇପାରିଛନ୍ତି । ବାପାଙ୍କ ଚାଷ କାମକୁ ଆଉ ପାଦେ ଆଗେଇ ନେଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇପାରିଛନ୍ତି । ତେବେ ବର୍ତ୍ତମାନ ସମୟରେ ଯୁବପିଢି ଚାକିରି ପଛରେ ପଡିଥିବା ବେଳେ ନିଜେ ରୋଜଗାରକ୍ଷମ ହେବା ସହ ଅନ୍ୟ ପାଇଁ ପ୍ରେରଣା ସାଜିଛନ୍ତି ।

ଇଂଜିନିୟରରୁ ସଫଳ ଚାଷୀ । ଚାକିରି ଛାଡି ଚାଷକୁ ବେଉସା କରିଛନ୍ତି ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ନାଏକ ବନ୍ଧପାଲିର ଯୁବ ଯନ୍ତ୍ରୀ ତପନ ମାକର । ପାଠପଢ଼ିଲେ ବିଟେକ୍ ମେକାନିକାଲ, ଘରୋଇ କମ୍ପାନୀରେ ଭଲ ଦରମାର ଚାକିରି ପାଇଲେ । କିନ୍ତୁ ୨୦୧୫ରେ ଚାକିରି ଛାଡ଼ି ଚାଷ କରିବା ପାଇଁ ମନସ୍ଥ କଲେ। ଘରେ ବାପା ଦୁର୍ଯ୍ୟୋଧନ ମାକରଙ୍କ ଚାଷ ପ୍ରତି ଆଗ୍ରହ, ନିଷ୍ଠା ଓ ପରିଶ୍ରମ ଦେଖିଥିଲେ ତେଣୁ ଗାଁକୁ ଫେରି ଚାଷକାମ ଆରମ୍ଭ କଲେ ।

ମାକର ପରିବାର ଏବେ ମୁଖ୍ୟତଃ କଦଳୀ ଚାଷ ହିଁ କରୁଛନ୍ତି। ଶିକ୍ଷିତ ଚାଷୀ ଭାବରେ ବାପା କରୁଥିବା ଚାଷ ସହ ନୂଆ ଜ୍ଞାନକୈାଶଳ ଉପଯୋଗ କରି ଚାଷ କରୁଛନ୍ତି ତପନ। ଯାହାର ପରିଣାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସମସ୍ତେ ଜାଣନ୍ତି, କଦଳୀ ଚାଷରେ ପରିଶ୍ରମ ଅଧିକ । ଗୋଟିଏ କଦଳୀ ଗଛରୁ ୩ଥର ହିଁ ଫଳ ବାହାରିଥାଏ। କିନ୍ତୁ ତପନ ଓ ତାଙ୍କ ବାପାଙ୍କ ପରିଶ୍ରମ ଯୋଗୁଁ ଏହି କଦଳୀ ଗଛରୁ ୬ଥର ଫଳ ମିଳୁଛି। ଏବଂ ଅଧିକ ରୋଜଗାର ସମ୍ଭବ ହୋଇପାରୁଛି ।

ତେବେ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡ. ସୌମ୍ୟରଂଜନ ଦାସଙ୍କ କହିବା କଥା, ଗୋଟିଏ କଦଳୀ ଗଛରୁ ଚାଷୀ କେମିତି ୬ଥର ଫଳ ବାହାର କରୁଛନ୍ତି ତାହା ନିଶ୍ଚିତ ଭାବରେ ଏକ ଶିକ୍ଷଣୀୟ ପ୍ରଣାଳୀ। ଏହି ପ୍ରଣାଳୀ ବିଷୟରେ ଅଧିକ ଜାଣିବା ପାଇଁ ସେ ଆଗ୍ରହ ପ୍ରକାଶ କରିଛନ୍ତି। ଏବଂ ଚାଷ ପ୍ରଣାଳୀ ଉଚ୍ଚକୋଟୀର ହୋଇଥିବ ବୋଲି ମଧ୍ୟ ମତ ଦେଇଛନ୍ତି ।

ରାଜ୍ୟର ଅଧିକାଂଶ ଲୋକ ଚାଷ କରନ୍ତି । କିନ୍ତୁ ପରିଶ୍ରମ ଅନୁଯାୟୀ ଲାଭ ପାଆନ୍ତିନାହିଁ । ତେବେ ନୂତନ ଜ୍ଞାନକୈାଶଳ ଓ ନୂଆ ନୂଆ ପ୍ରଣାଳୀ ଦ୍ୱାରା ଚାଷ ଯାହା ଶିକ୍ଷିତ ଯୁବଚାଷୀମାନେ କରୁଛନ୍ତି ତାହା ଅନ୍ୟମାନଙ୍କ ପାଇଁ ଉଦାହରଣ ନିଶ୍ଚିତ।

ସନ୍ତୋଷ ମିଶ୍ରଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *