ରାଜଧାନୀରେ ବହୁତଳ ପାର୍କିଂ ବ୍ୟବସ୍ଥା

ଭୁବନେଶ୍ବର: ରାଜଧାନୀରେ ନୂତନ ତଥା ସୁବ୍ୟବସ୍ଥିତ ବହୁତଳ ପାର୍କିଂ ବ୍ୟବସ୍ଥା l ଏଣିକି ସୁବିଧା ଓ ସୁରକ୍ଷିତ ଭାବେ ସହରବାସୀ ରଖିପାରିବେ ଗାଡି । ଭୁବନେଶ୍ଵରରେ ସକାଳରୁ ରାତି ଯାଏଁ ମାର୍କେଟ ବିଲ୍ଡିଂ ରେ ଲାଗିରହିଥିବା ଭିଡ଼କୁ ଦୃଷ୍ଟିରେ ରଖି ଏହି ନୂତନ ବହୁତଳ ପାର୍କିଂ ବ୍ୟବସ୍ଥା ଆରମ୍ଭ କରାଯାଇଛି l ତେବେ ଦୁଇ ଗୁଣା ଅଧିକ ପାର୍କିଂ ଫି କୁ ନେଇ ମଧ୍ୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ରାଜଧାନୀ ଭୁବନେଶ୍ଵରର ଉନ୍ନତିକରଣରେ ଯୋଡ଼ି ହୋଇଛି ବହୁତଳ ପାର୍କିଂ ବ୍ୟବସ୍ଥା l ରାଜମହଲ ଛକରେ ଏହି ପାର୍କିଂ ବ୍ୟବସ୍ଥା ଆରମ୍ଭ ହୋଇଛି l ପ୍ରତି ଦିନ ଏଠାରେ ଥିବା ମାର୍କେଟ ବିଲ୍ଡିଂକୁ ଆସିଥାଆନ୍ତି । ହେଲେ ପାର୍କିଂର କୌଣସି ସଠିକ ବ୍ୟବସ୍ଥା ନଥିବାରୁ ରାସ୍ତାରେ ଗାଡି ରଖି ମାର୍କେଟ ଯିବାକୁ ବାଧ୍ୟ ହୁଅନ୍ତି । ଏହାଯୋଗୁଁ ରାସ୍ତା ଅବରୋଧ ହୋଇ ଏଜି ଛକରୁ ରାଜମହଲ ଯାଏଁ ସବୁବେଳେ ଟ୍ରାଫିକ ସମସ୍ୟା ମଧ୍ୟ ଦେଖା ଦେଇଥାଏ । ଏମିତିକି ଗାଡି ଚୋରିର ଭୟ ମଧ୍ୟ ରହିଥାଏ । ଏହାସହ ସବୁବେଳେ ଛୋଟବଡ ଦୁର୍ଘଟଣା ଘଟି ଅନେକ ଆହତ ମଧ୍ୟ ହେଉଥିବା ଦେଖିବାକୁ ମିଳିଥାଏ ।

ଡିସେମ୍ବର ୮ ତାରିଖରେ ଏହି ବହୁତଳ ପାର୍କିଂ ବ୍ୟବସ୍ଥା ଆରମ୍ଭ ହେବା ଦ୍ୱାରା ଯାନବାହାନ ଗୁଡ଼ିକ ଏବେ ସୁରକ୍ଷିତ ଅବସ୍ଥାରେ ରହିବା ସହ ରାସ୍ତା ମଧ୍ୟ ଫାଙ୍କା ରହୁଛି । ଯାହାଫଳରେ ଟ୍ରାଫିକ ସମସ୍ୟା ହ୍ରାସ ପାଇଛି । କିନ୍ତୁ ଏସବୁ ମଧ୍ୟରେ ବାଧକ ସାଜୁଛି ପାର୍କିଂର ଦୁଇଗୁଣା ଫି l ବାହାରେ ଗାଡ଼ି ଗୁଡ଼ିକର ପାର୍କିଂ ପାଇଁ ୨୦ ଟଙ୍କା ଦେବାକୁ ପଡୁଥିବା ବେଳେ ଏଠାରେ ୪୦ ଟଙ୍କା ଦେବାକୁ ପଡ଼ୁଛି । ପୁଣି ଏକ ଘଣ୍ଟାରୁ ଅଧିକ ସମୟ ରହିଗଲେ ପାର୍କିଂ ଫି ବାବଦକୁ ୭୦ ଟଙ୍କା ଦେବାକୁ ପଡ଼ୁଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଜନସାଧାରଣ l ସେପଟେ ଚଢାଦରକୁ ନେଇ ପାର୍କିଂ ମ୍ୟାନେଜରଙ୍କୁ ପଚରାରିବାରୁ ସେ ପ୍ରତିକ୍ରୟା ଦେବାକୁ ମନା କରିଦେଇଥିଲେ ।

ଅନ୍ୟପକ୍ଷେ ଗାଡିଗୁଡିକ ସୁରକ୍ଷିତ ରହି ପାରୁଥିବାରୁ ଖୁସି ପ୍ରକାଶ କରିଛନ୍ତି ଲୋକେ l ହେଲେ ଫି କିଛି ମାତ୍ରାରେ କମିଲେ ଠିକ ହେବ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।  

ଜ୍ୟୋତି ମଞ୍ଜରୀ ସାହୁଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *