ଭୁବନେଶ୍ବର: ସାଧାରଣ ନିର୍ବାଚନକୁ ଆଖିଆଗରେ ରଖି ବିଜେପି ପ୍ରସ୍ତୁତ କରିଛି ବ୍ଲୁ ପ୍ରିଣ୍ଟ । ବିଶେଷ ଭାବରେ ଧାମନଗର ବିଜୟ ମଡ଼େଲକୁ ନେଇ ରାଜନୈତିକ ଖସଡ଼ା ପ୍ରସ୍ତୁତ କରୁଛି ଦଳ । ଏହାସହ କ୍ଷେତ୍ରୀୟ ପ୍ରଭାରି ଆଜି ବିଭିନ୍ନ ପ୍ରସଙ୍ଗକୁ ନେଇ ସ୍ୱତନ୍ତ୍ର ଖସଡ଼ା ପ୍ରସ୍ତୁତ କରିବା ସହ ନୂଆ ଟାସ୍କ ଦେଇଛନ୍ତି । ଏପଟେ ନବୀନଙ୍କ ଛବି ଆଗରେ ସବୁ ମଡ଼େଲ ଫିକା ବୋଲି କହିଛି ବିଜେଡ଼ି । ଏପଟେ ଆସନ୍ତାକାଲି ହେବାକୁ ଥିବା ସମୀକ୍ଷା ବୈଠକକୁ ନେଇ ଚଳଚଞ୍ଚଳ କଂଗ୍ରେସ ଶିବିର ।
ଗୁରୁମନ୍ତ୍ରଣା ଦେବା ସହ ଧାମନଗର ମଡେଲକୁ ପ୍ରୋମୋଟ ବି କଲେ ବଂଶଲ। ୨୦୨୪ ସାଧାରଣ ନିର୍ବାଚନ ପାଇଁ ଶନିବାର ବସିଛି ରାଜ୍ୟ ବିଜେପିର ସମିକ୍ଷା ବୈଠକ । ବୈଠକରେ କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ବିଜେପିର ସାଂଗଠନିକ ସ୍ଥିତି ଉପରେ ଅବଗତ ହୋଇଛନ୍ତି । ବିଶେଷ କରି ଧାମନଗର ପାଇଁ ମନମୋହନ ସାମଲ ଓ ପଦ୍ମପୁର ପାଇଁ ଜୟନାରାୟଣ ମିଶ୍ର ଦେଇଥିବା ରିପୋର୍ଟକୁ ତର୍ଜମା କରାଯାଇଛି । ଏହାସହ ଧାମନଗର ଉପନିର୍ବାଚନ ମଡ଼େଲକୁ ନେଇ ଦଳ ସାଧାରଣ ନିର୍ବାଚନ ଲଢିବାକୁ ସ୍ଥିର କରିଛି । ସେପଟେ ରାଜ୍ୟରେ ଚାଲିଥିବା ଜନ ବିରୋଧୀ ସରକାର ବିରୋଧରେ ନିର୍ଣ୍ଣାୟକ ଲଢେଇ କରିବାକୁ ଦଳ ସ୍ଥିର କରିଛି । ଚାଷୀ ଓ ଚାଷ, ବିଜୁଳି ଉପଭୋକ୍ତାଙ୍କୁ ଓଇଆରସିର ଅବହେଳା ଏବଂ ବିଭିନ୍ନ ପ୍ରସଙ୍ଗ ରାଜ୍ୟ ସରକାରଙ୍କଆନ୍ତରିକତାର ଅଭାବକୁ ନେଇ ଦଳ ଆନ୍ଦୋଳନ ଜୋରଦାର କରିବାକୁ ସମିକ୍ଷା ବୈଠକରେ ସ୍ଥିର ହୋଇଛି ।
ଏପଟେ ଶାସକ ଦଳ କହିଛି, ବିଜେଡ଼ି ସବୁବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ । ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରଷା ରଖିଛନ୍ତି । ତେଣୁ ବିରୋଧିଙ୍କ କୈାଣସି ମଡେଲ କାମ ଦେବ ନାହିଁ । ଯାହାକି ବିଗତ ଦିନର ନିର୍ବାଚନ ଫଳାଫଳରେ ବାରମ୍ୱାର ପ୍ରମାଣିତ ହେଉଛି । ଏମିତି କି ରାଜ୍ୟର ପଞ୍ଚାୟତ ଓ ପୌର ନିର୍ବାଚନ ଫଳାଫଳ ମଧ୍ୟ ତାହା ଦର୍ଶାଇଛି । ସେପଟେ ରବିବାର ହେବାକୁ ଥିବା ସମିକ୍ଷା ବୈଠକକୁ ନେଇ କଂଗ୍ରେସ ଶିବିର ଚଳଚଞ୍ଚଳ ହୋଇଛି । ଏଥିରେ ପ୍ରଭାରୀଙ୍କ ସହ, ବିଧାୟକ, ବରିଷ୍ଠ ନେତା ଓ ଜିଲ୍ଲା ସଭାପତିମାନେ ଉପସ୍ଥିତ ରହିବେ । ଆସନ୍ତା ୧୫ ଦିନ ମଧ୍ୟରେ ଯେଉଁମାନେ ଟିକେଟ ପାଇବାକୁ ଯୋଗ୍ୟ ତାଙ୍କୁ ଦଳ ଆଗୁଆ ଜଣାଇଦେବ ବୋଲି ରଣନୀତି ପ୍ରସ୍ତୁତ ହୋଇଛି ।
ତେବେ ସାଧାରଣ ନିର୍ବାଚନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ପାଗଭିଡା ଆରମ୍ଭ କରିସାରିଛନ୍ତି । ହେଲେ ବିଜେଡ଼ି ଓ ବିଜେପି ଉପନିର୍ବାଚନରେ ବିଜୟୀ ଆସନକୁ ମଡେଲ ଭାବରେ ଉପସ୍ଥାପନ କରିବାକୁ ଯୋଜନା କରୁଥିବା ବେଳେ କଂଗ୍ରେସ ନୂଆ ବର୍ଷ ରେ ନୂଆ ଜୋସକୁ ଅପେକ୍ଷା କରିଛି ।
ନବ କିଶୋର ସାହୁଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now