ଗର୍ଭଗୃହରେ ମୂଷା ଆତଙ୍କ

() ଶ୍ରୀମନ୍ଦିରରେ ପୁଣିଥରେ ମୂଷା ଆତଙ୍କ। ମହାପ୍ରଭୁଙ୍କ ନାଗ ନାଗୁଣୀ ଦଉଡ଼ି ଓ କିଛି ବସ୍ତ୍ରକୁ ମୂଷା କାଟି ଦେଇଥିବା ଜଣାପଡିଛି। ତେବେ କୌଣସି ନିଯୋଗ ପକ୍ଷରୁ ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଅଭିଯୋଗ ହୋଇନାହିଁ। ଅସରପା ଓ ମୂଷାଙ୍କ ଉପଦ୍ରବ ରୋକିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିବା ନୀତି ପ୍ରଶାସକ କହିଛନ୍ତି।

ଶ୍ରୀମନ୍ଦିର ଗର୍ଭଗୃହରେ ମୂଷା ଆତଙ୍କ। ଗତ ଦୁଇ ତିନି ଦିନ ହେଲା ମନ୍ଦିର ଭିତରେ ମୂଷା ଓ ଅସରପାଙ୍କ ଉତ୍ପାତ ଦେଖିବାକୁ ମିଳିଛି । ମହାବାହୁଙ୍କ ଶ୍ରୀଅଙ୍ଗରେ ଲାଗିଥିବା ନାଗନାଗୁଣୀ ଦଉଡ଼ିକୁ ମୂଷା କାଟିଦେଇଥିବା ସହ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ସଙ୍କଟରେ ଥିବା ଆଶଙ୍କା କରାଯାଉଛି । ତେବେ ଏହି ଘଟଣାକୁ କିଛି ସେବାୟତ ଗ୍ରହଣ କରିଥବା ବେଳେ ଆଉ କିଛି ସେବାୟତ ଏହାକୁ ଅସ୍ବିକାର କରିଛନ୍ତି।

ସେବାୟତଙ୍କ କହିବାନୁଯାୟୀ ଶ୍ରୀମନ୍ଦିର ଗର୍ଭଗୃହରେ ଥିବା ମୂଷା ଗୁଡ଼ିକ ବହୁତ ବଡ ଆକାରର। ରତ୍ନସିଂହାସନରେ ଠାକୁରଙ୍କୁ ରୁନ୍ଧା ଯାଇଥିବା ନାଗନାଗୁଣୀ ଦଉଡ଼ିର ଯଥେଷ୍ଟ କ୍ଷତି ହୋଇସାରିଛି। ମୂଷା ଗୁଡ଼ିକ ରତ୍ନସିଂହାସନ ସମ୍ମୁଖ କଳାହାଟ ଦ୍ବାର ଦେଇ ଗର୍ଭଗୃହକୁ ପଶୁଥିବା ଆଶଙ୍କା କରାଯାଉଛି।  ଗର୍ଭଗୃହରୁ ଜଳ ନିଷ୍କାସନ ପାଇଁ ଲକ୍ଷ୍ମୀ ମନ୍ଦିର ସାମ୍ନାକୁ ନାଳ ରହିଛି। ନାଳ ମୁହଁରେ ଘୋଡ଼ଣି ରହୁନଥିବାରୁ ଏହି ବାଟ ଦେଇ ମୂଷା ଆସୁଥିବା ସନ୍ଦେହ କରାଯାଉଛି। ପୂର୍ବରୁ ମୂଷାଙ୍କୁ କାବୁ କରିବା ପାଇଁ ଜନ୍ତାର ବ୍ୟବସ୍ଥା ହୋଇଥିବା ବେଳେ ପୁନର୍ବାର ଏହି ବ୍ୟବସ୍ଥା କରିବାକୁ ସେବାୟତ ମାନେ ଦାବୀ କରିଛନ୍ତି। ସେପଟେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଶ୍ରୀମନ୍ଦିର ନୀତି ପ୍ରଶାସକ ସୂଚନା ଦେଇଛନ୍ତି।

 ଗତ କିଛି ବର୍ଷ ପୂର୍ବେ ଏହି ସମସ୍ୟା ଦେଖାଯାଇଥିଲା। ବିଭିନ୍ନ ସେବାୟତ ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା କରି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିଥିଲା।ଏଣୁ ଏବେ ମଧ୍ୟ ଏହାର ତୁରନ୍ତ ପ୍ରତିକାର ପାଇଁ ସାଧାରଣରେ ଦାବି ହୋଇଛି ।

ସମ୍ବିତ ମିଶ୍ରଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *