ଗଣତନ୍ତ୍ର ଦିବସରେ ଚାଷୀଙ୍କ ଗର୍ଜନ

() ଗଣତନ୍ତ୍ର ଦିବସରେ ତ୍ରିରଙ୍ଗାମୟ ଭାରତ। ହେଲେ ଗଣତନ୍ତ୍ର ଦିବସରେ ଗଣପ୍ରତିବାଦ କରିଛନ୍ତି ଅନ୍ନଦାତା। ରାସ୍ତାକୁ ଓହ୍ଲାଇଛନ୍ତି। ତ୍ରିରଙ୍ଗା ଟ୍ରାକ୍ଟର ରାଲି ବାହାର କରି ସରକାରଙ୍କ ପାଖରେ ନିଜର ଦାବିକୁ ଶାଣିତ କରିଛନ୍ତି। ସରକାର ଦେଇଥିବା ପ୍ରତିଶୃତିକୁ ପୁଣି ମନେ ପକାଇଦେଇଛନ୍ତି। ଏମଏସପିକୁ ଆଇନଗତ ସ୍ୱୀକୃତି ଦାବିରେ ଅଡ଼ି ବସିଛନ୍ତି। କେବଳ ଏତିକିନୁହେଁ ଖେରି ହିଂସା ଅଭିଯୁକ୍ତଙ୍କ ବାବଦରେ ବର୍ଷିଛନ୍ତି।

ବର୍ଷେ ବିତିଗଲା। କିନ୍ତୁ କେନ୍ଦ୍ର ସରକାର ଦେଇଥିବା କଥାକୁ ଭୁଲିଗଲେଣି। ଏମଏସପିକୁ ଆଇନଗତ ସ୍ୱୀକୃତି ମିଳିଲାନି ଏ ଯାଏ। ଆନ୍ଦୋଳନରତ ଚାଷୀଙ୍କ ଉପରୁ ମାମଲା ପ୍ରତ୍ୟାହାର ଘୋଷଣା ଏ ଯାଏ କାର୍ଯ୍ୟକାରୀ ହେଲାନି। ଚାଷୀଙ୍କ ସହ ପୁଣି ସରକାର ବିଶ୍ୱାସଘାତ କରିଛନ୍ତି। ଏଭଳି ଆରୋପ ଲଦି ଗଣତନ୍ତ୍ର ଦିବସରେ ଦେଶ ତମାମ ସଂଯୁକ୍ତ କିଷାନ ମୋର୍ଚ୍ଚା ଡାକରାରେ ଚାଷୀ କେଉଁଠି ତ୍ରିରଙ୍ଗା ଟ୍ରାକ୍ଟର ରାଲି ବାହାର କରିଛି ତ କେଉଁଠି ମହାପଞ୍ଚାୟତ ବସାଇଛି। ଏଥର ଆନ୍ଦୋଳନକୁ ଓହ୍ଲାଇଥିବା ଚାଷୀ ଅଡ଼ି ବସିଛନ୍ତି ଯେ, ଚାଷୀ ଯେମିତି ଋଣ ଯନ୍ତାରେ ପଡ଼ି ଆତ୍ମହତ୍ୟା ଭଳି ଚରମ ବାଟ ନ ଆପଣାନ୍ତୁ। ସେଥିଲାଗି ସେମାନଙ୍କ ଉତ୍ପାଦିତ ସାମଗ୍ରୀର ଉଚିତ ଦର ମିଳିବାର ପ୍ରାବଧାନ କରନ୍ତୁ ସରକାର। ଉତ୍ପାଦିତ ଫସଲର ଦେଢ଼ ଗୁଣା ଅର୍ଥ ମିଳିଲେ ଯାଇ ଏହାର ସମାଧାନ ସମ୍ଭବ। ଛତିଶଗଡ଼ରୁ ତ୍ରିରଙ୍ଗା ଟ୍ରାକ୍ଟର ରାଲିର ଶୁଭାରମ୍ଭ ହୋଇଛି।

ସେପଟେ ଜିନ୍ଦ୍‌ରେ ଚାଷୀଙ୍କ ବିଶାଳ ସମାବେଶ ଅନୁଷ୍ଠିତ ହୋଇଛି। ଉତ୍ତର ଭାରତର ବିଭିନ୍ନ ଚାଷୀ ସଂଗଠନ ଏକାଠି ହୋଇଥିଲେ। ପଞ୍ଜାବ, ହରିଆଣା, ଦିଲ୍ଲୀ, ୟୁପି, ହିମାଚଳ ଓ ଉତ୍ତରାଖଣ୍ଡର ଚାଷୀଙ୍କୁ ନେଇ ମହାପଞ୍ଚାୟତ ଅନୁଷ୍ଠିତ ହୋଇଛି। ଚାଷୀଙ୍କ ଉପରେ ଗ୍ରାମାଞ୍ଚଳ ବିକାଶ ସେସ୍ ଲଦିବାକୁ ତୀବ୍ର ବିରୋଧ ହୋଇଛି। ଅନ୍ୟ ରାଜ୍ୟର ଚାଷୀ ନିଜ ନିଜ ରାଜ୍ୟର ଜିଲ୍ଲା ମୁଖ୍ୟାଳୟରେ ବିକ୍ଷୋଭ କରିଛନ୍ତି। ଟ୍ରାକ୍ଟର ରାଲି ବାହାର କରିଛନ୍ତି। କିଏ କହିଛି, ଚାଷୀ ଏକତା ଭାଙ୍ଗିବାକୁ ବିଜେପି ସରକାରଙ୍କ ଷଡ଼ଯନ୍ତ୍ର ପଦାରେ ପକାଇବୁ। ଜାନୁଆରୀ ୨୬, ୨୦୨୧ରେ ଦିଲ୍ଲୀରେ ସଂଗଠିତ ହିଂସା ସରକାରୀ ପ୍ରାୟୋଜିତ ଥିଲା। ଲାଲକିଲ୍ଲା ଯାଏ ଟ୍ରାକ୍ଟର ରାଲି ଯିବା, ଲାଲକିଲ୍ଲା ଉପରେ ଧାର୍ମିକ ପତାକା ଉଡ଼ାଇବା ଆଦି ପଛରେ ବଡ଼ କାରସାଦି ଥିଲା। କିନ୍ତୁ ଆଜି ଯାଏ ଷଡ଼ଯନ୍ତ୍ରକାରୀଙ୍କ ବାବଦରେ ସରକାର କୌଣସି ସ୍ପଷ୍ଟତା ରଖିଲେନି। ଚାଷୀ ଆନ୍ଦୋଳନକୁ ଭଣ୍ଡୁର ଓ ଚାଷୀଙ୍କୁ ବଦନାମ କରିବାକୁ ହୋଇଥିବା ଚକ୍ରାନ୍ତକାରୀଙ୍କ ନାଁ କାହିଁକି ଖୋଲୁନାହାନ୍ତି ସରକାର ବୋଲି ପଚାରିଛନ୍ତି ଚାଷୀ। ସରକାର ଲିଖିତ ଭାବେ ପ୍ରତିଶୃତି ଦେଇଥିଲେ କି, ଏମଏସପିକୁ ଆଇନଗତ ଗ୍ୟାରେଣ୍ଟି, ଚାଷୀଙ୍କ ଋଣ ଛାଡ଼, ବିଜୁଳି ସଂଶୋଧନ ବିଧେୟକ ୨୦୨୦କୁ ପ୍ରତ୍ୟାହାର ଆଦି ଗୋଟିଏ କଥାକୁ ବି କାର୍ଯ୍ୟକାରୀ କରାଗଲାନି। ଅନେକ ଚାଷୀ ଆନ୍ଦୋଳନ ବେଳେ ଶହୀଦ ହେଲେ। ସେମାନଙ୍କ ପରିବାରକୁ କ୍ଷତିପୂରଣ ମିଳିଲାନି। ହେଲେ ସଂସଦରେ କୃଷି ମନ୍ତ୍ରୀ କହିଥିଲେ, ସରକାରୀ ରେକର୍ଡରେ କୌଣସି ଚାଷୀ ଆନ୍ଦୋଳନ ବେଳେ ମୃତ୍ୟୁ ହୋଇଥିବାର ତଥ୍ୟ ନାହିଁ। ସେଥିଲାଗି କ୍ଷତିପୂରଣର ପ୍ରଶ୍ନ ଉଠୁନି। ଆଉ ବିରୋଧୀ ଓ ଚାଷୀ ସଂଗଠନ ଦାବି କରି ଆସୁଛନ୍ତି କି, ପ୍ରାୟ ୭ଶହ ଚାଷୀ ଦିଲ୍ଲୀ ଆନ୍ଦୋଳନ ବେଳେ ମୃତ୍ୟୁ ମୁଖରେ ପଡ଼ିଥିଲେ।

ଗଣତନ୍ତ୍ର ଦିବସରେ ଚାଷୀଙ୍କ ଗର୍ଜନ। ସରକାର ଦେଇଥିବା କଥାକୁ ମନେ ପକାଇଦେଇଛନ୍ତି। ଦେଖିବାର କଥା, ଅନ୍ନଦାତାଙ୍କ ଅଭିନବ ଆନ୍ଦୋଳନ ସରକାରଙ୍କ ଉପରେ କି ପ୍ରଭାବ ପକାଉଛି।

ପ୍ରଦୀପ ନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *