ଆବାସକୁ ନେଇ ଗାଁ ଗାଁରେ ତେଜିଲାଣି ଅସନ୍ତୋଷ

() ସରୁନି ଆବାସ କଳି। ଗାଁ ଗାଁରେ ତେଜିଲାଣି ଅସନ୍ତୋଷ । ଆବାସକୁ ନେଇ ତୁଛା ରାଜନୀତି କରୁଥିବାର ଆରୋପ ବିରୋଧୀଙ୍କ ଉପରେ ଲଦି କେନ୍ଦ୍ର ନ ଦେଲେ ରାଜ୍ୟ ଘର ଦେବ ବୋଲି ବିଜେଡି କହିବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ନୂଆ ଡ୍ରାମା। ବିଜେଡି-ବିଜେପି ପରସ୍ପରକୁ ପୁଣି କାଦୁଅ ଫିଙ୍ଗିଥିଲା ବେଳେ କଂଗ୍ରେସ କହିଛି, ଘର ଦେବା ନାଁରେ ପ୍ରହସନ କରୁଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର।

ଓଡ଼ିଶାରେ ୧୫ ଲକ୍ଷରୁ ଅଧିକ ଘର ଆବଶ୍ୟକ। କେନ୍ଦ୍ର ମାତ୍ର ୮ଲକ୍ଷ ଘର ମଞ୍ଜୁର କରିଛି। ତା ସାଙ୍ଗକୁ ଚଳିତବର୍ଷରୁ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାକୁ ବି ବନ୍ଦ କରିବାକୁ ଯାଉଛି। ତାହା ହେଲେ ବାକି ବାସହୀନ ଲୋକେ କଅଣ କରିବେ କହି କେନ୍ଦ୍ର ନଦେଲେ ରାଜ୍ୟ ଘର ଦେବ ବୋଲି କହିଥିଲେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର।

ଆଉ ରାଜ୍ୟ ସରକାର ଗରିବ ଲୋକଙ୍କୁ ଘର ନିଜେ ଦେବେ ବୋଲି ଶାସକ ଦଳ କହିବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ବିଜେପି କହିଛି, କାଳେ ମୋଦି ଶ୍ରେୟ ନେଇଯିବେ, ସେ ଭୟ ଘାରିଛି ବିଜେଡିକୁ। ପ୍ରଧାନମନ୍ତ୍ରୀ ରାଜ୍ୟକୁ ପ୍ରଚୁର ଅନୁଦାନ ଦେଇଛନ୍ତି। ୨୩ ବର୍ଷ ଧରି ଶାସନରେ ଥିବା ବିଜେଡି ସରକାର କାହିଁକି ଏଯାଏ ଘର ଦେଇପାରୁନି। ପିଏମଏଓ୍ୱାଇ କଥା ଉଠାଉଛି ବିଜେଡି। ବିଜୁ ପକ୍କାଘର ଯୋଜନାରେ କେତେ ଗରିବଙ୍କୁ ଘର ଦେଇଛ କହି ହିସାବ ମାଗିଛି ବିଜେପି। ଭୋଟବ୍ୟାଙ୍କ ପଲିଟିକ୍ସରେ ମାତିଛି ବିଜେଡି। କଂଗ୍ରେସ କହିଛି, ଦଲାଲ ଓ ବିଜେଡି କର୍ମୀ ତାଲିକା ତିଆରି କରୁଛନ୍ତି। ଥିଲାବାଲାଙ୍କ ନାଁ ଅଛି। ଗରିବ ଅପହଞ୍ଚ। ଗ୍ରାମସଭାରେ ଗରିବକୁ କୁହାଇ ଦିଆଯାଉନି। ସ୍ୱଛତା ଆସିବ କେମିତି ଓ ଗରିବ ପାଇବ କେମିତି ବୋଲି ପଚାରିଛି କଂଗ୍ରେସ।

ଆଉ କାଉଣ୍ଟରରେ ବିଜେଡି କହୁଛି, କେତେବେଳେ ଅନୁଦାନ ପ୍ରତିଶତର ହାର କମାଉଛି କେନ୍ଦ୍ର ତ ପୁଣି କେତେବେଳେ ଲୋଗୋକୁ ନେଇ ବିବାଦ ଛିଡ଼ା କରୁଛି। ସଠିକ ବଣ୍ଟନ ହେଉନଥିବା କଥା କହୁଥିବା ବିରୋଧୀଙ୍କ ପାଖରେ ସର୍ଭେ ରିପୋର୍ଟ ଅଛି। ସବୁ ଜାଣି ଅବୁଝାର ଅଭିନୟ କରି ପଲିଟିକାଲ ଷ୍ଟଣ୍ଟରେ ମାତିଛନ୍ତି ବିରୋଧୀ ।

ଘର କଳିର ରାଜନୀତି ଥମୁନି। ନିଇତି ଘରକୁ ନେଇ ନୂଆ ନାଟକ ଓ ପଲିଟିକାଲ ଅଧ୍ୟାୟ ଜାରି ରହିଛି। କିନ୍ତୁ ମୂଳ କଥା। ଗରିବ ଯୋଗ୍ୟ ହିତାଧିକାରୀ ପାଇବେ ତ। ନା ଏମିତି ରାଜନୀତିକ ହଟଚମଟ ଭିତରେ ଅଯୋଗ୍ୟ ରହିଯିବେ ଓ ଯୋଗ୍ୟ ଅଲୋଡ଼ା ହୋଇଯିବେ।

ସିମ୍ପୁଲ ନାୟକଙ୍କ ସହ ପ୍ରଦୀପ ନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *