ଅବିଭକ୍ତ କୋରାପୁଟବାସୀଙ୍କ ମନ ଜିଣିଲେ ମୁଖ୍ୟମନ୍ତ୍ରୀ

ଜୟପୁର:  ବର୍ଷ ବର୍ଷର ଅପେକ୍ଷାର ଅନ୍ତ ଘଟିଛି। ଜୟପୁର ବିଡ଼ି କଲେଜ ବିଶ୍ୱବିଦ୍ୟାଳୟ ଭାବେ ରୂପାନ୍ତରିତ ହୋଇଛି। ଅବିଭକ୍ତ କୋରାପୁଟ ଜିଲ୍ଲାବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବଡ ଭେଟି ଦେଇଛନ୍ତି । ଉନ୍ନୟଣ ମୂଳକ କାର୍ଯ୍ୟ ପାଇଁ ମଧ୍ୟ କୋଟି କୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପିତ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ଦିନିକିଆ ଜୟପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଗସ୍ତ ସମୟରେ ଜୟପୁର ବିକ୍ରମ ଦେବ କଲେଜର ପ୍ଳାଟିନମ୍ ଜୁବଲି ପାଳନ ଉତ୍ସବରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଗସ୍ତର ଦିନକ ପୂର୍ବରୁ ଏହି ମହା ବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ଘୋଷଣା କରିଥିବା ବେଳେ ଏହାକୁ ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲେ। ସେହିପରି ଜିଲ୍ଲାର ବିକାଶ ପାଇଁ ୧୫୯୬ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତ ସ୍ଥାପନା ଓ  ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ । ଜିଲ୍ଲାର ପର୍ଯ୍ୟଟନର ବିକାଶ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ସହ ଏକ ସ୍ବତନ୍ତ୍ର ଡାକ ଟିକଟ ଉନ୍ମୋଚନ କରିଥିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ସହ 5T ସଚିବ ଭି କେ ପାଣ୍ଡିଆନ,ମନ୍ତ୍ରୀ ଜଗନ୍ନାଥ ସାରକା,ରୋହିତ ପୂଜାରୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ପ୍ରସିଦ୍ଧ ଶୈବ ପୀଠ ଗୁପ୍ତେଶ୍ବର,ଦେଓମାଳିର ବିକାଶ ସହ ଜୟପୁର ବିକ୍ରମ ଦେବ କଲେଜ ପାଇଁ ଅଡିଟରିଅମ ଦାବି କରିଥିଲେ ଜୟପୁର ବିଧାୟକ ତାରା ପ୍ରସାଦ ଵାହିନୀପତି। ଅଡିଟରିଅମ ଘୋଷଣାକୁ ତୁରନ୍ତ ମଂଜୁର କରିଥିଲେ ମୁଖ୍ୟମନ୍ତ୍ରୀ।

ଏହି ମହା ବିଦ୍ୟାଳୟକୁ ବିଶ୍ବ ବିଦ୍ୟାଳୟ ଘୋଷଣା ପାଇଁ ବହୁ ପୂର୍ବରୁ ଦାବି ହୋଇ ଆସୁଥିଲା। ଆଉ ଏବେ ବିଶ୍ବ ବିଦ୍ୟାଳୟ ଘୋଷଣା ପରେ ଅବିଭକ୍ତ କୋରାପୁଟ ଜିଲ୍ଲାର ବିକାଶରେ ସହାୟକ ହୋଇ ପାରିବ ବୋଲି କହିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ। ସେହିପରି ଛାତ୍ରଛାତ୍ରୀ ଵି ଏହି ଘୋଷଣା ପରେ ବେଶ ଉତ୍ସାହିତ। ଏଣିକି ଅବିଭକ୍ତ କୋରାପୁଟ ଜିଲ୍ଲାର ଛାତ୍ରଛାତ୍ରୀ ଏଠାରେ ଏମ୍.ଫିଲ ଓ ପିଏଚଡି କରି ପାରିବେ। ସେହିପରି ବିନା ସୁଧରେ ସ୍ବୟଂ ସହାୟିକା ଗୋଷ୍ଠୀକୁ ରୁଣ ପ୍ରଦାନର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ। ଏଥିପାଇଁ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା ମାନେ ଖୁସି ବ୍ୟକ୍ତ କରିଥିଲେ। ମୁଖ୍ୟମନ୍ତ୍ରୀ ଙ୍କ ଏହି ଘୋଷଣା ରେ ଗ୍ରାମାଞ୍ଚଳ ଛାତ୍ର ଛାତ୍ରୀ ମାନେ ବେଶ ସୁବିଧା ସୁଯୋଗ ପାଇପାରିବେ ବୋଲି କହିଛନ୍ତି ଛାତ୍ର ଛାତ୍ରୀ।

ତେବେ ଉନ୍ନୟଣ ମୂଳକ କାର୍ଯ୍ୟ ପାଇଁ କୋଟି କୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପିତ କରି କୋରାପୁଟ ଜିଲ୍ଲାବାସୀଙ୍କ ମନ ଜିଣିଛନ୍ତି ମୁଖ୍ୟମନ୍ତ୍ରୀ।

ରଞ୍ଜନ କୁମାର ମିଶ୍ରଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *