ବରୀରେ ଟିକଟ ଟେନସନ

 () ବରୀରେ ବଡ଼ ବିବାଦ ମୁଣ୍ଡ ଟେକିଲାଣି। ଟିକଟକୁ ନେଇ ଟେନସନ। ବିଜେଡିରୁ କିଏ ପାଇବ। ସୁନନ୍ଦା ନା ବିଶ୍ୱ ନା ଦେବାଶିଷ।  ଦକ୍ଷତାରେ କେହି କାହାକୁ କମ ନୁହଁନ୍ତି। ବିଧାୟିକା ସୁନନ୍ଦାଙ୍କୁ ସାଇଡ ଲାଇନ କରି ବିଜେପିରୁ ଆମଦାନୀ ନେତା ବିଶ୍ୱ ମଲ୍ଲିକଙ୍କ ସାଂଗଠନିକ ଦବଦବା ଲାଗି ଟିକଟ ମିଳିପାରେ ବୋଲି ଗୋଟିଏ ଗୋଷ୍ଠୀ ଆଶାବାଦୀ। ସେପଟେ ୧୯ରେ ଟିକଟ କଟିବାର କ୍ଷତକୁ ଭୁଲି ପାରି ନ ଥିବା ପୂର୍ବତନ ବିଧାୟକ ଦେବାଶୀଷ ଇସାରା କଲେଣି, ଏଥର ସେ ବରୀରୁ ନିଶ୍ଚିତ ଲଢ଼ିବେ। ଆଉ ସୁନନ୍ଦା କହିସାରିଛନ୍ତି, ରାତିଦିନ ପରିଶ୍ରମ କରିବାର ଫଳ ପୁଣି ପାଇବେ।

୨୪ରେ ବିଜେଡିରୁ ବରୀ ଟିକଟ କିଏ ପାଇବ। ସୁନନ୍ଦା ଦାସଙ୍କୁ ରିପିଟ୍ ନା ରିପ୍ଲେସମେଣ୍ଟ। ଯଦି ସୁନନ୍ଦାଙ୍କୁ ଟିକଟ ନ ମିଳେ, ତା ହେଲେ କଅଣ ବିଶ୍ୱ ମଲ୍ଲିକ ପାଇବେ କି। ବିଜେପିରୁ ଆମଦାନୀ ନେତା ବିଶ୍ୱ ମଲ୍ଲିକଙ୍କ ସାଂଗଠନିକ ଦକ୍ଷତାକୁ ନେଇ ସେମିତିରେ କାହାର ସନ୍ଦେହ ନାହିଁ। ଆଉ ସୁନନ୍ଦାଙ୍କ ଭଳି ପରିଶ୍ରମୀ ନେତ୍ରୀଙ୍କୁ ନେଇ ବି ସମସ୍ତେ ନିଃସନ୍ଦେହ। ସେଥିଲାଗି ତ ଦୁଇ ବର୍ଷ ତଳେ ବିଶ୍ୱ ବିଜେଡିରେ ସାମିଲ ହେବା ଦିନ ଏହାକୁ କେଉଁ ଢଙ୍ଗରେ ଗ୍ରହଣ କରିଥିଲେ ସୁନନ୍ଦା, ତାହା ସମସ୍ତେ ଦେଖିଥିଲେ। ବରୀର ବିକାଶକୁ ନେଇ ଉଭୟ ସୁନନ୍ଦା ଓ ବିଶ୍ୱଙ୍କ ଭିତରେ ପ୍ରତିବଦ୍ଧତାର ପ୍ରତିଯୋଗିତା ଦେଖିବାକୁ ମିଳିଥିଲା ମିଶ୍ରଣ ପର୍ବ ସମାରୋହରେ।

ବିଜେଡିର ଗଲା ଜନସମ୍ପର୍କ ଯାତ୍ରା ଅବସରରେ ବରୀର ରସୁଲପୁର ବ୍ଲକରେ ସୁନନ୍ଦାଙ୍କୁ ଗୋଟିଏ ଗୋଷ୍ଠୀ ବିରୋଧ କରୁଥିବାର ଖୁଲମଖୁଲା ଦୃଶ୍ୟ ବି ଦେଖିଥିଲେ ସଭିଏଁ। ଦଳୀୟ କର୍ମୀଙ୍କୁ ଅଣଦେଖା, ଦଳକୁ ଦୁର୍ବଳ କରୁଥିବାର ଆରୋପ ଆଣି ସୁନନ୍ଦାଙ୍କ ବହିଷ୍କାର ଦାବି କରିଥିଲେ ଅଳପୁଆରେ କିଛି ବିଜେଡି ନେତା। ଆଉ କାଉଣ୍ଟରରେ ଅତଲାପୁରରେ ଶକ୍ତି ପ୍ରଦର୍ଶନ କରିଥିଲେ ବିଧାୟିକା। ତେବେ କେଉଁଠି ବି ସାମ୍ନାକୁ ଆସିନଥିଲେ ବିଶ୍ୱ। ଯଦିଓ କୁହାଯାଉଥିଲା ସବୁରି ପଛରେ ବିଶ୍ୱ।

ବିଶ୍ୱ ମଲ୍ଲିକଙ୍କ ଏଣ୍ଟ୍ରି ପରଠୁ ଟିକଟ ପାଇବାକୁ ନେଇ ସନ୍ଦେହରେ ଥିବା ସୁନନ୍ଦାଙ୍କ ଲାଗି ଆଉ ଏକ କଣ୍ଟା ଆସି ଛିଡ଼ା ହେଲାଣି। ପୂର୍ବତନ ବିଧାୟକ ଦେବାଶୀଷ ନାୟକ ବରୀରୁ ୨୪ରେ ନିଶ୍ଚିତ ଲଢ଼ିବେ ବୋଲି କହିଲେଣି। ୧୯ରେ ତାଙ୍କ ସ୍ଥିତି ନିର୍ବାଚନମଣ୍ଡଳୀରେ ଭଲ ନାହିଁ ବୋଲି ନିଜେ ମୁଖ୍ୟମନ୍ତ୍ରୀ ତାଙ୍କୁ ଡାକି କହିଥିଲେ। ଟିକଟ ତ ଦେଲେନି। କିନ୍ତୁ ଏହା ବଦଳରେ ରାଜ୍ୟସଭା ପଠାଇବେ ବୋଲି କହିଥିଲେ। ହେଲେ କିଛି କଲେନି କହି ମୁଖ୍ୟମନ୍ତ୍ରୀଙ୍କୁ ସ୍ମରଣ କରାଇଦେଇଛନ୍ତି। କେବଳ ଏତିକି ନୁହେଁ, ଦଳରେ ସୁଯୋଗ ମିଳୁ ଓ ସଂସ୍କାର ଥିବା ଲୋକଙ୍କୁ ଦାୟିତ୍ୱ ଦେବାକୁ କହି ତେରେଛା ତୀର ମାରିଛନ୍ତି। ଆଉ ବିଜେଡି ଏଥର ଟିକଟ ନ ଦେଲେ ତାଙ୍କ ଲାଗି ଅଲଗା ଦଳର ଅଫର ଖୋଲା ଅଛି ବୋଲି ବି ଇଙ୍ଗିତ ଦେଇଛନ୍ତି।

ଅବଶ୍ୟ ଏ ଯାଏ ମୌନବ୍ରତ ପାଳନ କରି ଆସିଥିବା ଚତୁର ବିଶ୍ୱ ମୁହଁ ଖୋଲିଛନ୍ତି। କେବଳ ବରୀ ବିକାଶର ସର୍ତ୍ତ ରଖି ସେ ବିଜେଡିକୁ ଆସିଛନ୍ତି। ଟିକଟ ଦେବା ନ ଦେବା ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି କରନ୍ତି।

ବିଧାୟିକା ସୁନନ୍ଦା ନିଜର ପ୍ରୋଗ୍ରେସ ରିପୋର୍ଟକାର୍ଡକୁ ଦେଖାଇ ଟିକଟ ପାଇବେ ବୋଲି ଆଶାବାଦୀ। ଦେବାଶୀଷ କହିଲେଣି, ଟିକଟ ଦିଅ। ନ ଦେଲେ ଅଲଗା ବାଟ ଦେଖିବି। ଆଉ ବିଶ୍ୱ କହୁଛନ୍ତି, ଟିକଟ ଟେନସନ ନାହିଁ। କାମକୁ ଦେଖି ସୁପ୍ରିମୋ ନିଷ୍ପତ୍ତି ନେବେ। ତେବେ ବରୀ ବିକାଶ ନାରା ଯେମିତି ଗୌଣ ହୋଇଗଲାଣି। ଜିତିବା ସମ୍ଭାବନା ଯାହାର ଉଜ୍ୱଳ, ଟିକଟ ତା ଝୁଲାରେ ପଡ଼ିବା ଥୟ। ସର୍ବୋପରି କହିବାକୁ ଗଲେ ବରୀ ଟିକଟକୁ ନେଇ ଟେନସନ ବଢ଼ିବାରେ ଲାଗିଲାଣି।

ପ୍ରଦୀପ ନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *