ଶିକ୍ଷା ବିଭାଗରେ ବଡ଼ କେଳେଙ୍କାରୀ । ମାଟ୍ରିକ ପରୀକ୍ଷାରେ ୪୬ ହଜାର ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତ ଖୋଲିଦେଲା ଶିକ୍ଷାକେଳେଙ୍କାରୀ ର ଗୁମର। ଏଭଳି ସଙ୍ଗିନ ଅଭିଯୋଗ ଆସିଛି ମାଧ୍ୟମିକ ଶିକ୍ଷା ପରିଷଦ ବିରୁଦ୍ଧରେ । ଛାତ୍ରଛାତ୍ରୀ ସଂଖ୍ୟା ଅଧିକ ଦେଖାଇ ସରକାରୀ ସୁବିଧା ହାତେଇବାକୁ କରାଯାଇଛି ଷଡ଼ଯନ୍ତ୍ର । ସ୍କୁଲ ସ୍ୱୀକୃତୀ ବଜାୟ ରଖିବାକୁ ମିଛ ନାମରେ କରାଯାଇଛି ଫର୍ମ ଫିଲ-ଅପ୍ । ପରୀକ୍ଷା ହଲ ରୁ ଗାଏବ ପରୀକ୍ଷାର୍ଥୀ, ଜଣେ କି ଦୁଇ ଜଣ ନୁହେଁ । ବୋର୍ଡ ପରୀକ୍ଷାରେ ଅନୁପସ୍ଥିତ ପ୍ରାୟ ୪୬ ହଜାର ରୁ ଅଧିକ ଛାତ୍ରଛାତ୍ରୀ । ଚଳିତ ବର୍ଷ ମାଟ୍ରିକ ଦ୍ୱିତୀୟ ସମେଟିଭ ପରୀକ୍ଷା ଦେଉଛନ୍ତି ୫ ଲକ୍ଷ ୮୫ ହଜାର ୭୦୦ ଛାତ୍ରଛାତ୍ରୀ । ହେଲେ ପରୀକ୍ଷା ହଲାରେ ଅନୁପସ୍ଥିତ ପ୍ରାୟ ୪୬ ହଜାରରୁ ଉର୍ଦ୍ଧ ପରୀକ୍ଷାର୍ଥୀ। ଯାହାକୁ ନେଇ ସନ୍ଦେହ ଘେରକୁ ଆସିଛି ମାଧ୍ୟମିକ ଶିକ୍ଷା ପରିଷଦ । ତେବେ ପ୍ରଶ୍ନ ଉଠୁଛି, କୁଆଡେ ଗଲେ ଏହି ୪୬ ହଜାରରୁ ଉର୍ଦ୍ଧ୍ୱ ପରୀକ୍ଷାର୍ଥୀ ? ମାଟ୍ରିକ ପରୀକ୍ଷା ପାଇଁ ନାମ ପଞ୍ଜୀକରଣ କରି ଛାତ୍ରଛାତ୍ରୀ କାହିଁକି ଦେଲେନାହିଁ ପରୀକ୍ଷା? କେତେ ଛାତ୍ରଛାତ୍ରୀ ବର୍ତ୍ତମାନ ସୁଧା ଦେଲେ ନାହିଁ ପରୀକ୍ଷା ତାହାର ପ୍ରକୃତ ସଂଖ୍ୟା କାହିଁକି ଲୁଚାଉଛି ବୋର୍ଡ଼? ୫ ଟି ପରୀକ୍ଷା ସରିବା ପରେ ମଧ୍ୟ କେତେ ପିଲା ଅନୁପସ୍ଥିତ ତାହା ସ୍ପଷ୍ଟ କରିପାରୁନାହାନ୍ତି ବୋର୍ଡ଼ ସଭାପତି । ଏନେଇ ଆମେ ବୋର୍ଡ ସଭାପତିଙ୍କ ପ୍ରତିକ୍ରୀୟା ପାଇଁ ଉଦ୍ୟମ କରାଯିବା ସମୟରେ, ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଚିହିଂକି ଉଠୁଛନ୍ତି ବୋର୍ଡ଼ ସଭାପତି ରାମଶିଷ ହାଜେରା ।
ବୋର୍ଡ ପରୀକ୍ଷାରେ ଏତେ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତି ଶିକ୍ଷା ବ୍ୟବସ୍ଥାର କେଳେଙ୍କାରୀକୁ ପଦାରେ ପକାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯଦି ସମେଟିଭ ୧ ରେ ଏତେ ସଂଖ୍ୟକ ପିଲା ଅନୁପସ୍ଥିତ ଥିଲେ ତେବେ କାହିଁକି ତଥ୍ୟ ଲୁଚାଇଥିଲେ ବୋର୍ଡ଼ କତ୍ତୃପକ୍ଷ । ତାହାକୁ ନେଇ ଉଠିଛି ଏବେ ବଡ଼ ପ୍ରଶ୍ନ । ବିଦ୍ୟାଳୟ ଛାତ୍ରଛାତ୍ରୀ ଙ୍କ ସଂଖ୍ୟା ଆବଶ୍ୟକ ଠାରୁ କମ ରହିଲେ ବିଦ୍ୟାଳୟ ସମ୍ମିଶ୍ରଣ ତଥା ସରକାରୀ ସ୍ୱୀକୃତି ପାଇବାର ଅସୁବିଧାକୁ ଦୁରେଇବା ପାଇଁ କରାଯାଇଛି ଏଭଳି ଚଞ୍ଚକତା । କେବଳ ସେତିକି ନୁହେଁ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଆସିଥିବା ସରକାରୀ ଯୋଜନାର ଲାଭ ହାତେଇବାକୁ ହୋଇଛି ଏଭଳି ଯୋଜନା। କେବଳ ବୋର୍ଡ଼ ନୁହେଁ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ବ୍ଲକ ଶିକ୍ଷା ଅଧିକାରୀ ମଧ୍ୟ ଏଥିପାଇଁ ଦାୟୀ ବୋଲି କହିଛନ୍ତି ବରିଷ୍ଠ ଶିକ୍ଷାବିତ ସତ୍ୟକାମ ମିଶ୍ର । ତେବେ ମାଟ୍ରିକ ପରୀକ୍ଷାରେ ଏତେବଡ଼ କେଲେଙ୍କାରୀ ର ବିଧିବଦ୍ଧ ତଦନ୍ତ ହେଲେ ଖୋଲିବ ପ୍ରକୃତ ଗୁମର ।
Naxatra News is now on Whatsapp
Join and get latest news update delivered to you via whatsapp
Join Now