ଓଡ଼ିଶା

କାର୍ଯ୍ୟାଦେଶ ସରିଛି ମିଳୁନି ପଟ୍ଟା

ମାଲକାନଗିରି: ସ୍ଥାୟୀ ଘରଡିହ ପଟ୍ଟା ପାଇଁ ନୟାନ୍ତ ହେଲେଣି ଲୋକେ। ଆବାସ ଯୋଜନାରେ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦିଆସରିଛି। କିନ୍ତୁ ଘର ଡିହ ପଟ୍ଟା ଯୋଗାଣରେ ପେଞ୍ଚ କାଢୁଛି ପ୍ରଶାସନ। ସେଥିଲାଗି ମାଲକାନଗିରି ପୌରପାଳିକାରେ ପ୍ରକୃତ ହିତାଧିକାରୀଙ୍କ ଭିତରେ ଛନକା ପଶିଥିଲା ବେଳେ ପ୍ରଶାସନର ଏଭଳି ନୀତିକୁ ନେଇ ତୀବ୍ର ବିରୋଧ କରିଛନ୍ତି ବିରୋଧୀ ଦଳ।

ମାଲକାନଗିରି ପୌରପାଳିକାର ୧୯ଟି ଓ୍ୱାର୍ଡରୁ ଅଧିକାଂଶ ଓ୍ୱାର୍ଡରେ ସରକାରୀ ଜାଗାରେ ଘର କରି ମୁଣ୍ଡ ଗୁଞ୍ଜିଛନ୍ତି ଲୋକେ। ହାତରେ ନାହିଁ ଘର ଡିହ ପଟ୍ଟା। ସେଥିଲାଗି ଜାଗା ମିଶନରେ ହିତାଧିକାରୀଙ୍କୁ ଜମି ଅଧିକାର ପ୍ରମାଣପତ୍ର ଦେବାକୁ ସ୍ଥିର ହୋଇଥିଲା। ପୌର ନିର୍ବାଚନ ବେଳେ ଶାସକ ଦଳ ୧୯ଟି ଯାକ ୱାର୍ଡରେ ଆବାସ ଯୋଜନା କାର୍ଯ୍ୟାଦେଶ ବାଣ୍ଟିଥିଲେ। ତେବେ ହିତାଧିକାରୀ ଯେତେବେଳେ ଘର ତୋଳିବାକୁ କାମ ଆରମ୍ଭ କରିବାକୁ ପୌରପାଳିକାକୁ ଅନୁମତି ଲୋଡ଼ୁଛନ୍ତି, ସେତେବେଳେ ଲେଆଉଟ୍ ସହ ଘର ଡିହ ପଟ୍ଟା ମାଗୁଛନ୍ତି ସରକାରୀ ବାବୁ। ଏତକ ତ ପାଖରେ ନାହିଁ। ତା ସାଙ୍ଗକୁ ଧାର୍ଯ୍ୟ ସମୟ ଭିତରେ ଘର ନିର୍ମାଣ ନ କଲେ ଘର ବି ହାତରୁ ଯିବା ଥୟ। କୁଆଡ଼େ ହାତଗୁଞ୍ଜା ଦେଲେ ଏହା ମିଳୁଛି ନ ହେଲେ ନାହିଁ ବୋଲି ଅନେକ ହିତାଧିକାରୀ ଅଭିଯୋଗ କରୁଛନ୍ତି।

କେବେ ପଟ୍ଟା ପାଇବେ, କେବେ ଆବାସ ଯୋଜନାରେ ଘର କରିବେ, ପ୍ରଶ୍ନ କଲେ ଆରଟିଆଇରେ ତଥ୍ୟ ମାଗ ବୋଲି ବାବୁମାନେ ଏଡ଼ାଇ ଯାଉଛନ୍ତି। ଆଉ ଆରଟିଆଇ ତଥ୍ୟ କହୁଛି, ୨୧୬୬ ହିତାଧିକାରୀଙ୍କୁ ଚିହ୍ନଟ ହୋଇଛି। ୭୬୨ ଜଣଙ୍କୁ ଭୂ-ଅଧିକାର ପ୍ରମାଣପତ୍ର ଓ ୧୦୧୫ ଜଣଙ୍କୁ ଆବାସ ଯୋଜନା କାର୍ଯ୍ୟାଦେଶ ଦିଆଯାଇଛି। ଅନ୍ୟମାନେ ଟଙ୍କା ପୈଠ କରିନଥିବାରୁ ଦିଆଯାଇନି। ତେବେ ଏହାକୁ ବିରୋଧ କରିଛନ୍ତି ବିରୋଧୀ ଦଳ। ଚିହ୍ନଟ ହୋଇଥିବା ସମସ୍ତ ହିତାଧିକାରୀ ଆବାସ ଯୋଜନା ଲାଗି ଯୋଗ୍ୟ ନୁହେଁ। ଏମିତିରେ ଭୂମି ଅଧିକାର ପ୍ରମାଣପତ୍ର ପାଇଥିବା ଲୋକଙ୍କଠୁ ଆବାସ ଯୋଜନା ହିତାଧିକାରୀଙ୍କ ସଂଖ୍ୟା ଅଧିକ। ଆଗକୁ ବିରାଟ ଧରଣର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି।

ସନ୍ତୋଷ ନାଗଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button