ବାଟ ଗାଁ ଛକରେ ୧୦୮ ଫୁଟର ଐତିହ୍ୟ ସମ୍ପନ୍ନ ଜାତୀୟ ପତାକା ଲୋକାର୍ପିତ

ପୁରୀ: ସହିଦ ଜୟୀ ରାଜଗୁରୁଙ୍କ ଜନ୍ମ ମାଟିରେ ସ୍ଥାପନ ହେଲା ୧୦୮ ଫୁଟ ଉଚ୍ଚର ବିଶାଳ ତ୍ରିରଙ୍ଗା। ଶ୍ରୀକ୍ଷେତ୍ର ପୁରୀକୁ ଆସୁଥିବା ଭକ୍ତ ଏବଂ ପର୍ଯ୍ୟଟକଙ୍କ ମନରେ ଦେଶପ୍ରେମ ଜାଗ୍ରତ କରିବା ପାଇଁ ଏହି ବିଶାଳ ତ୍ରିରଙ୍ଗା ସ୍ଥାପନ କରାଯାଇଛି। ଫ୍ଲାଗ୍ ଫାଉଣ୍ଡେସନ ଅଫ୍ ଇଣ୍ଡିଆ ଏବଂ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସଂଯୋଜନାରେ ପୁରୀର ବାଟ ଗାଁ ଛକଠାରେ ଲୋକାର୍ପଣ ହୋଇଛି ଏହି ବିଶାଳ ତ୍ରିରଙ୍ଗା।

ପୁରୀ ବାଟ ଗାଁ ଛକଠାରେ ଲୋକାର୍ପିତ ହୋଇଛି ୧୦୮ ଫୁଟର ଐତିହ୍ୟ ସମ୍ପନ୍ନ ଜାତୀୟ ପତାକା। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଲୋକାର୍ପଣ କରିଥିଲେ। ଏହି ଉତ୍ସବରେ ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆର ସଭାପତି ତଥା ବିଶିଷ୍ଟ ଶିଳ୍ପପତି ନବୀନ ଜିନ୍ଦଲ, ଉପ ସଭାପତି ସାଲୁ ଜିନ୍ଦଲ, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତି ସାମିଲ ହୋଇଥିଲେ। ସହିଦ ଜୟୀ ରାଜଗୁରୁଙ୍କ ଜନ୍ମସ୍ଥାନ ବୀର ହରେକୃଷ୍ଣପୁରର ବାଟ ଗାଁ ଛକର ଜାତୀୟ ରାଜପଥରେ ଏହି ବିଶାଳ ତ୍ରିରଙ୍ଗା ସ୍ଥାପନ କରାଯାଇଛି। ଶ୍ରୀକ୍ଷେତ୍ରକୁ ଆସୁଥିବା ଭକ୍ତ ଏବଂ ପର୍ଯ୍ୟଟକଙ୍କୁ ଜାତୀୟତା ଭାବ ପ୍ରଦାନ କରିବା, ଦେଶ ଗଠନରେ ନିଜର‌ ଅବଦାନ ନାଗରିକ ସବୁବେଳେ ରଖିବା ପାଇଁ ଏହି ଐତିହ୍ୟ ସମ୍ପନ୍ନ ଜାତୀୟ ପତାକାକୁ ଜାତି ଏବଂ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିବା କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍।

ସାରା ଭାରତରେ ବିଶାଳ ତ୍ରିରଙ୍ଗା ସ୍ଥାପନା ନେଇ କାର୍ଯ୍ୟ କରୁଛି ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆ। ତେବେ ସାରା ଭାରତରେ ଦେଶର ନାଗରିକ ନିଜ ନିଜ ଘରେ ତ୍ରିରଙ୍ଗା ପତାକା ସବୁଦିନ ଉଡାଇବା ପାଇଁ ଶିଳ୍ପପତି ନବୀନ ଜିନ୍ଦଲ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେବା ସହ ଉଚ୍ଚତମ ନ୍ୟାୟାଳୟରେ ମଧ୍ୟ ଆଇନଗତ ଲଢେ଼ଇ କରିଥିଲେ। ଶେଷରେ ନ୍ୟାୟାଳୟ ଏବଂ କେନ୍ଦ୍ର ସରକାର ନାଗରିକଙ୍କର ସାମ୍ବିଧାନିକ ଅଧିକାରକୁ ଗ୍ରହଣ କରି ଘରେ ଘରେ ତ୍ରିରଙ୍ଗା ଉଡ଼ାଇବା ପାଇଁ ଅନୁମତି ପ୍ରଦାନ କରିଥିଲେ। ଜାତି, ଧର୍ମ, ବର୍ଣ୍ଣ ଓ ରାଜନୀତିରୁ ଉର୍ଦ୍ଧ୍ବରେ ରହି ପ୍ରତ୍ୟେକ ଦେଶବାସୀ ଭାରତର ଏହି ତ୍ରିରଙ୍ଗାକୁ ସମ୍ମାନ ପ୍ରଦର୍ଶନ ପୂର୍ବକ ତ୍ରିରଙ୍ଗା ପତାକା ଉଡ଼ାଇବାକୁ ସେ ଆହ୍ବାନ ଦେଇଥିଲେ।

ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆ ଜରିଆରେ ଏପର୍ଯ୍ୟନ୍ତ ସମଗ୍ର ଭାରତ ବର୍ଷରେ ୧୦୦ ରୁ ଅଧିକ ସ୍ଥାନରେ ସ୍ମାରକୀ ଜାତୀୟ ପତାକା ସ୍ଥାନିତ ହୋଇଛି। ତେବେ ଫାଉଣ୍ଡେସନ ପକ୍ଷରୁ ଓଡ଼ିଶାର ବଡ଼ବିଲ, ସୁନ୍ଦରଗଡ଼ର ବଣେଇ ଏବଂ ପୁରୀରେ ଏହା ଚତୁର୍ଥ ସ୍ମାରକୀ ଭାବେ ସ୍ଥାପନ ହୋଇଛି।

ଶିବପ୍ରସାଦ ଦାସଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *