‘ଅ’ ରୁ ଅପରାଜିତା। ‘ଅ’ ରୁ ଅରୁନ୍ଧତୀ

() ବିଜେପି ନେତାଙ୍କୁ ବିରୋଧୀ ଯେତିକି କାଳ କରୁନି। ନିଜ ଦଳର କିଛି ମହିଳା ନେତ୍ରୀ ସେତିକି କାଳ କଲେଣି। ଜଣେ କହିବାକୁ ଲାଇସେନ୍ସ ପାଇଛନ୍ତି ଆଉ ଜଣେ କହିବାକୁ ଲାଇସେନ୍ସ ନ ପାଇ ବି ଦଳୀୟ ନେତାଙ୍କୁ ଅଡ଼ୁଆରେ ପକାଇ ଚାଲିଛନ୍ତି। ଜଣେ ହେଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ ତ ଆଉ ଜଣେ ସାଂସଦ ପତ୍ନୀ ଅରୁନ୍ଧତୀ ଦେବୀ। କେମିତି ଓ କେଉଁ ବାଗରେ ଏହି ଦୁଇ ମହିଳା ନେତ୍ରୀ ନେତାଙ୍କ ଲାଗି ଅଡ଼ୁଆ, ଦେଖନ୍ତୁ ଏହି ରିପୋର୍ଟରେ।

ବିଜେପିକୁ ‘ଅ’ ଅଡ଼ୁଆ। ‘ଅ’ ରୁ ଅପରାଜିତା। ‘ଅ’ ରୁ ଅରୁନ୍ଧତୀ। ଜଣେ ବିଜେପିର ସାଂସଦ ଓ ରାଷ୍ଟ୍ରୀୟ ପ୍ରବକ୍ତା। ଆଉ ଜଣେ ସମ୍ୱଲପୁର ସାଂସଦ ନୀତେଶ ଗଙ୍ଗଦେବଙ୍କ ପତ୍ନୀ।  ଅରୁନ୍ଧତୀ ଦେବୀ କୌଣସି ପଦପଦବୀରେ ନାହାନ୍ତି। ଏମିତିରେ ଅପରାଜିତା ବାକ୍ୟବୀର ସାଙ୍ଗକୁ କର୍ମବୀର ବୋଲି ଉଣା ଅଧିକେ ଅନୁଭବ କରିଛନ୍ତି। ଅନେକ ସମୟରେ ରୋକଠୋକ କଥା ତ ଅନେକ ସମୟରେ ଏକଲା ଚଲୋ ନୀତିରେ ଯାଇ ଦଳରୁ ସେମିତି ସହଯୋଗ ପାଉନଥିବାର ଦୃଶ୍ୟପଟ୍ଟର ଅନେକ ଉଦାହରଣ ରହିଛି। ସେଥିଲାଗି ତ ସଂସଦରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଗର୍ଜନ କରନ୍ତି।

ଭୁବନେଶ୍ୱର ସାଂସଦ ହୋଇ ବି ଭୁବନେଶ୍ୱର ସରକାରୀ କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରନ୍ତିନି ସରକାର। ଏହାକୁ ନେଇ ଅପମାନିତବୋଧ ଅନୁଭବ କରି ଯେତେ ପ୍ରତିବାଦ କଲେ ବି ନିଜ ଦଳର ଅସମ୍ଭବ ନୀରବତା ବାରି ହୋଇପଡ଼େ। ଏବେ ସଦ୍ୟ ଜୟନାରାୟଣ ଏପିସୋଡ୍ ରେ ମହିଳା ପୁଲିସ ଅଫିସରଙ୍କ ପ୍ରତି ସେ କରିଥିବା ଆଚରଣରେ କୁଆଡ଼େ ଜୟନାରାୟଣ ଦୁଃଖିତ ବୋଲି କହିବା ପରେ ଚିହିଁକି ଉଠିଛନ୍ତି ମିଶ୍ରେ। ଭୁଲ୍ ନ କରି ଦୁଃଖ ପ୍ରକାଶ କରିବା କଥା ଉଠୁଛି କେଉଁଠି ବୋଲି କହି ମାଡାମଙ୍କୁ କିଛି ନ ଜାଣି ପାଟି ଖୋଲନ୍ତୁନି ବୋଲି ତାଗିଦ୍ କରିଛନ୍ତି ଜୟନାରାୟଣ। ଆଉ ଅପରାଜିତାଙ୍କ ଏଭଳି ମନ୍ତବ୍ୟ ଜୟନାରାୟଣଙ୍କ ଲାଗି ବିଜେପି ରକ୍ଷାକବଚ ସାଜିଛି ନା ଘାତକ ସାଜୁଛି, ତାକୁ ନେଇ ଚର୍ଚ୍ଚା ହେଉଛି।

ଆଉ ସେପଟେ ସମ୍ୱଲପୁର ସାଂସଦ ନୀତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ ଦେବୀ ବି ଜୟନାରାୟଣଙ୍କ ବିରୁଦ୍ଧରେ ଜୋରଦାର ବର୍ଷିଛନ୍ତି। ବଡ଼ କଥା ହେଲା କି, ରାଜ୍ୟବ୍ୟାପୀ ବିଜେପି ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରତିବାଦରେ ତିନିଦିନ ଧରି ଆନ୍ଦୋଳନ କଲା। କିନ୍ତୁ ସମ୍ୱଲପୁର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୭ଟି ବିଧାନସଭା କ୍ଷେତ୍ରରେ ବିଜେପିର ଆନ୍ଦୋଳନ ଆଖିଦୃଶିଆ ହେଲାନି। ସମ୍ୱଲପୁରରେ ଲାଗିଥିବା ନିଆଁକୁ କେମିତି ସମ୍ୱଲପୁର ସାଂସଦ କେବଳ ଦେଖଣାହାରୀ ସାଜିଛନ୍ତି, ତାକୁ ନେଇ ସନ୍ଦେହ ଉପୁଜିଛି। ଏମିତିରେ ସାଂସଦ ନୀତେଶ ଗଙ୍ଗଦେବ ଆଉ ବିଜେପିରେ ଅଛନ୍ତି କି ନାଁ, ଜଣାପଡ଼ୁନି। ଦିଲ୍ଲୀରେ ନୀତେଶ ଥିଲା ବେଳେ ଏ ପଟେ କିନ୍ତୁ ପତ୍ନୀ ଅରୁନ୍ଧତୀଙ୍କ ବୟାନ ବିଜେପିର ମରମକୁ ଭେଦିଦେଉଛି।

କେବଳ ଜୟନାରାୟଣଙ୍କ ବିରୁଦ୍ଧରେ ନୁହେଁ। ଗଲା ମାସରେ ଦେବଗଡ ପୌରପରିଷଦ ପକ୍ଷରୁ ମୁକ୍ତା ଯୋଜନାରେ ନିର୍ମାଣଧୀନ ପ୍ରକଳ୍ପକୁ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀଙ୍କ ସମର୍ଥକଙ୍କ ଭଙ୍ଗାରୁଜା ଘଟଣାକୁ ନେଇ ରାଜନୀତି ତେଜିଥିଲା। ସୁବାଷଙ୍କୁ ଗିରଫ ଦାବିରେ ରାଜନୀତି ଦେବଗଡ଼ରୁ ରାଜଧାନୀ ଯାଏ ତେଜିଥିଲା। କିନ୍ତୁ ଏହି ନିଆଁରେ ଘିଅ ପକାଇ ଏହାକୁ ଅଧିକ ତେଜିଦେଇଥିଲେ ଅରୁନ୍ଧତୀ ଦେବୀ।

ଅବଶ୍ୟ ଜୟନାରାୟଣଙ୍କୁ ବିଜେଡିର ଅ ଅରୂପ ପଟ୍ଟନାୟକଙ୍କ ପରୋକ୍ଷ ଧମକ ଅଧ୍ୟାୟ ବିଜେପିର ଏହି ଦୁଇ ଅ ଅର୍ଥାତ୍ ଅପରାଜିତା ଓ ଅରୁନ୍ଧତୀଙ୍କ ବୟାନକୁ କିଛି ମାତ୍ରାରେ ହାଲୁକା କରିଦେଇଛି। କିନ୍ତୁ ଏହି ଦୁଇ ଅଗ୍ନିବର୍ଷୀ ଅପରାଜିତା ଓ ଅରୁନ୍ଧତୀଙ୍କ ମନ୍ତବ୍ୟ ଓ ଉଦେଶ୍ୟକୁ ନେଇ ଭିନ୍ନ ଚକ୍ଷୁରେ ଦେଖୁଛି ରାଜନୀତିକ ମହଲ। ଜଣେ କହିବାକୁ ଦଳରୁ ସ୍ୱୀକୃତି ପାଇଛନ୍ତି। ଆଉ ଜଣେ ବିନା ସ୍ୱୀକୃତିରେ ସ୍ୱାମୀ ବିଜେପିରୁ ସାଂସଦ ଥିଲେ ବି କ୍ରମାଗତ ବିଜେପି ନେତାଙ୍କୁ ଟାର୍ଗେଟ କରିଚାଲିଛନ୍ତି। ଯାହାକି ରୋଚକ ସ୍ଥିତି ସୃଷ୍ଟି କରିଛି।

ପ୍ରଦୀପ ନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *