କୋଟିଆ କାହାର?

() ବିବାଦୀୟ କୋଟିଆକୁ ନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ୨୮ ଦିନ ଭିତରେ ଉଭୟ କେନ୍ଦ୍ର ଓ ଆନ୍ଧ୍ର ସରକାରଙ୍କୁ ତଥ୍ୟ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତିପକ୍ଷ ଆନ୍ଧ୍ର ଓ କେନ୍ଦ୍ର ସରକାର ଅନୁପସ୍ଥିତ ରହିଲେ ଏକତରଫା ବିଚାର ପ୍ରକ୍ରିୟା ଆରମ୍ଭ ହେବ ବୋଲି ସ୍ପଷ୍ଟ କରିଦେଇଛନ୍ତି ସୁପ୍ରିମକୋର୍ଟ। ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ସହ ବୁଦ୍ଧିଜୀବି ମହଲରେ ଆନ୍ଧ୍ରର ଅନୁପ୍ରବେଶକୁ ଏହା ଶକ୍ତ ଧକ୍କା ବୋଲି ଅଭିହିତ କରି କୋଟିଆ ଓଡ଼ିଶାର ବୋଲି ଆଶା ସଞ୍ଚାର ହୋଇଛି।

କୋଟିଆ କାହାର। ଏହାକୁ ନେଇ ଦୀର୍ଘ ବର୍ଷ ହେଲା ଓଡ଼ିଶା ଆନ୍ଧ୍ର ଭିତରେ ବିବାଦ ସହ ତିକ୍ତତା ଲାଗି ରହିଛି। କୋଟିଆ ପ୍ରସଙ୍ଗରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆଗତ ମୂଳ ମାମଲାର ବିଚାର କରି ଉଭୟ ଆନ୍ଧ୍ର ଓ କେନ୍ଦ୍ର ସରକାରଙ୍କୁ ସମନ କରିଛନ୍ତି ସୁପ୍ରିମକୋର୍ଟ। ୨୮ ଦିନ ମଧ୍ୟରେ ଉଭୟ ସରକାର ସମସ୍ତ ତଥ୍ୟ ଓ ଦସ୍ତାବିଜ୍ ସହ ଉପସ୍ଥିତ ହେବାକୁ କୁହାଯାଇଛି। ଯଦି ନ୍ୟାୟାଳୟରେ ପ୍ରତିପକ୍ଷ ଆନ୍ଧ୍ର ଓ କେନ୍ଦ୍ର ସରକାର ଅନୁପସ୍ଥିତ ରହିବେ, ତେବେ ଏକତରଫା ବିଚାର ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି ଅଦାଲତ। କୋର୍ଟର ଏଭଳି ଆଭିମୁଖ୍ୟ ଦେଖି କୋରାପୁଟ ଜିଲ୍ଲାର ନେତାଙ୍କ ଭିତରେ ଆଶା ସଞ୍ଚାର ହୋଇଛି। ଏଭଳି ସମନରୁ ପ୍ରମାଣିତ ହୋଇଛି କୋଟିଆ ଓଡ଼ିଶାର। ଆନ୍ଧ୍ରର ଅନୁପ୍ରବେଶ ବିରୋଧରେ ଓଡ଼ିଶା ସରକାରଙ୍କ ଆଇନଗତ ଲଢ଼େଇ ଜାରି ରହିବ। କୋଟିଆ ଅଞ୍ଚଳରେ ସ୍ଥିତାବସ୍ଥା ବଜାୟ ରଖିବାକୁ ସୁପ୍ରିମକୋର୍ଟ ଉଭୟ ଓଡ଼ିଶା ଓ ଆନ୍ଧ୍ରକୁ ସ୍ପଷ୍ଟ ନିର୍ଦେଶ ଦେଇଥିଲେ ଆଗରୁ। କିନ୍ତୁ ଏହାକୁ ଉଲ୍ଲଂଘନ କରି କୋଟିଆରେ ଆନ୍ଧ୍ର ସରକାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ କରାଇଥିଲେ। ଆନ୍ଧ୍ରର ମନମୁଖୀ କାର୍ଯ୍ୟ ନେଇ ସୁପ୍ରିମକୋର୍ଟରେ ଓଡ଼ିଶା ସରକାର ଅଦାଲତ ଅବମାନନା ଦାଖଲ କରିଛନ୍ତି। ଯାହାକି ବିଚାରାଧୀନ ଅଛି।

ସେପଟେ ଆଇନଜୀବୀ ଓ ବୁଦ୍ଧିଜୀବୀଙ୍କ ମତରେ, ସୁପ୍ରିମକୋର୍ଟଙ୍କ ଏଭଳି ସମନ ନିଶ୍ଚୟ ଆନ୍ଧ୍ରର କୋଟିଆ ଦଖଲ ଅଭିଯାନ ଓ ଅଭିସନ୍ଧିକୁ ଧକ୍କା ଦେବ ବୋଲି ଆଶାପୋଷଣ କରିଛନ୍ତି।

କୋଟିଆକୁ ନେଇ ବିବାଦ ଛାଡୁନି। ଆନ୍ଧ୍ର ସରକାର ବାରମ୍ୱାର କୋଟିଆ ଉପରେ ଲୋଲୁପ ଦୃଷ୍ଟି ପକାଇଆସିଛନ୍ତି। ବିକାଶ ନାଁରେ କୋଟିଆକୁ ନିଜର ବୋଲି ଜାହିର କରୁଛନ୍ତି। ସେପଟେ ଆନ୍ଧ୍ରର ସବୁ ଉଦ୍ୟମକୁ ପଣ୍ଡ କରିବାକୁ ଓଡ଼ିଶା ସରକାର ଯଦିଓ ଅଣ୍ଟା ଭିଡ଼ିଛନ୍ତି। ଆଗ ମାଟି, ପରେ ପାର୍ଟି ଥିଓରୀ ଆପଣାଇ କୋଟିଆ ସ୍ୱାର୍ଥରେ ଏକତାର ଲଢ଼େଇ ଦେଖାଇସାରିଛନ୍ତି କୋରାପୁଟିଆ ନେତା। କିନ୍ତୁ ସର୍ବୋଚ୍ଚ ଅଦାଲତରେ ଏହି ଲଢ଼େଇ ଆଗକୁ କି ମୋଡ଼ ନେବ, ଅପେକ୍ଷା।

କୋରାପୁଟରୁ ଭୂଷିତ ବିଡ଼ିକା ଓ ଜୟପୁରରୁ ରଞ୍ଜନ ମିଶ୍ରଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *