ବିରୋଧୀ ନା ଗଣମାଧ୍ୟମ: ସରକାର ପାଇଁ କିଏ ଅଡୁଆ?

ଭୁବନେଶ୍ବର:  ସରକାରଙ୍କୁ ଅକଳରେ ପକାଉଛି କିଏ। ବିରୋଧୀ ନା ଗଣମାଧ୍ୟମ। ବିରୋଧୀ କହୁଛନ୍ତି, ସ୍ୱରକୁ ଚାପିଦିଆଯାଉଛି। ଆଉ ଗଣମାଧ୍ୟମକୁ ଲାଗିଛି ଅଘୋଷିତ କଟକଣା। ଏତିକିବେଳେ ଦଳ ଓ ସରକାରକୁ ଆଇନା ଦେଖାଇବାକୁ ପ୍ରୟାସ କରୁଥିବା ସାମ୍ୱାଦିକରୁ ନେତା ପଦବାଚ୍ୟ ବ୍ୟକ୍ତି ଅଡ଼ୁଆରେ। ଅବଶ୍ୟ ଏହି ଆଇନା କାହା ସ୍ୱାର୍ଥରେ ତାକୁ ନେଇ କିଛି ପ୍ରଶ୍ନ ଉଠାଇବା ବି ସ୍ୱାଭାବିକ।

ଆମ ଘରର ହାଲଚାଲ, ଧ୍ୱନି ପ୍ରତିଧ୍ୱନି ଭଳି କିଛି ସମ୍ପାଦକୀୟ ଟ୍ୟାଗଲାଇନ ବିଜେଡି ଓ ସରକାରଙ୍କୁ ଅନେକ ସମୟରେ ଆଇନା ଦେଖାଇଛି। କେବଳ ଲେଖାରେ ନୁହେଁ, ଅନେକ ସମୟରେ ଏ ସବୁ ସମ୍ପାଦକୀୟ ଲେଖିଥିବା ସମ୍ପାଦକଙ୍କ ମନ୍ତବ୍ୟ ବି ବିଜେଡିର ଅଜାଗା କ୍ଷତରେ ମଇଲମ ଲଗାଇବା ବଦଳରେ ଚୂନ ଲଗାଇଛି। ଜଣେ ହେଲେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ତ ଅନ୍ୟଜଣେ ହେଲେ ସାଂସଦ ଭର୍ତ୍ତୃହରି ମହତାବ୍। ଏମାନେ ବିଜେଡିରେ ଥାଇ ବି ସରକାର ଓ ଦଳକୁ କ୍ରମାଗତ ଆଇନା ଦେଖାଇବା କାମରେ ଲାଗିଛନ୍ତି ବୋଲି ଗୋଟିଏ ଗୋଷ୍ଠୀ କହୁଥିଲା ବେଳେ ଅନ୍ୟ ଗୋଷ୍ଠୀ କହୁଛି, କ୍ଷମତାଚ୍ୟୁତ ଭୟରେ ଆଗୁଆ ବାଟ କାଟିବାକୁ ଏ ସବୁ ଅଭିନୟ। କାରଣ ଜଳନ୍ତା ପ୍ରସଙ୍ଗରେ ଏମାନଙ୍କ ଲେଖା ଓ ମନ୍ତବ୍ୟ ଘିଅ ଢାଳିବା ସଦୃଶ ପାଲଟିଛି। ଓଡ଼ିଶାରେ ଶାସନ କିଏ ଚଳାଉଛି ବୁଝାପଡ଼ୁନି କହି ଏ ପ୍ରଶ୍ନ ଜନତା ମୈଦାନରୁ ପଚାରି ଜନତା ମୁହଁରୁ ଉତ୍ତର ପାଇସାରିଥିଲେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା। ଆଉ ଧର୍ମେନ୍ଦ୍ର ପ୍ରଧାନ ବି କହିଥିଲେ, ସବୁ ଜାଣି ନବୀନ ଧୃତରାଷ୍ଟ୍ରର ଅଭିନୟ କରୁଛନ୍ତି। ସେତେବେଳେ ସୌମ୍ୟ ପଟ୍ଟନାୟକ ଏହାର କଡ଼ା କାଉଣ୍ଟର କରିଥିଲେ। କିନ୍ତୁ ନିକଟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିହେଉନି। ସତ କହିଲେ ଦଳରୁ ବହିଷ୍କାର ଭୟର ଚିତ୍ର ଓଗାଳିବା ସହ କେତେଦିନ ବିଜୁଙ୍କ ନାଁରେ ମହୁ ପିଇବ ବୋଲି ବିଜେଡିକୁ ଆଇନା ଦେଖାଇଥିବା ସୌମ୍ୟଙ୍କ ମୁହଁରୁ ଯେମିତି ବିଜେପିକୁ ପ୍ରଶ୍ନର ଉତ୍ତର ମିଳିସାରିଛି।

ଏବେ ଆସନ୍ତୁ ଭର୍ତ୍ତୃହରିଙ୍କ କଥା ଦେଖିବା। ଲୋୟର ପିଏମଜିରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରତିବାଦରେ ବିଜେପି- ପୁଲିସ ଭିତରେ ସଂଘର୍ଷର ଅଧ୍ୟାୟକୁ ନେଇ ବିଧାନସଭା ଭିତରେ ଓ ବାହାରେ ଉଠିଲା ପଡ଼ିଲା କଥା। ପୁଲିସ ନିଜର କର୍ତ୍ତବ୍ୟ କରୁଥିବା ବେଳେ ବିଜେପି କର୍ମୀଙ୍କ ହିଂସ୍ର ଆଚରଣକୁ ନେଇ ବିଜେଡି ବର୍ଷିଥିଲା। ଅପରାଧିକ ତତ୍ତ୍ୱକୁ ଧର୍ମେନ୍ଦ୍ର ନିୟନ୍ତ୍ରଣ କରନ୍ତୁ। ପୁଲିସ ବି ବିଜେଡିର କର୍ମୀ ସାଜି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଶୋଭନୀୟ ନୁହେଁ ବୋଲି ଧର୍ମେନ୍ଦ୍ରଙ୍କ ଟ୍ୱିଟ୍ ପରେ ପ୍ରଣବଙ୍କ କାଉଣ୍ଟର ଟ୍ୱିଟ୍ ଓ ସିଧା ନଡ୍ଡାଙ୍କୁ ଟ୍ୟାଗ୍ କରି ସସ୍ମିତ ପାତ୍ରଙ୍କ ଟ୍ୱିଟ୍ ହଇଚଇ ଖେଳାଇଦେଇଥିଲା। ବିଧାନସଭା ଅଧିବେଶନରେ ଦ୍ୱିତୀୟ ପର୍ଯ୍ୟାୟରେ ବି ଆଇନଶୃଙ୍ଖଳାକୁ ନେଇ ଗୃହ ପୁଣି ସରଗରମ ରହିବ, ଆକଳନ କରାଯାଉଛି। ଆଉ ଏତିକିବେଳେ ଧ୍ୱନି ପ୍ରତିଧ୍ୱନିରେ ଭର୍ତ୍ତୃହରି ଲେଖିଥିବା ଉଚ୍ଚାରଣ ଆଚରଣ ମାର୍ଜିତ ହେବା ଆବଶ୍ୟକ ସମ୍ପାଦକୀୟ ବିଜେଡିକୁ ଅକଳରେ ପକାଇଛି। ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ବଦଳରେ ଗୁଣ୍ଡାଙ୍କ ଭଳି ସାଦା ପୋଷାକରେ କିଏ ଥିଲା ବୋଲି ବିଜେପି ପୂର୍ବରୁ ଉତ୍ତର ମାଗିଥିଲା ବେଳେ ନିଜ ଲେଖାରେ ସିପି ଏହାର ଜବାବ ରଖିବା ଦରକାର ବୋଲି ଭର୍ତ୍ତୃହରି କହିଛନ୍ତି। ବିକ୍ଷୋଭକାରୀ ଯଦି ଢେଲା, ପଥର ମାଡ଼ କଲେ ଆଉ ପୁଲିସ ଆହତ ହେଲେ। ଭୁବନେଶ୍ୱର ପରା ସାକ୍ଷୀ ରହିଛି ଏମିତି ଅନେକ ଘଟଣାର କହି ବିଜୁଙ୍କ ଉପସ୍ଥିତିରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନାକ ଫଟାଇବା କଥାର ଅବତାରଣା କରିଛନ୍ତି। ହିଂସାର ଉତ୍ତର ପୁଲିସ ଦ୍ୱାରା ଅଧିକ ହିଂସା ଦ୍ୱାରା ଦେବାରୁ ଶାସନର ସମ୍ମାନ ଉପରେ ଆଞ୍ଚ ଆସିଛି। ଆଚରଣ ଓ ଉଚ୍ଚାରଣରେ ମାର୍ଜିତ ହେତୁ ବିଜେଡି ଏତେଦିନ ଶାସନରେ। କିନ୍ତୁ ଏହାକୁ ପୁଲିସ ନିଜ ଆଚରଣରେ କ୍ଷୁର୍ଣ୍ଣ ନ କରୁ ବୋଲି ପରାମର୍ଶ ଦେଇଛନ୍ତି।

ସେପଟେ ବିଜେଡିରେ ଆଉ ନାହିଁ କହି ଧରିତ୍ରୀର ସମ୍ପାଦକ କେବେଠୁ ସ୍ପଷ୍ଟ କରିସାରିଛନ୍ତି। ସେ ଏବେ ମୁକ୍ତ ଓ ନିରପେକ୍ଷ ବୋଲି କହିଆସୁଛନ୍ତି ତଥାଗତ। କିନ୍ତୁ ନିକଟରେ କ୍ଷମତାର ଗାତ ଶୀର୍ଷକ ଲେଖାରେ କେବଳ ସମାଲୋଚନା ବ୍ୟବସ୍ଥାରେ ଉନ୍ନତି ଅଣାଯାଇପାରିବନି କହି ସିଇସି ନିଯୁକ୍ତିକୁ ନେଇ ଅନେକ କଥା କହିଛନ୍ତି। ହେଲେ ଏଠି ବି ସୋସିଆଲ ମିଡ଼ିଆ ୟୁଜର୍ସ ତଥାଗତଙ୍କ ନିରପେକ୍ଷତା କେତେ କହି ତାକୁ କଟାକ୍ଷ କରିଛନ୍ତି। ସମ୍ପାଦକୀୟ ହିସାବରେ ଏତେ ଯଦି ନିରପେକ୍ଷ। ତେବେ ରାଜ୍ୟ ସରକାରଙ୍କ ବାବଦରେ ବି ପଦୁଟିଏ ଲେଖିଥିଲେ ଭଲ ହୋଇଥାଆନ୍ତା ବୋଲି ତୀର୍ଯ୍ୟକ ତୀର ମାରିଛନ୍ତି। ରାଜ୍ୟ ନିର୍ବାଚନ ଅଧିକାରୀ ଓ ରାଜ୍ୟ ନିର୍ବାଚନ ଆୟୋଗ ନିଯୁକ୍ତି କ୍ଷେତ୍ରରେ ବି ବିରୋଧୀ ଦଳ ନେତା ଓ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସହମତି ନେବା କଥା ଲେଖିଥିଲେ ଜିଭରେ ହାଡ଼ ଅଛି ବୋଲି ବୁଝାପଡ଼ୁଥାଆନ୍ତା।

ଭର୍ତ୍ତୃହରି, ତଥାଗତ ଓ ସୌମ୍ୟ। ଖବରକାଗଜର ମାଲିକ ଓ ସମ୍ପାଦକ ବି। ଅନେକ ସମୟରେ ଏମାନଙ୍କ ଲେଖନୀ ମୁନ ଦଳମତ ବାଛବିଚାର ଦେଖେନି। କିନ୍ତୁ ଅନେକ ସମୟରେ ପରିସ୍ଥିତିର ବାଧ୍ୟବାଧକତା ବି ଜନତାଙ୍କ ଆଖିରେ ଏମାନଙ୍କୁ ସମାଲୋଚନାର ପାତ୍ର ସଜାଇଛି।

ନବକିଶୋର ସାହୁଙ୍କ ସହ ପ୍ରଦୀପ କୁମାର ନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *