ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ଅଗ୍ନିକାଣ୍ଡ: ରିପୋର୍ଟ ପ୍ରଶାସନର ହସ୍ତଗତ

ପୁରୀ: ଗତ ହୋଇଛି।‌ ମାର୍କେଟ କମ୍ପ୍ଲେକ୍ସର ଜମି ମାଲିକାନାକୁ ନେଇ ତଦନ୍ତ ଚାଲିଥିବା ବେଳେ କ୍ଷୟକ୍ଷତି ମଧ୍ୟ ଆକଳନ କରାଯାଉଛି। ମାର୍କେଟ କମ୍ପ୍ଲେକ୍ସର ଜମି ଜଗନ୍ନାଥ ମହାପ୍ରଭୁଙ୍କ ନାମରେ ଥିବା ଜଣାପଡିଥିବା ବେଳେ ଏହା କେଉଁ ସୂତ୍ରରେ କମ୍ପ୍ଲେକ୍ସ ମାଲିକ ହାତେଇଛନ୍ତି ସେନେଇ ତଦନ୍ତ କରାଯାଉଛି।‌ ତେବେ ଅଗ୍ନିକାଣ୍ଡ ଘଟଣା ପରେ ସହରରେ ଥିବା ସମସ୍ତ ହୋଟେଲ, ଲଜିଂ ଓ ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଅଛି କି ନାହିଁ ଏହାର ତଦାରଖ ପାଇଁ ଏକ ଯାଞ୍ଚ କମିଟି ଗଠନ ହେବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ।

ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟଣା ପରେ ଏବେ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସୁଛି। ମାର୍କେଟ କମ୍ପ୍ଲେକ୍ସ ପଛରେ ଥିବା କର୍ଣ୍ଣାମେଶ୍ବର ମନ୍ଦିରର ଜାଗାକୁ ମାର୍କେଟ କମ୍ପ୍ଲେକ୍ସ ମାଲିକ ଜୋରଜବରଦସ୍ତ ମାଡିବସି ବ୍ୟବସାୟ କରୁଥିବା ଅଭିଯୋଗ ହୋଇଛି। ଏନେଇ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ରିପୋର୍ଟ ପ୍ରଶାସନର ହସ୍ତଗତ ହୋଇଛି। ମାର୍କେଟ କମ୍ପ୍ଲେକ୍ସର ଜମି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ଜଣାପଡିଛି। ଏଣୁ ଏହି ଜମି ମାର୍କେଟ କମ୍ପ୍ଲେକ୍ସ ମାଲିକ କିଭଳି ହାତେଇଲେ ସେନେଇ ତଦନ୍ତ ଆରମ୍ଭ କରିଛି ପ୍ରଶାସନ। ମାର୍କେଟ କମ୍ପ୍ଲେକ୍ସଟି ମୋଟ ୨୫ ଡିସିମିଲି ଜମିରେ ଥିବାବେଳେ ୨୨ ଡିସିମିଲି ମହାପ୍ରଭୁଙ୍କ ନାମରେ ଓ ମାତ୍ର ୩ ଡିସିମିଲି ମାର୍କେଟ କମ୍ପ୍ଲେକ୍ସ ମାଲିକ ନାଁ ରେ ରହିଛି। ତେବେ ମାର୍କେଟ କମ୍ପ୍ଲେକ୍ସ ମାଲିକ ଶ୍ରୀମନ୍ଦିର ପ୍ରଶାସନ ଠାରୁ ଲିଜ୍ ଆକାରରେ ଆଣିଛନ୍ତି‌ କି ବେଆଇନ ଭାବେ ଜବରଦଖଲ କରିଛନ୍ତି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି। ସେପଟେ ଅଗ୍ନିକାଣ୍ଡର  କ୍ଷୟକ୍ଷତି ରିପୋର୍ଟ ଖୁବଶୀଘ୍ର ସ୍ବତନ୍ତ୍ର ରିଲିଫ କମିଶନରଙ୍କୁ ପ୍ରଦାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟଣା ପରେ ପୁରୀରେ ଥିବା ହୋଟେଲ, ଲଜ୍ ଓ ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନେଇ ବଡପ୍ରଶ୍ନ ଠିଆ ହୋଇଛି। ବଡ଼ଦାଣ୍ଡ ସମେତ ସମୁଦ୍ର କୂଳ ଅଞ୍ଚଳରେ ଶହ ଶହ ହୋଟେଲ, ଲଜ୍, ସପିଙ୍ଗ ମଲ୍ ବିନା ଅଗ୍ନି ନିରାପତ୍ତା ବ୍ୟବସ୍ଥାରେ ଚାଲୁଥିବା ବେଳେ ଜିଲ୍ଲା ପ୍ରଶାସନ ଚୁପ୍ ରହିବା ସମସ୍ତଙ୍କୁ ଚକିତ କରିଛି। ସହରରେ ତିନି ହଜାରରୁ ଅଧିକ ହୋଟେଲ, ଲଜିଂ ସହ ବ୍ୟବସାୟିକ ପ୍ରତିଷ୍ଠାନର କୋଠା ରହିଛି। ଅଗ୍ନିଶମ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇ ମାତ୍ର ୩ଶହ ଅନୁଷ୍ଠାନକୁ ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର ପାଇବାକୁ ଯୋଗ୍ୟ ବୋଲି ଚିହ୍ନଟ କରାଯାଇଛି। ଏହି ତିନି ଶହରୁ ମାତ୍ର ୧୩ଟି ଅନୁଷ୍ଠାନ ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର ନେଇଛନ୍ତି। ବାରମ୍ବାର ନୋଟିସ ହେଲେ ମଧ୍ୟ ଏହାକୁ କେହି ଖାତିର୍ କରୁନାହାନ୍ତି। ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟଣା ପ୍ରଶାସନର ଅବହେଳାକୁ ସିଧାସଳଖ ଦାୟୀ କରିଛନ୍ତି ବୁଦ୍ଧିଜୀବୀ ଓ ସହରବାସୀ।

ତେବେ ଆଗାମୀ ଦିନରେ କୌଣସି ବଡ଼ ଅଘଟଣକୁ ପ୍ରଶାସନ ଅପେକ୍ଷା ନକରି ତୁରନ୍ତ ସହରରେ ଥିବା ହୋଟେଲ, ଲଜିଂ ଓ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନର କୋଠା ଗୁଡିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କଡାକଡି କରିବାର ଆବଶ୍ୟକତା ରହିଛି।

ଶିବପ୍ରସାଦ ଦାସଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *